ଏବେ ନୁହେଁ ତ କେବେ?

ଲିଙ୍ଗଗତ ସମାନତା ହେଉଛି ସମାନ ଦରମା, ଘରୋଇ କାର୍ଯ୍ୟର ସମାନ ବଣ୍ଟନ, ରାଜନୈତିକ ଜୀବନରେ ସମାନ ଅଂଶଗ୍ରହଣ, ମହିଳା ଏବଂ ବାଳିକାଙ୍କ ପ୍ରତି ହେଉଥିବା ସମସ୍ତପ୍ରକାର ହିଂସା ଓ ଯୌନ ଉତ୍ପୀଡ଼ନର ପରିସମାପ୍ତି ଏବଂ ସେମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ସେବା ପାପ୍ତି ସହିତ ଜୀବନର ସମସ୍ତ କ୍ଷେତ୍ରରେ ନିଷ୍ପତ୍ତି ନେବାର ସ୍ୱାଧୀନତା। କୋଫି ଆନନଙ୍କ ଭାଷାରେ, ‘ଲିଙ୍ଗଗତ ସମାନତା ନିଜ ଭିତରେ ଏକ ଲକ୍ଷ୍ୟଠାରୁ ଅଧିକ। ଦାରିଦ୍ର୍ୟ ହ୍ରାସ, ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ଉତ୍ତମ ଶାସନ ଗଠନ ପାଇଁ ଏହା ଏକ ପୂର୍ବ ସର୍ତ୍ତ।’
ମାତ୍ର ଭାରତୀୟ ସମାଜରେ ଲିଙ୍ଗଗତ ଅସମାନତା ବିଶେଷ ଭାବରେ ପରିଦୃଷ୍ଟ ହୋଇଥାଏ। ଏଠାରେ ମହିଳାମାନେ ଉତ୍ତମ କାର୍ଯ୍ୟ ପାଇଁ ଉପଯୁକ୍ତ ପରିବେଶର ଅଭାବ ଅନୁଭବ କରନ୍ତି ଏବଂ ବୃତ୍ତିଗତ ଅସମାନତାର ସାମ୍ନା କରନ୍ତି। ତା’ ସହିତ ମଜୁରିର ତାରତମ୍ୟ ସେମାନଙ୍କର ମୌଳିକ ଅଧିକାରକୁ ମଧ୍ୟ କ୍ଷୁଣ୍ଣ କରିଥାଏ। ଶିକ୍ଷା, ସ୍ୱାସ୍ଥ୍ୟସେବା ଭଳି ମୌଳିକ ଆବଶ୍ୟକତାଠାରୁ ସେମାନଙ୍କୁ ଦୂରେଇ ରଖାଯାଏ। ମହିଳାମାନେ କ୍ରମାଗତ ହିଂସା ଓ ଭେଦଭାବର ଶିକାର ହୁଅନ୍ତି। ରାଜନୈତିକ ସ୍ତରରେ ନେତୃତ୍ୱ ନେବା କ୍ଷେତ୍ରରେ ମହିଳାଙ୍କ ଭାଗୀଦାର ମଧ୍ୟ ସେମିତି ଆଖିଦୃଶିଆ ନୁହେଁ। ପୁନଶ୍ଚ ଅର୍ଥନୈତିକ କ୍ଷେତ୍ରରେ ନିଷ୍ପତ୍ତି ନେବାର କ୍ଷମତା ବି ତାଙ୍କର ନ ଥାଏ। କେତେକ ସଂସ୍କୃତିରେ ମହିଳାମାନଙ୍କର ନିଜ ଶରୀର ଉପରେ ବି ଅଧିକାର ନ ଥାଏ। ପିତୃକୈନ୍ଦ୍ରିକ ସମାଜରେ ପୁରୁଷମାନଙ୍କ ଦ୍ୱାରା ମୁଖ୍ୟତଃ ସେମାନଙ୍କ ଶରୀର ନିୟନ୍ତ୍ରିତ ହୋଇଥାଏ।
ମହିଳାଙ୍କ ସମସ୍ୟା ସମ୍ବନ୍ଧରେ ଅନେକ ସାଧାରଣ ପ୍ରସଙ୍ଗ ଅଛି, ଯାହାକୁ ଆଲୋଚନା କରିବା ଆବଶ୍ୟକ ପଡ଼େ ଏବଂ ଏହା ଲିଙ୍ଗଗତ ଅସମାନତା ପ୍ରସଙ୍ଗକୁ ଆମ ସମୟର ଅନ୍ୟତମ ଜଗତୀକରଣ ପ୍ରସଙ୍ଗ ଭାବରେ ପରିଣତ କରେ। ଲିଙ୍ଗଗତ ଅସମାନତା ମହିଳାଙ୍କ ପ୍ରତି ହେଉଥିବା ହିଂସାର ମୂଳ କାରଣ। ମହିଳାଙ୍କ ପ୍ରତି ହେଉଥିବା ହିଂସାର ଚାରୋଟି ମୁଖ୍ୟ କାରକ ହେଉଛି-୧)ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ସ୍ୱାଭାବିକ୍ ଭାବରେ ଗ୍ରହଣ କରିନେବା ଓ ବେଳେବେଳେ ଅନୁମୋଦନ କରିବା,୨) ନିଷ୍ପତ୍ତି ନେବାରେ ପୁରୁଷଙ୍କ ନିୟନ୍ତ୍ରଣ , ୩) ଜଟିଳ ଲିଙ୍ଗ ନିୟମ ଓ ପରମ୍ପରାଗତ ଧାରଣା,୪) ବ୍ୟକ୍ତିଗତ ଓ ସାର୍ବଜନୀନ ଜୀବନରେ ମହିଳାଙ୍କ ସ୍ୱାଧୀନତାର ସୀମା।
ଲିଙ୍ଗଗତ ଅସମାନତାକୁ ନେଇ କିଛି ଲେଖିବାକୁ ଗଲାବେଳେ ସାମ୍ପ୍ରତିକ କାଳଖଣ୍ଡରେ ବଞ୍ଚୁଥିବା ମହିଳାମାନଙ୍କର ଦୁର୍ବିସହ ଜୀବନର ଚିତ୍ର ଆଖି ସାମ୍ନାରେ ଭାସିଉଠେ। ଖବରକାଗଜର ପୃଷ୍ଠା ଖୋଲିବା ମାତ୍ରେ ହୃଦୟ ଖିନ୍‌ଭିନ୍‌ ହେଲାଭଳି, ବିବେକ କ୍ଷତାକ୍ତ ହେଲାଭଳି ଅଗଣିତ ନିର୍ଯାତିତ ମହିଳାଙ୍କ ଖବର। ଜଠରରୁ ଜୁଇ ପର୍ଯ୍ୟନ୍ତ ଯେକୌଣସି ବୟସରେ, ଯେକୌଣସି ପରିସ୍ଥିତିରେ ମହିଳାଟିଏ ଶୋଷଣର ଶିକାର ହୁଏ ଓ ତା’ର ଅଧିକାର ହରେଇ ବସେ, ସମାଜର ମଧ୍ୟଯୁଗୀୟ ଚଦର ତଳେ ଢାଙ୍କି ହୋଇଯାଏ ତା’ର ସ୍ୱପ୍ନ, ସମ୍ଭାବନା, ତା’ର ସ୍ୱାଧୀନତା ଓ ସ୍ୱଚ୍ଛଳତା। ମାତୃଗର୍ଭରେ ଥିବା କନ୍ୟାଭ୍ରୂଣ ହତ୍ୟାରୁ ହିଁ ଆରମ୍ଭ ହୁଏ ଏହି ନିର୍ଯାତନାର କାହାଣୀ, ଅଧିକାର କ୍ଷୁଣ୍ଣ ହେବାର ଭୟଙ୍କର ଯାତ୍ରା।
ସମ୍ପ୍ରତି ଆମ ଦେଶରେ କନ୍ୟା ସନ୍ତାନଙ୍କ ସ୍ଥିତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପରିସଂଖ୍ୟାନରୁ ଜଣାଯାଏ ୩୫ ଲକ୍ଷରୁ ୪୦ ଲକ୍ଷ ଶିଶୁକନ୍ୟାଙ୍କର ଜନ୍ମହେବା ପୂର୍ବରୁ ମାତୃଗର୍ଭରେ ମୃତ୍ୟୁ ଘଟୁଛି। ଭାରତରେ ମହିଳାଙ୍କ ସଂଖ୍ୟା ୪୮.୨୦% ହୋଇଥିଲାବେଳେ ପୁରୁଷଙ୍କ ସଂଖ୍ୟା ୫୧.୮୦%। ୨୦୧୯ରେ ପ୍ରତି ହଜାରେ ପୁତ୍ର ସନ୍ତାନ ଜନ୍ମ ଅନୁପାତରେ କନ୍ୟା ସନ୍ତାନ ସଂଖ୍ୟା ହେଉଛି ୯୩୦। ୨୦୧୧ ଜନଗଣନା ଅନୁସାରେ ଭାରତରେ ପ୍ରତି ହଜାରେ ପୁତ୍ର ସନ୍ତାନ ଜନ୍ମ ଅନୁପାତରେ ୯୪୦ ଥିଲା କନ୍ୟା ସନ୍ତାନ। ଯଦି ସୌଭାଗ୍ୟବଶତଃ କନ୍ୟାଶିଶୁଟି ଗର୍ଭରେ ମୃତ୍ୟୁମୁଖରୁ ବଞ୍ଚିଗଲା ତେବେ ଜନ୍ମ ପରେ ଅଧିକାଂଶ ପରିବାରର ଅବହେଳା, ଅନାଦର, ଅଯତ୍ନ ଓ କୁପୋଷଣର ଶିକାର ହୋଇ ଅନେକ ଶିଶୁକନ୍ୟା ଜନ୍ମର ପାଞ୍ଚ ବର୍ଷ ମଧ୍ୟରେ ଆଖି ବୁଜି ଦିଅନ୍ତି। ‘ଲାନ୍‌ସେଟ୍‌ ଗ୍ଲୋବାଲ୍ ହେଲ୍‌ଥ’ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ ପ୍ରତିବର୍ଷ ୨,୩୯,୦୦୦ ଶିଶୁ କନ୍ୟା ଜନ୍ମରୁ ୫ ବର୍ଷ ବୟସ ମଧ୍ୟରେ ମୃତ୍ୟୁବରଣ କରନ୍ତି। ପୁନଶ୍ଚ ଯେଉଁ କେତେଜଣ କୈଶୋର ପର୍ଯ୍ୟନ୍ତ ପହଞ୍ଚନ୍ତି ଓ ଶିକ୍ଷାଲାଭର ସୁଯୋଗ ପାଆନ୍ତି, ସେମାନେ ବି ପରିବାରରେ, ବିଦ୍ୟାଳୟରେ ନିରନ୍ତର ପାତରଅନ୍ତରର ସାମ୍ନା କରନ୍ତି। ଖାଇବାରେ, ପୋଷାକ ପରିଧାନ କ୍ଷେତ୍ରରେ, ବିଦ୍ୟାଳୟକୁ ଯିବାରେ, ଚିକିତ୍ସା କ୍ଷେତ୍ରରେ ସବୁଠାରେ ନିଜର ଭାଇ ଅପେକ୍ଷା ତାକୁ ଆଦରଯତ୍ନ କମ୍ ମିଳିଥାଏ। ପୁନଶ୍ଚ ଯେଉଁ ବାଳିକାମାନେ ଶିକ୍ଷାଲାଭରୁ ବଞ୍ଚିତ ହୁଅନ୍ତି, ସେଥିମଧ୍ୟରୁ କିଛି ବାଳିକାଙ୍କୁ ଘର କାମରେ ନିୟୋଜିତ କରାଯାଏ। ଜାତୀୟ ଶିଶୁ ସୁରକ୍ଷା ଆୟୋଗ ଦ୍ୱାରା ୨୦୧୮ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତରେ ୧୫ରୁ ୧୮ବର୍ଷ ବୟସର ୩୯.୪% ବାଳିକା ଅଧାରୁ ସ୍କୁଲ୍ ପଢ଼ା ଛାଡ଼ିଛନ୍ତି। ସେଥିମଧ୍ୟରୁ ୬୪.୮% ଘରକାମ କରିବାକୁ ବାଧ୍ୟ ହେଉଛନ୍ତି କିମ୍ବା ଭିକ୍ଷାବୃତ୍ତିରେ ନିୟୋଜିତ ଅଛନ୍ତି। କିଛି ବାଳିକାଙ୍କୁ ବାଲ୍ୟାବସ୍ଥାରେ ବିବାହ ବନ୍ଧନରେ ବାନ୍ଧି ଦିଆଯାଉଛି ତ ପୁଣି କିଛି ବାଳିକା ବିକ୍ରି ହୋଇଯାଆନ୍ତି, ଘରୋଇ ଚାକରାଣୀ ଭାବରେ କାମ କରିବାକୁ ଓ ବେଶ୍ୟାବୃତ୍ତି ବା ଭିକ୍ଷାବୃତ୍ତିରେ ନିୟୋଜିତ ହେବାକୁ ବିଦେଶକୁ ଚାଲାଣ ହୋଇଯାଆନ୍ତି।
ପରିସଂଖ୍ୟାନ କହେ ୨୦୧୮ ମସିହାରେ ନିଖୋଜ ହୋଇଥିବା ୬୩,୧୩୪ ଶିଶୁଙ୍କ ମଧ୍ୟରୁ ୪୭,୧୯୧ ହେଉଛନ୍ତି ନାବାଳିକା। ଚାଲାଣ ହେଉଥିବା ମହିଳା ଓ ଝିଅଙ୍କ ମଧ୍ୟରୁ ୪୫% ଘରୋଇ କାର୍ଯ୍ୟରେ ନିଯୁକ୍ତ ହେଉଥିଲା ବେଳେ ୨୨% ବେଶ୍ୟାବୃତ୍ତିରେ ନିଯୁକ୍ତ ହେଉଛନ୍ତି। ଆମ ଦେଶରେ ୨୭% ଝିଅ ୧୮ବର୍ଷ ହେବା ପୂର୍ବରୁ ବାଲ୍ୟବିବାହ କରୁଥିବାବେଳେ ୭% ଝିଅ ୧୫ବର୍ଷ ପୂର୍ବରୁ ବିବାହ କରିଥାନ୍ତି। ଯଦି ଏହାକୁ ରୋକିବାକୁ ଏବେଠାରୁ ପ୍ରୟାସ ନ କରାଯାଏ ତେବେ ୨୦୩୦ ସୁଦ୍ଧା ୧୮ବର୍ଷ ବୟସ ହେଲାବେଳକୁ ୧୫୦ନିୟୁତରୁ ଅଧିକ ଝିଅ ବିବାହ କରିବେ। ଏତଦ୍‌ବ୍ୟତୀତ ନାବାଳିକାଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ବି ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ ୧୦୯ ଜଣ ଶିଶୁ ଯୌନ ଶୋଷଣର ଶିକାର ହେଉଛନ୍ତି। ୨୦୧୭ରୁ ୨୦୧୮ ମଧ୍ୟରେ ବିଭିନ୍ନ ଆଶ୍ରୟ ଗୃହରେ ଯୌନ ଶୋଷଣ ୩୦% ବଢ଼ିଛି। ଜାତୀୟ ପରିବାର ସର୍ଭେ ଦ୍ୱାରା ପ୍ରକାଶିତ ରିପୋର୍ଟ ସୂଚାଏ ଯେ ୧୫ରୁ ୪୯ବର୍ଷ ବୟସ ସୀମା ମଧ୍ୟରେ ଭାରତର ୩୦% ମହିଳା ୧୫ବର୍ଷ ବୟସରୁ ଶାରୀରିକ ହିଂସା ଅନୁଭବ କରନ୍ତି। ୧୫ବର୍ଷ ବୟସ ମଧ୍ୟରେ ୬% ଝିଅ ଅତି କମ୍‌ରେ ଥରେ ଯୌନ ଶୋଷଣର ସାମ୍ନା କରନ୍ତି। ବିବାହିତ ମହିଳାଙ୍କ ମଧ୍ୟରୁ ୩୧% ନିଜ ସ୍ୱାମୀଙ୍କ ଦ୍ୱାରା ଶାରୀରିକ, ମାନସିକ ଓ ଯୌନ ହିଂସାର ଶିକାର ହୁଅନ୍ତି। ମହିଳାଙ୍କ ବ୍ୟାପକ ସାମାଜିକ ଓ ଅର୍ଥନୈତିକ ନିର୍ଭରଶୀଳତା ସେମାନଙ୍କ ସ୍ୱାମୀ ତଥା ଅନ୍ୟ ପରିବାର ସଦସ୍ୟଙ୍କ ସହିତ ଏହି ଅସନ୍ତୁଳିତ ସମୀକରଣକୁ ସୂଚିତ କରେ।
ଭାରତର ଜନସଂଖ୍ୟାର ୪୮% ମହିଳା ହୋଇଥିଲେ ବି ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଦ୍ୱାରା ସେମାନେ ଉପଯୁକ୍ତ ଭାବରେ ଉପକୃତ ହୋଇନାହାନ୍ତି। ୮୦% ପୁରୁଷ ସାକ୍ଷରତା ହାର ତୁଳନାରେ ମହିଳା ସାକ୍ଷରତା ହାର ୬୫%। ବିଶ୍ୱର ସର୍ବନିମ୍ନ ମହିଳା ଶ୍ରମିକ ଅଂଶଗ୍ରହଣ ହାର ମଧ୍ୟରେ ଭାରତ ରହିଛି। ୧୫ବର୍ଷ କିମ୍ବା ତଦୂର୍ଦ୍ଧ୍ବ ଏକ-ତୃତୀୟାଂଶରୁ କମ୍ ମହିଳା କାର୍ଯ୍ୟରେ ନିୟୋଜିତ ଅଛନ୍ତି ବା ସକ୍ରିୟ ଭାବରେ କାର୍ଯ୍ୟ ଖୋଜୁଛନ୍ତି। ବିଶ୍ୱ ବ୍ୟାଙ୍କ୍ ସର୍ବେକ୍ଷଣରୁ ଜଣାଯାଏ ଯେ ୨୦୧୮ରେ ଭାରତରେ କର୍ମଜୀବୀ ମହିଳାଙ୍କ ସଂଖ୍ୟା ଥିଲା ମାତ୍ର ୨୬%। ୨୦୦୦ରୁ ୨୦୦୫ ମଧ୍ୟରେ ଏହି ସଂଖ୍ୟା ୩୪%ରୁ ୩୭%କୁ ବୃଦ୍ଧି ପାଇଥିଲା ବେଳେ ୨୦୧୮ ସୁଦ୍ଧା ଏହା ୨୬%କୁ ଖସି ଆସିଛି। ଯଦି ଏହି ହାର ୧୦ ପ୍ରତିଶତ ବଢ଼େ ତେବେ ୦.୩ ପ୍ରତିଶତ ଜି.ଡ଼ି.ପି ଅଭିବୃଦ୍ଧିରେ ସହାୟକ ହୋଇପାରିବ। ୨୦୧୧ ଜନଗଣନା ଅନୁସାରେ ଗ୍ରାମାଞ୍ଚଳରେ କାମ କରୁଥିବା ପୁରୁଷ ଓ ମହିଳାଙ୍କ ମଧ୍ୟରେ ୩୦ ପ୍ରତିଶତ ପାର୍ଥକ୍ୟ ରହିଥିଲା ବେଳେ ସହରାଞ୍ଚଳରେ ଏହି ତାରତମ୍ୟ ହେଉଛି ୪୦ ପ୍ରତିଶତ।
ବିଶ୍ୱ ଆର୍ଥିକ ଫୋରମ୍ ପକ୍ଷରୁ ୧୫୩ଟି ରାଷ୍ଟ୍ରକୁ ନେଇ ପ୍ରସ୍ତୁତ କରାଯାଇଥିବା ଲିଙ୍ଗଗତ ବୈଷମ୍ୟ ସୂଚକାଙ୍କ-୨୦୨୦ରେ ପ୍ରକାଶ ପାଇଛି ଯେ ୨୦୧୮ ମସିହାରେ ୧୦୮ତମ ସ୍ଥାନରେ ଥିବା ଭାରତ ୨୦୧୯ରେ ୧୧୨ତମ ସ୍ଥାନକୁ ଖସିଆସିଛି। ଏହାର ଅର୍ଥ ଭାରତରେ ଲିଙ୍ଗ ବୈଷମ୍ୟ ବୃଦ୍ଧି ପାଇଛି। ଚାରୋଟି ମାପଦଣ୍ଡର ଆଧାରରେ ଏହା ପ୍ରସ୍ତୁତ କରାଯାଇଛି। ସେଗୁଡ଼ିକ ହେଲା:୧-ଆର୍ଥିକ କ୍ଷେତ୍ରରେ ଅଂଶଗ୍ରହଣ ଓ ସେଥିପାଇଁ ଉପଲବ୍ଧ ସୁଯୋଗ, ୨-ଉପଲବ୍ଧ ସ୍ୱାସ୍ଥ୍ୟ ସେବା ସୁବିଧା ଓ ଆୟୁକାଳ, ୩-ଶିକ୍ଷାଲାଭର ସୁଯୋଗ ଏବଂ ୪-ରାଜନୈତିକ ସଶକ୍ତୀକରଣ। ଆର୍ଥିକ ଦୃଷ୍ଟିକୋଣରୁ ଭାରତରେ ଲିଙ୍ଗଗତ ବୈଷମ୍ୟର ମାତ୍ରା ଖୁବ୍ ଅଧିକ। ଏହି ତାଲିକାରେ ଭାରତ ୧୪୯ତମ ସ୍ଥାନରେ ରହିଥିବା ବେଳେ ସମାନ କାର୍ଯ୍ୟ ଲାଗି ସମାନ ମଜୁରି ପ୍ରଦାନରେ ଏହା ୧୧୭ତମ ଏବଂ ପୁରୁଷ-ମହିଳା ଶିକ୍ଷାଲାଭ ବୈଷମ୍ୟରେ ଏହା ୧୨୨ତମ ସ୍ଥାନରେ ରହିଛି। ୱାର୍ଲଡ ଇକୋନୋମିକ ଫୋରମ୍‌ର ସଦ୍ୟତମ ‘ଗ୍ଲୋବାଲ୍ ଜେଣ୍ଡର୍ ଗ୍ୟାପ୍’ ରିପୋର୍ଟ ଅନୁଯାୟୀ ଲିଙ୍ଗଗତ ସମାନତାରେ ପହଂଚିବାକୁ ଆହୁରି ୧୦୮ବର୍ଷ ଲାଗିବ।
ଲିଙ୍ଗଗତ ସମାନତା କେବଳ ମହିଳାଙ୍କ ବିଷୟ ନୁହେଁ, ଏହା ପୁରୁଷ ଓ ବାଳକଙ୍କ ବିଷୟ ବି। ଆମର ପୁଅମାନଙ୍କୁ ଶିକ୍ଷା ଦେବା ଜରୁରୀ ଯେ ଲିଙ୍ଗଭେଦକୁ ନେଇ ସମାଜର ଯୌକ୍ତିକ ଚିନ୍ତାଧାରା ଓ ମାନସିକତା ଗ୍ରହଣୀୟ ନୁହେଁ। ସେମାନେ ଏଭଳି ଦୁନିଆରେ ବଞ୍ଚନ୍ତୁ ଯେଉଁଠାରେ ମହିଳାଙ୍କ ପ୍ରତି ସମ୍ମାନ ଥିବ। ଏକ ସମାଜ ପ୍ରକୃତ ଅର୍ଥରେ ପ୍ରଗତିଶୀଳ ହେବାପାଇଁ ଆମକୁ ଏକ ହୋଇ ଭାବିବା ଆବଶ୍ୟକ। ଜାତିସଂଘର ପୂର୍ବତନ ମହାସଚିବ ବାନ୍ କି-ମୁନ୍ କହିଥିଲେ, ‘ଲିଂଗଗତ ସମାନତା ହାସଲ ପାଇଁ ମହିଳା, ପୁରୁଷ, ବାଳିକା ଏବଂ ବାଳକମାନଙ୍କର ଯୋଗଦାନ ଆବଶ୍ୟକ। ଏହା ସମସ୍ତଙ୍କର ଦାୟିତ୍ୱ।’
ଶିଶୁମାନଙ୍କର ଲିଙ୍ଗ ନିରପେକ୍ଷ ପ୍ରତିପୋଷଣକୁ ସମର୍ଥନ ଓ ପ୍ରୋତ୍ସାହିତ କରିବା ଆଜିର ସମୟରେ ଅତ୍ୟନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି। ଏହି ସଂକଳ୍ପ ମୁଁ ପ୍ରଥମେ ନିଜଠାରୁ ଆରମ୍ଭ କରିବାକୁ ଚାହୁଁଛି ଏବଂ ଆମେ ସମସ୍ତେ ଏହି ପରିବର୍ତ୍ତନର ସ୍ରୋତରେ ସାମିଲ୍ ହୋଇ ନିଜକୁ ପଚାରିବାର ବେଳ ଆସିଛି: ମୁଁ ନୁହେଁ ତ କିଏ? ଏବେ ନୁହେଁ ତ କେବେ?

ଗାୟତ୍ରୀବାଳା ପଣ୍ଡା

ଫ୍ଲାଟ୍ ନଂ-୮୦୪, ଟାୱାର-୩, ବିପୁଲ୍ ଗାର୍ଡ଼େନ୍ସ,
ଘାଟିକିଆ, ଭୁବନେଶ୍ୱର-୭୫୧୦୦୩

Comments are closed.