ବିଧାନସଭା ଅଧିବେଶନ ଡାକିବାକୁ ରାଜ୍ୟପାଳଙ୍କୁ ଗେହଲଟଙ୍କ ନୂଆ ପ୍ରସ୍ତାବ : ଆସ୍ଥା ଭୋଟ ନୁହେଁ ହେବ କରୋନା ଆଲୋଚନା 

ଜୟପୁର : ଜୁଲାଇ ୩୧ରୁ ବିଧାନସଭା ଅଧିବେଶନ ଡାକିବା ଲାଗି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ନୂଆ ପ୍ରସ୍ତାବ ଦେଇଥିବା ରାଜଭବନ ସୂତ୍ରରୁ ପ୍ରକାଶ। ରାଜ୍ୟ କ୍ୟାବିନେଟ ପକ୍ଷରୁ ଶନିବାର ବିଳମ୍ବିତ ରାତ୍ରିରେ ଦିଆଯାଇଥିବା ନୂଆ ପ୍ରସ୍ତାବରେ ଅଧିବେଶନ ଡାକିବାର କାରଣ ଆସ୍ଥା ଭୋଟ ନୁହେଁ। ଆସ୍ଥା ଭୋଟ ପରିବର୍ତ୍ତେ ରାଜ୍ୟରେ କରୋନା ମହାମାରୀସ୍ଥିତି ବିଷୟରେ ଆଲୋଚନା ଲାଗି ଏପରି ଅଧିବେଶନର ଆବଶ୍ୟକତା ଥିବା ପ୍ରସ୍ତାବରେ ରାଜ୍ୟପାଳଙ୍କୁ ନିବେଦନ କରାଯାଇଛି। ଏହା ପୂର୍ବରୁ ଶୁକ୍ରବାର ରାଜ୍ୟ ସରକାର ବିଧାନସଭା ଅଧିବେଶନ ଡାକିବାକୁ ପ୍ର୍ରସ୍ତାବ ଦେଇଥିବା ବେଳେ ରାଜ୍ୟପାଳ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଏହି ପ୍ରସ୍ତାବରେ ବିଧାନସଭା ଅଧିବେଶନ ଡାକିବା ନେଇ କୌଣସି କାରଣ ଓ ସମୟ ଉଲ୍ଲେଖ କରାଯାଇ ନଥିଲା। ପ୍ରାୟ ୬ଟି କାରଣ ଦର୍ଶାଇ ରାଜ୍ୟପାଳ ଏହାକୁ ଅଗ୍ରାହ୍ୟ କରିଥିଲେ। ପରେ ରାଜ୍ୟପାଳ ବିଧାନସଭା ଅଧିବେଶନ ଡାକିବା ନେଇ ନୂଆ ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ।

ବିଧାନସଭା ଅଧିବେଶନ ଡାକିବା ଦାବିରେ କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ କରାଯିବା ଯୋଜନା କରାଯାଇଛି। କଂଗ୍ରେସର ଏହି ଯୋଜନାକୁ ଦେଖି ରାଜ୍ୟପାଳ ରାଜଭବନର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ରାଜପାଳ ଶ୍ରୀ ମିଶ୍ର ମୁଖ୍ୟ ଶାସନ ସଚିବ ରାଜୀବ ସ୍ୱରୂପ ଓ ପୁଲିସ ମହାନିର୍ଦେଶକ ଭୂପେନ୍ଦ୍ର ଯାଦବଙ୍କ ସହିତ ରାଜଭବନର ସୁରକ୍ଷା ବିଷୟରେ ଆଲୋଚନା କରିଛନ୍ତି। ଆଲୋଚନା ପରେ ରାଜଭବନର ସୁରକ୍ଷା ବ୍ୟବସ୍ଥାକୁ ଦୃଢ କରାଯାଇଛି।

ବିଧାନସଭା ଅଧିବେଶନ ଡାକିବା ନେଇ ରାଜସ୍ଥାନ ସରକାରଙ୍କ ପ୍ରସ୍ତାବକୁ ରାଜ୍ୟପାଳ ଅଗ୍ରାହ୍ୟ କରିବାକୁ କଂଗ୍ରେସ ସମାଲୋଚନା କରିଛି। କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି କହିଛନ୍ତି ଯେ ରାଜ୍ୟପାଳ ମନ୍ତ୍ରୀ ପରିଷଦର ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିବାକୁ ବାଧ୍ୟ; ମାତ୍ର ରାଜ୍ୟପାଳ କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ କାର୍ଯ୍ୟ କରୁଛନ୍ତି। ଏହାଦ୍ୱାରା ରାଜ୍ୟପାଳ ଭଳି ସାମ୍ବିଧାନିକ ପଦର ମର୍ଯ୍ୟାଦା ହାନି ହେଉଛି। ସେହିପରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାରତର ଗଣତନ୍ତ୍ର ଦେଶବାସୀଙ୍କ ସ୍ୱର ଓ ସମ୍ବିଧାନ ଆଧାରରେ ଚାଲିବ। ଦେଶବାସୀ ବିଜେପିର ଷଡଯନ୍ତ୍ରରୁ ଗଣତନ୍ତ୍ର ଓ ସମ୍ବିଧାନକୁ ନିଶ୍ଚିତ ରକ୍ଷା କରିବେ।

ଅନ୍ୟପଟେ ରାଜସ୍ଥାନ ରାଜନୀତି ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ବହିଷ୍କୃତ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମେତ ୧୯ ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତି ସିପି ଜୋଷୀ ଜାରି କରିଥିବା ବହିଷ୍କାର ନୋଟିସ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ପୂର୍ବରୁ ରାଜସ୍ଥାନ ହାଇକୋର୍ଟ ବିଦ୍ରୋହୀ ବିଧାୟକଙ୍କ ଉପରେ ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥିତାବସ୍ଥା ଜାରି କରିଥିଲେ। ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ସମ୍ପର୍କିତ ବାଚସ୍ପତିଙ୍କ ନୋଟିସ ମାମଲାରେ କେନ୍ଦ୍ର ସରକାର ପକ୍ଷଭୁକ୍ତ ହୋଇଛନ୍ତି। ଅଯୋଗ୍ୟ ଘୋଷଣା ନୋଟିସରେ ପାଇଲଟଙ୍କ ଗୋଷ୍ଠୀ ପକ୍ଷରୁ ସମ୍ବିଧାନ ଅନୁଚ୍ଛେଦ ୧୦ର ବୈଧତାକୁ ଚାଲେଞ୍ଜ କରାଯାଇଛି। ତେଣୁ ଏଥିରେ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରିବାକୁ ପାଇଲଟ ଗୋଷ୍ଠୀ ଆବେଦନ କରିଥିବାବେଳେ ହାଇକୋର୍ଟ ଏହାକୁ ଅନୁମତି ଦେଇଛନ୍ତି। ଏହା ଉପରେ ମଧ୍ୟ ସୁପ୍ରିମକୋର୍ଟ ଶୁଣାଣି କରିବେ।

Comments are closed.