ସେନା ହେଲିକପ୍ଟର ଦୁର୍ଘଟଣା: ସିଡିଏସ ଜେନେରାଲ ବିପିନ ରାୱତଙ୍କ ପରଲୋକ

ଗ୍ରୁପ କ୍ୟାପଟେନ ବରୁଣ ସିଂହ ଜୀବିତ ଭାବେ ଉଦ୍ଧାର, ଅବସ୍ଥା ଗୁରୁତର

ଭାରତର ପ୍ରଥମ ପ୍ରତିରକ୍ଷା ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ସେନାର ବହୁ ବରିଷ୍ଠ ଅଧିକାରୀଙ୍କୁ ନେଇ ବାୟୁସେନାର ଏକ ହେଲିକପ୍ଟର ତାମିଲନାଡୁର କୁନୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ ମାଧ୍ୟମରେ ଦିଆଯାଇଥିବା ଖବର ଅନୁଯାୟୀ ପ୍ରତିରକ୍ଷା ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣ ଅଧିକାରୀଙ୍କ ଏହି ଦୁର୍ଘଟଣାରେ ପରଲୋକ ଘଟିଛି। ସମ୍ବାଦ ସରବରାହ ସଂସ୍ଥା ଯୁଏନଆଇ ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରୁ ସମସ୍ତ ୧୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ନୀଳଗିରି ଜିଲ୍ଲାପାଳ ଅମୃତା କହିଛନ୍ତି। ଉଦ୍ଧାର ହୋଇଥିବା ୧୪ ଜଣଙ୍କ ମଧ୍ୟରୁ ଜଣେ ପୁରୁଷ ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ଯୁଏନଆଇ ସୂଚନା ଦେଇଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣା ପରେ ଆଜି ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତି ଦେବାର ଥିଲା କିନ୍ତୁ ଶେଷ ମୁହୂର୍ତ୍ତରେ ତାହା ଆସନ୍ତାକାଲିକୁ ରଖାଯାଇଛି। ଇଟଂମଧ୍ୟରେ ଶ୍ରୀ ସିଂହ ପ୍ରମୁଖ ପ୍ରତିରକ୍ଷା ଅଧିକାରୀଙ୍କ ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ଏବଂ ସିଡିଏସ ମୁଖ୍ୟ ରାୱତଙ୍କ ନୂଆଦିଲ୍ଲୀ ବାସଭବନକୁ ଯାଇଥିଲେ।

ଏହି ଦୁର୍ଘଟଣାରେ ଜୀବିତ ଭାବେ ଉଦ୍ଧାର ହୋଇଥିବା ଜଣକ ହେଉଛନ୍ତି ଗ୍ରୁପ କ୍ୟାପଟେନ ବରୁଣ ସିଂହ। ତାଙ୍କ ଏବେ ୱେଲିଙ୍ଗଟନ୍ ସ୍ଥିତ ମିଲିଟାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ତାଙ୍କ ଚିକିତ୍ସା ପାଇଁ ସେନା ଡାକ୍ତର ଓ ତାମିଲନାଡୁ ସରକାରଙ୍କ ଏକ ଅଭିଜ୍ଞ ଡାକ୍ତରୀ ଦଳକୁ ନିୟୋଜିତ କରାଯାଇଥିବା ସୂଚନା ମିଳିଛି।

Comments are closed.