ଜିଡିପିରେ କରୋନା ମାଡ: ଭାଙ୍ଗିଲା ୪୦ ବର୍ଷର ରେକର୍ଡ ; ପ୍ରଥମ ତ୍ରୈମାସ​‌ରେ​‌ ଅଭିବୃଦ୍ଧି ୨୩.୯% ଖସିଲା

ନୂଆଦିଲ୍ଲୀ : କରୋନା ମହାମାରୀର ବଡ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡିଛି । ଏଥର ​‌ମୋଟ ଘରୋଇ ଉତ୍ପାଦ (ଜିଡିପି) ଉପରେ ହୋଇଛି କରୋନା ମାଡ। ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲ-ଜୁନ୍‌)ରେ ଦେଶର ଜିଡିପି ଅଭିବୃଦ୍ଧି ହାର ୨୩.୯% ଖସିଛି । ଜାତୀୟ ପରିସଂଖ୍ୟାନ କାର୍ୟ୍ୟାଳୟ (ସିଏସ୍‌ଓ) ପକ୍ଷରୁ ପ୍ରକାଶିତ ତଥ୍ୟରୁ ଏହା ଜଣାଯାଇଛି । ତେବେ ଜିଡିପିରେ ଏହି ହ୍ରାସ ଦ୍ବାରା ବିଗତ ୪୦ ବର୍ଷର ରେକର୍ଡ ଭଙ୍ଗ ହୋଇଛି ।

ଆଜି ସାର୍ବଜନୀନ ହୋଇଛି ଦେଶର ଜିଡିପି ଅଭିବୃଦ୍ଧି ହାର ସମ୍ପର୍କିତ ରି​‌ପୋର୍ଟ। ମହାମାରୀ କରୋନା ପାଇଁ ଦେଶରେ ଲାଗୁ କରାଯାଇଥିବା କଟକଣାର ସଂଘାତିକ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡିଛି । ୨୦୧୯-୨୦ ଆର୍ଥିକବର୍ଷର ପ୍ରଥମ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୩୫.୩୫ ଲକ୍ଷ ​କୋଟି ଟଙ୍କାରୁ ୨୦୨୦-୨୧ ଆର୍ଥିକବର୍ଷର ପ୍ରଥମ ତ୍ରୈମାସରେ ଏହା ୨୬.୯୦ ଲକ୍ଷ ​କୋଟି ଟଙ୍କାକୁ ହ୍ରାସ ପାଇଥିବା କେନ୍ଦ୍ର ପରିସଂଖ୍ୟାନ ଓ କାର୍ୟ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ପକ୍ଷରୁ ଜାରି ସିଏସ୍‌ଓ ରିପୋର୍ଟରେ କୁହାଯାଇଛି । ବିଗତ ୪୦ ବର୍ଷରେ ଜିଡିପିରେ ଏହା ରେକର୍ଡ ହ୍ରାସ । ଶେଷ ଥର ପାଇଁ ୧୯୯୬ରେ ଜିଡିପି ଅଭିବୃଦ୍ଧିରେ ଏତେ ମାତ୍ରାରେ ହ୍ରାସ ଘଟିଥିଲା । ଏହାପରଠାରୁ ଅଭିବୃଦ୍ଧି ଏତେ ମାତ୍ରାରେ କେବେ ବି ଖସି ନ ଥିଲା । ଗତ ଆର୍ଥକବର୍ଷରେ ଦେଶର ଅର୍ଥନୀତିରେ ମୋଟ ୫% ଅଭିବୃଧ୍ଦି ଘଟିଥିଲା । ସେହିଭଳି ୨୦୧୯-୨୦ ଆର୍ଥିକବର୍ଷର ଚତୁର୍ଥ ତ୍ରୈମାସରେ ଅଭିବୃଦ୍ଧି ହାର ୩.୧% ରହିଥିଲା । ତେବେ ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୈମାସରେ ଜିଡିପିରେ ହୋଇଥିବା ଏହି ହ୍ରାସ ପାଇଁ କେତେକ ପ୍ରମୁଖ କାରକକୁ ଦାୟୀ କରାଯାଇଛି । ବିଶେଷକରି ନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ହାର ୫୦% କମିଥିବାବେଳେ ହୋ​‌ଟେଲ ଶିଳ୍ପରେ ଏହା ୪୭% ହ୍ରାସ ଘଟିଛି ।​‌ ସେହିଭଳି ଉତ୍ପାଦନ ଶିଳ୍ପରେ ଅଭିବୃଦ୍ଧି ୩୯,.୩% ହ୍ରାସ ଘଟିଥିବାବେଳେ ଖଣିଜ କ୍ଷେତ୍ର ୨୩.୩% ଖସିଛି । କରୋନା ସମୟରେ କେବଳ କୃଷି କ୍ଷେତ୍ରରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ଏହି ପ୍ରଥମ ତ୍ରୈମାସରେ କୃଷି କ୍ଷେତ୍ରରେ ୩.୪% ଅଭିବୃଦ୍ଧି ଦେଖିବାକୁୁ ମିଳିଥିବା ରିପୋର୍ଟରେ ଦର୍ଶାଯାଇଛି ।​‌ କରୋନା ପାଇଁ ସରକାର ଦେଶରେ ଲକ୍‌ଡାଉନ୍‌ ଜାରି କରିଥିଲେ । ତେବେ ରିପୋର୍ଟରୁ ଯାହା ଜଣାଯାଉଛି, କରୋନା ପ୍ରଭାବ ବିଶ୍ବର ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତ ଉପରେ ଅଧିକ ପଡିଛି । କରୋନାରେ ମୃତ୍ୟୁହାର ଅଧିକ ରହିଥିବା ଆମେରିକା ଏବଂ ବ୍ରି​‌ଟେନର ଜିଡିପି ବର୍ତ୍ତମାନ ଭାରତଠାରୁ ଭଲ ସ୍ତରରେ ରହିଛି । ​‌କରୋନା ପ୍ରଭାବରେ ବ୍ରିଟେନର ଜିଡିପି ହାରରେ ୨୦.୪%, ଆମେରିକାର ୯.୫%,ଫ୍ରାନ୍ସର ୧୩.୮%, ଇଟାଲୀର ୧୨.୪%, କାନାଡାର ୧୨% ଜର୍ମାନୀର ୧୦.୧% ଓ ଜାପାନର ଅଭିବୃଦ୍ଧି ହାରରେ ୭.୬% ହ୍ରାସ ଘଟିଛି । ତେବେ​‌ କରୋନା ସୃଷ୍ଟି କରିଥିବା ଚାଇନାର ଅଭିବୃଦ୍ଧି ହାର ଏହି ସମୟରେ ୩.୪% ବଢ଼ିଛି ।

Comments are closed.