ସମାନତାର ସମୀକ୍ଷା

ନାରୀ ସଶକ୍ତୀକରଣର ଡିଣ୍ଡିମ ସବୁଆଡେ ପିଟାଚାଲିଛି l ହଉ ନାରୀ ସଶକ୍ତ, ଭଲ କଥା l ନାରୀ ସଶକ୍ତ ଏବଂ ସ୍ୱାଧୀନ ହେଲେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ମାନବଜାତି ତଥା ରାଷ୍ଟ୍ରର ଉନ୍ନତିରେ ସହାୟକ ହୋଇପାରିବ l ନାଗରିକ ମୂଲ୍ୟବୋଧ ଅନୁଯାୟୀ ଉଭୟ ନାରୀ ଓ ପୁରୁଷଙ୍କୁ ସମାନ ଅଧିକାର ଦିଆଯାଇଛି ; ତଥାପି ନାରୀ ପୁରୁଷ ସହିତ ସମାନତା ଚାହୁଁଛି କ’ଣ ପାଇଁ?
ନାରୀ; ସେ ସ୍ୱତନ୍ତ୍ର l ପୁରୁଷଠାରୁ ସବୁ ଦିଗରେ ଭିନ୍ନ l ନାରୀର ଚେତନା, ଭାଷା ପୁରୁଷଠାରୁ ସମ୍ପୂର୍ଣ୍ଣ ନିଆରା l ମମତା, ପ୍ରେମ, ସ୍ନେହର ଆଧାର ନାରୀ l ପୁରୁଷ ସହିତ ସମକକ୍ଷ ହେବାର ଆବଶ୍ୟକତା ହିଁ କ’ଣ ରହିଛି !!
ନାରୀ ଏବଂ ପୁରୁଷ ଭିନ୍ନ ହେଲେ ହିଁ ଆକର୍ଷଣ ସମ୍ଭବ l ଜଣେ ନାରୀ ପୁରୁଷ ଭଳି ବ୍ୟବହାର କଲେ, ପୁରୁଷ କଦାପି ତାଙ୍କୁ ପସନ୍ଦ କରେ ନାହିଁ l ପୁରୁଷମାନେ ଏଭଳି ନାରୀଙ୍କ ସହିତ ବନ୍ଧୁତ୍ୱ ସ୍ଥାପନ କରିବାକୁ ଭଲ ପାଆନ୍ତି କିନ୍ତୁ ବାସ୍ତବତା ଏହା ଯେ, ତାଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରିବାରେ ଆଦୌ ଇଚ୍ଛା ପ୍ରକାଶ କରନ୍ତି ନାହିଁ l ବିବାହ ପାଇଁ ସେମାନେ ଶାନ୍ତ, ନମ୍ର, ଲଜ୍ଜାଶୀଳା, ସୁଶୀଳ ନାରୀଟିଏର ହିଁ ସର୍ବଦା ସ୍ବପ୍ନ ଦେଖିଥାନ୍ତି l
ତେଣୁ ନାରୀ ପୁରୁଷଠାରୁ ନିଜର ଭିନ୍ନତା ଆବିଷ୍କାର କରୁ l ସେହି ଭିନ୍ନତା ଯଦି ଅଦୃଶ୍ୟ ହୋଇଯାଏ, ତେବେ ଏ ପୃଥିବୀରେ ସୃଷ୍ଟି ମଧ୍ୟ ଅସମ୍ଭବ !
ପ୍ରାଚୀନ କାଳରେ ନାରୀକୁ ବସ୍ତୁ ଭଳି ବ୍ୟବହାର କରାଯାଉଥିଲା l ଏପରିକି ନାରୀକୁ ହତ୍ୟା (ସତୀପ୍ରଥା ) କଲେ ମଧ୍ୟ କିଛି ଦୋଷ ଧରାଯାଉ ନ ଥିଲା; କିନ୍ତୁ ସମୟକ୍ରମେ ସମାଜରେ ପରିବର୍ତ୍ତନ ଆସିଲା ଏବଂ ଧୀରେ ଧୀରେ ସବୁ କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂରେଇଗଲା l ନାରୀ ତା’ର ମର୍ଯ୍ୟାଦା ପାଇଲା, ପ୍ରତିଷ୍ଠିତ ହେଲା l ହେଲେ ବର୍ତ୍ତମାନ ଏତେ ସମ୍ମାନର ଅଧିକାରିଣୀ ହେଲା ପରେ ବି ପୁଣି ସେ ଚାହୁଁଛି ଯେ ସେ ପୁରୁଷ ସହିତ ସମାନ ହଉ l ପୁରୁଷ ଭଳି ହେବା, ପୁରୁଷକୁ ପ୍ରାଧାନ୍ୟ ଦିଆଯିବା ନୁହେଁ କି? ପୁରୁଷ ଭଳି ହବ ! ଅର୍ଥାତ, ତା’ର କ’ଣ କିଛି ସ୍ୱତନ୍ତ୍ରତା ନାହିଁ ! ନାରୀ ଏକ ଭିନ୍ନ ଚରିତ୍ର ରୂପେ ନିଜର ପ୍ରମୁଖତା ବଜାୟ ରଖୁନାହିଁ କାହିଁକି?
ଯଦି ନାରୀଟିଏ ପୁରୁଷ ଭଳି ଆଚରଣ କରୁଛି, ତା ଭଳି ପୋଷାକ ପିନ୍ଧୁଛି ତାହା ଗ୍ରହଣୀୟ l ସମସ୍ତେ ତାକୁ ବାଃ ବାଃ କରିବାକୁ ଥକିଯାଉନାହାନ୍ତି। ଅପରପକ୍ଷେ ପୁରୁଷଟିଏ ଯଦି ନାରୀ ବେଶ ହେଲା, ତା’ ଭଳି ଆଚରଣ କଲା ତାକୁ ତାଚ୍ଛଲ୍ୟ କରି ଛି ଛାକର କରାଯାଉଛି। ଏଥିରୁ କ’ଣ ଜଣାପଡ଼ୁନାହିଁ ଯେ ଏବେ ବି ସମାଜରେ ପୁରୁଷ ହେବା ହିଁ ଶ୍ରେଷ୍ଠ ଏବଂ ନାରୀ ହେବା ହୀନ କିମ୍ବା ଦୋଷ !
ଏ ତ ଗଲା ନାରୀ ପୁରୁଷ ସହିତ ସମାନ ହେବା କଥା l ଏବେ ଦେଖାଯାଉ କିଭଳି ଏବଂ କେଉଁ ପରିସ୍ଥିତିରେ ନାରୀ ପୁରୁଷ ସହିତ ତା’ର ସମାନତାକୁ ଉପେକ୍ଷା କରେ; ବରଂ ଖୁସି ହୁଏ ଯେ ସେ ପୁରୁଷଠାରୁ ଭିନ୍ନ l
ଯେତେବେଳେ ଜଣେ ନାରୀ କିଛି ଭୁଲ କରିଥାଏ ଏବଂ ସେହି ଭୁଲ ପାଇଁ ଦଣ୍ଡିତ ହେବାର ସମୟ ଆସେ, ସେ ଏଭଳି କିଛି ଯୁକ୍ତି କରିବସେ, ‘ ଦୟାକରି ମୋତେ ଛାଡ଼ିଦିଅନ୍ତୁ’; ‘ମୁଁ ଜଣେ ମହିଳା ଅସହାୟ, ଅବଳା, ଦୁର୍ବଳା, ମୋର ଅନେକ ଅସୁବିଧା ଅଛି ଜୀବନରେ ସେଥିପାଇଁ ମୋର ଏଇ ଭୁଲ’ ଇତ୍ୟାଦି। ସେଇ ସମୟରେ ନାରୀମାନେ କାହିଁକି ପୁରୁଷ ଭଳି ଦଣ୍ଡ ପାଇବାକୁ ରାଜି ହଉନାହାନ୍ତି? ନିଜ ନାରୀତ୍ୱକୁ ଢାଲ କରି ଖସିଯିବାକୁ କାହିଁକି ଉଦ୍ୟତ ହଉଛନ୍ତି?
କାହିଁକି ସବୁବେଳେ ପୁରୁଷଟିଏ ହିଁ ବସ୍‌ରେ କିମ୍ବା ରେଳରେ ମହିଳାଟିଏ ପାଇଁ ଆସନ ଛାଡ଼ିବ ! ମାନବିକତା ଦୃଷ୍ଟିରୁ ନାରୀ କ’ଣ ନିଜ ସ୍ଥାନରୁ ଉଠି କେବେ ପୁରୁଷକୁ ଆସନଟିଏ ଯାଚିପାରିବ ନାହିଁ? ନା ସେ ଦୁର୍ବଳ ସେଥିପାଇଁ; ସେ ହିଁ ସବୁବେଳେ ସୁବିଧା ଓ ସୁଯୋଗକୁ ଅପେକ୍ଷା କରି ବସିଥିବ! “ପ୍ରଥମେ ମହିଳା’’ର ଏ ସ୍ଲୋଗାନ କାହିଁକି? ନାରୀ କଣ ଏତେ ଅସହାୟ , ଧୈର୍ଯ୍ୟହୀନା! ନାରୀ କାହିଁକି ପୁରୁଷକୁ ନିଜଠାରୁ ଆଗ ଧାଡିରେ ଯିବାକୁ ଅନୁମତି ଦେବନାହିଁ? କାହିଁକି ନିଜେ ଯାଇ ପୁରୁଷକୁ ଚଉକିଟିଏ କାଢ଼ି ବସିବାକୁ ଅନୁଗ୍ରହ କରିପାରିବ ନାହିଁ? ଏଇଠି ବି ନାରୀ ପୁରୁଷ ସହିତ ସମାନ ହଉ l
ନାରୀ ନିଜ ଅଧିକାର ପାଇଁ ଲଢ଼ିବା ଠିକ, କିନ୍ତୁ ଯେଉଁଠି କୌଣସି ଅସୁବିଧାକୁ ସାମ୍ନା କରିବାର ସମୟ ଆସୁଛି, ସେଇଠି ସେ ନିଜ ଭୁଲ ବୁଝି ତା’ର ପ୍ରତିକାର କରୁ l ଏବେ ନାରୀ ସବୁ କ୍ଷେତ୍ରରେ ଆଗୁଆ, ସବୁ ବିଦ୍ୟାରେ ପାରଙ୍ଗମ l ତେଣୁ ତାକୁ ପୁରୁଷ ସହିତ ସମାନ ହେବାର ଆବଶ୍ୟକତା ହିଁ ନାହିଁ। ସେ ତା ସ୍ଥାନରେ ମହୀୟସୀ; ସମ୍ମାନ ଓ ପ୍ରଶଂସାର ଅଧିକାରିଣୀ l ନିଜର ସାମର୍ଥ୍ୟକୁ ଚିହ୍ନି, ନିଜକୁ ଦକ୍ଷ ବୋଲି ପ୍ରମାଣିତ କଲେ, ପୁରୁଷ ସହିତ ତା’ର ସମାନତାର ତୁଳନା ଆଉ କରିବାକୁ ଦରକାର ହେବ ନାହିଁ l ପୁରୁଷ କ’ଣ ସମଗ୍ର ମାନବଜାତି ତା’ର ପ୍ରଶଂସାରେ ଶତମୁଖ ହେବେ। ଏହା ହିଁ ନାରୀର ପ୍ରକୃତ ପରିଚୟ l
ନାରୀ ସେଦିନ ପୁରୁଷ ସହିତ ସମାନ ହେବ, ଯେଉଁଦିନ ପ୍ରତ୍ୟେକ କ୍ଷେତ୍ରରେ ସେ କାହାଠାରୁ ଦୟା କିମ୍ବା କ୍ଷମା ଭିକ୍ଷା ନ କରି ନିଜ ଅଧିକାରକୁ ସାବ୍ୟସ୍ତ କରିବାର କ୍ଷମତା ରଖିବ l ସେୟା ହିଁ ହେବ ତା’ର ପ୍ରକୃତ ସମାନତା ଅଧିକାର l

ଶ୍ରୁତକୀର୍ତ୍ତି ତ୍ରିପାଠୀ
ଭୁବନେଶ୍ବର
ଦୂରଭାଷ:୬୩୭୦୫୧୬୪୭୮

Comments
Loading...