ସିବିଆଇ ବାଟ କିଳିଲେ ଗେହଲଟ; ରାଜ୍ୟ ସରକାରଙ୍କ ବିନା ଅନୁମତିରେ କରିପାରିବ ନାହିଁ ଯାଞ୍ଚ

ରାଜସ୍ଥାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ସଚିନ ପାଇଲଟ ରାଜ୍ୟ ସରକାରଙ୍କ ନାକରେ ଷଣ୍ଢୁଆସୀ ଭର୍ତି କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିଦ ହଜି ଯାଇଛି । ପାଇଲଟଙ୍କୁ ନିଜ ମନକୁ ଯାହା ଆସୁଛି ତାହା ଗାଳି କରୁଛନ୍ତି । ଏହି ସ୍ଥିତିରେ ରାଜସ୍ଥାନ ଅଡ଼ିଓ ଟେପ ମାମଲାରେ ସିବିଆଇ ତଦନ୍ତ ପ୍ରକ୍ରିୟା ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସିବିଆଇ ନିମନ୍ତେ ବାଟ କିଳି ଦେଇଛନ୍ତି । ରାଜସ୍ଥାନ ସରକାରଙ୍କ ବିନା ଅନୁମତିରେ ସିବିଆଇ ରାଜ୍ୟରେ କୌଣସି ମାମଲାର ଯାଞ୍ଚ କରିପାରିବ ନାହିଁ ବୋଲି ନିର୍ଦେଶ ଜାରି କରିଛନ୍ତି । ଏ ସମ୍ପର୍କରେ ରାଜସ୍ଥାନ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

କିଛିଦିନ ପୂର୍ବରୁ ଗେହଲଟଙ୍କ ପୁଅ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା । ଏପରି ସମୟରେ ସଚିନ ପାଇଲଟ ବିଦ୍ରୋହ କରିଥିଲେ ଓ ଦଳର ୧୯ ବିଧାୟକ କଂଗ୍ରେସ ସରକାରକୁ ସମର୍ଥନ ନ କରି ରାଜ୍ୟ ବାହାରକୁ ଚାଲି ଯାଇଥିଲେ । ଏମାନେ ଏବେ ବି ହରିଆଣାରେ ଅଛନ୍ତି । ସେମାନଙ୍କ ବିରୋଧରେ ଗେହଲଟ କାର୍ଯ୍ୟାନୁଷ୍ଠାନ ଧମକ ଦେଇଛନ୍ତି । ବିଧାନସଭା ବାଚସ୍ପତି ମଧ୍ୟ ନୋଟିସ ଜାରି କରିଛନ୍ତି । ପାଇଲଟଙ୍କୁ ଦଳର ରାଜ୍ୟ ସଭାପତି ଓ ଉପମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଛି । ୨ ମନ୍ତ୍ରୀଙ୍କୁ ସରକାରରୁ ବାଦ ଦିଆଯାଇଛି, ୨ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ଏହି ସମୟରେ ଗେହଲଟ କେନ୍ଦ୍ର ସରକାର ରାଜନୈତିକ ସ୍ବାର୍ଥ ନିମନ୍ତେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିଗୁଡ଼ିକୁ ବ୍ୟବହାର କରୁଥିବା ଅଭିଯୋଗ କରି ସିବିଆଇ ନିମନ୍ତେ ବାଟ ବନ୍ଦ କରିଛନ୍ତି ।

ସୂଚନାଯୋଗ୍ୟ ଯେ ରାଜସ୍ଥାନ ପୂର୍ବରୁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତତକାଳୀନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍.ଚନ୍ଦ୍ରବାବୁ ନାଇଡ଼ୁ ଓ ଛତିଶଗଡ଼ ସରକାର ସିବିଆଇ ଯାଞ୍ଚ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହି ରାଜ୍ୟଗୁଡ଼ିକରେ କୌଣସି ମାମଲାର ତଦନ୍ତ ନିମନ୍ତେ ପ୍ରଥମେ ରାଜ୍ୟ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ ଓ ଏହାପରେ ତଦନ୍ତ କରାଯାଇ ପାରିବ ।

Comments are closed.