ଜେନେଟିକ୍‍ କାଉନ୍‍ସେଲର

0

ଜିନ୍‍ ବିଜ୍ଞାନ ଏବେ ଗବେଷଣାର ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଏହା ମାଧ୍ୟମରେ ମଣିଷକୁ ଆନୁବଂଶିକ ରୋଗ ସହ ଲଢିବା ଲାଗି ସକ୍ଷମ କରାଯାଉଛି। ଏପରି ରୋଗରେ ଆକ୍ରାନ୍ତ ମଣିଷଙ୍କ ପାଇଁ ଚିକିତ୍ସା ତୁଳନାରେ ଜେନେଟିକ୍‍ କାଉନ୍‍ସେଲିଂ ନିହାତି ଜରୁରୀ। ଏଥିରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଆନୁବଂଶିକ ବିସଙ୍ଗତି ସମ୍ପର୍କରେ ଜଣାଯାଇଥାଏ। ଏହାପରେ ଚିକିତ୍ସା କରିବା ସହଜ ହୁଏ। ବିଶ୍ୱରେ ଏପରି ଏକାଧିକ ଦେଶ ରହିଛି, ଯେଉଁଠାରେ ଆନୁବଂଶିକ ରୋଗକୁ ଭିନ୍ନ ଦୃଷ୍ଟିରେ ଦେଖାଯାଏ। ବହୁବାର ଏପରି ରୋଗଗ୍ରସ୍ତ ମଣିଷଙ୍କୁ ସାମାଜିକ ବହିଷ୍କାର ପରି କଠିନ ସ୍ଥିତିର ଶିକାର ହେବାକୁ ପଡେ। ଏବେ ଆନୁବଂଶିକ ରୋଗଗୁଡିକ ଦ୍ରୁତ ଗତିରେ ବଢୁଥିବାରୁ ଏଥିରୁ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ଗବେଷଣା ଚାଲିଛି। ମଣିଷ ଜିନୋମ୍‍ ପ୍ରୋଜେକ୍ଟରେ ଆମେରିକୀୟ ଶକ୍ତି ବିଭାଗ ଏବଂ ନ୍ୟାସନାଲ ଇନ୍‍ଷ୍ଟିଚ୍ୟୁଟ ଅଫ୍‍ ହେଲ୍‍ଥ ମିଳିତ ଭାବେ ମଣିଷ ଜିନ୍‍ର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବାରେ ସଫଳ ହୋଇଛନ୍ତି। ଜେନେଟିକ ସାଇନ୍ସରେ ଉଚ୍ଚତର ଗବେଷଣାରୁ ଜିନ୍‍ର ବିସଙ୍ଗତି ଏବଂ ନୂଆ ଜିନ୍‍ ଚିହ୍ନଟ କରିବା ସମ୍ଭବ ହୋଇଥାଏ। ତେଣୁ ଆଧୁନିକ ବିଜ୍ଞାନ ଓ ଚିକିତ୍ସା କ୍ଷେତ୍ରରେ ଜେନେଟିକ୍‍ କାଉନ୍‍ସେଲିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି କ୍ଷେତ୍ରରେ ଗବେଷଣା ଲାଗି ବିକଶିତ ଏବଂ ବିକାଶଶୀଳ ଦେଶଗୁଡିକର ସରକାର ଏବଂ ବେସରକାରୀ ସଂସ୍ଥା ଖୁବ୍‍ ପୁଞ୍ଜିନିବେଶ କରୁଛନ୍ତି। ଭାରତରେ ବାୟୋଟେକ୍‍ନୋଲୋଜି ବିଭାଗ ଜିନ୍‍ଗତ ଗବେଷଣା କାର୍ୟ୍ୟ କରୁଥିବା ବେଳେ କେନ୍ଦ୍ରସରକାର ଏଥିପାଇଁ ଅନୁଦାନ ଯୋଗାଇ ଦେଉଛନ୍ତି।
ଦେଶର ବିଭିନ୍ନ ଭାଗରେ ମଧ୍ୟ ଜିନ୍‍ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଜିନୋମ୍‍ ଡାଇଭର୍ସିଟି (ଜିନ୍‍ରେ ବିବିଧତା), ଆପ୍ଲିକେସନ୍‍ ବିଲ୍‍ଡିଂ ତଥା ନୂଆ ଟେକ୍ନୋଲୋଜି ବିକାଶ ଆଦି ପ୍ରୋଜେକ୍ଟରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏହି ଦିଗରେ ଇଣ୍ଡିଆନ୍‍ କାଉନ୍‍ସିଲ ଅଫ୍‍ ମେଡିକାଲ ରିସର୍ଚ୍ଚ, କାଉନ୍‍ସିଲ ଅଫ୍‍ ସାଇଣ୍ଟିଫିକ୍‍ ଆଣ୍ଡ୍‍ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ଏବଂ ଡିପାର୍ଟମେଣ୍ଟ ଅଫ୍‍ ସାଇନ୍ସ ଆଣ୍ଡ୍‍ ଟେକ୍ନୋଲୋଜି ପରି ସଂସ୍ଥା କାମ କରୁଛନ୍ତି। ଭାରତରେ ବିଭିନ୍ନ ସ୍ଥାନରେ ଏପରି ରୋଗ ଦେଖାଯାଉଛି, ଯେଉଁଥିରେ ଆକ୍ରାନ୍ତ ବ୍ୟକ୍ତି ନିଜେ ଜେନେଟିକ୍‍ କାଉନ୍‍ସେଲିଂ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଏଥିରେ କାଉନ୍‍ସିଲରଙ୍କୁ ଭିନ୍ନଭିନ୍ନ ରିପୋର୍ଟ ଉପରେ ଗବେଷଣା କରିବାକୁ ପଡିଥାଏ।

ପାଠ୍ୟକ୍ରମ ଓ ନିଯୁକ୍ତି
ଜେନେଟିକ୍‍ କାଉନ୍‍ସେଲର ହେବା ପାଇଁ ବାୟୋଟେକ୍ନୋଲୋଜି ଏବଂ ବାୟୋକେମିଷ୍ଟ୍ରୀ ପରି ପାଠ ପଢିବାକୁ ହୋଇଥାଏ। ରୋଗୀଙ୍କ କଥା ଧୈର୍ୟ୍ୟ ସହ ଶୁଣିବା ସହ ନିଜ କଥା ତାଙ୍କୁ ବୁଝାଇ ପାରୁଥିବା ଜରୁରୀ। ଡାକ୍ତରଙ୍କ ପାଖରେ କିମ୍ବା ବାୟୋଟେକ୍ନୋଲୋଜି କମ୍ପାନୀରେ ଜେନେଟିକ୍‍ କାଉନ୍‍ସେଲରଙ୍କୁ ନିଯୁକ୍ତି ମିଳିଥାଏ। ଏହି ପାଠ୍ୟକ୍ରମ ଶେଷ କରିଥିବା କେତେକ ମଧ୍ୟ ଗବେଷଣା ଏବଂ ଶିକ୍ଷାଦାନରେ ନିୟୋଜିତ ହୋଇଥାନ୍ତି। ଲକ୍ଷ୍ନୌରେ ସଞ୍ଜୟ ଗାନ୍ଧୀ ସ୍ନାତକୋତ୍ତର ଆୟୁର୍ବିଜ୍ଞାନ ସଂସ୍ଥାନ, ବେଙ୍ଗାଲୁରୁରେ ସେଣ୍ଟ୍‍ ଜନ୍‍ସ ମେଡିକାଲ କଲେଜ ଏବଂ ଭେଲୋର ବିଶ୍ୱବିଦ୍ୟାଳୟରେ ଜେନେଟିକ୍‍ କାଉନ୍‍ସେଲିଂ ସଂକ୍ରାନ୍ତ ପାଠ୍ୟକ୍ରମ ଶିକ୍ଷା ଦିଆଯାଏ। ଦିଲ୍ଲୀସ୍ଥିତ ଏମ୍‍ସ ଏବଂ ସାର୍‍ ଗଙ୍ଗାରାମ ହସ୍‍ପିଟାଲର ଡାକ୍ତରମାନଙ୍କ ଲାଗି ସ୍ୱଳ୍ପ ସମୟର ଏକ ପାଠ୍ୟକ୍ରମର ବ୍ୟବସ୍ଥା ରହିଛି। ଜେନେଟିକ୍‍ କାଉନ୍‍ସେଲିଂ ପାଠ୍ୟକ୍ରମ ଲାଗି ଲାଇଫ୍‍ ସାଇନ୍‍ସେସ୍‍ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସହ ଏମ୍‍ଏସ୍‍ସି/ ବିଟେକ୍‍/ ଏମ୍‍ଟେକ୍‍ ଡିଗ୍ରୀ ଆବଶ୍ୟକ ହୋଇଥାଏ। ତେବେ ପାଶ୍ଚାତ୍ୟ ଦେଶରେ ଏଥିପାଇଁ ଆବଶ୍ୟକ ଯୋଗ୍ୟତା ଭିନ୍ନ। ପ୍ରାରମ୍ଭିକ ପର୍ୟ୍ୟାୟରେ ଏହି କ୍ଷେତ୍ରରେ ପ୍ରାୟତଃ ୨୦ହଜାର ଟଙ୍କାର ଦରମା ରହିଥିବା ବେଳେ ଅଭିଜ୍ଞତା ହାସଲ କରିବା ପରେ ଏଥିରେ ବୃଦ୍ଧି ହୋଇଥାଏ। ଗବେଷଣା ଆଧାରରେ ମଧ୍ୟ ଦରମା ନିର୍ଦ୍ଧାରଣ କରାଯାଏ।

Comments
Loading...