ବିଶ୍ବ ବ୍ୟାଙ୍କ ଆକଳନ : ଜିଡିପି ଅଭିବୃଦ୍ଧି ୫% ରହିବ

ନୂଆଦିଲ୍ଲୀ : ସମ୍ପ୍ରତି ଦେଶର ଅର୍ଥ ବ୍ୟବସ୍ଥାରେ ଛାଇ ରହିଥିବା ମନ୍ଥରତାରୁ ଆଶ୍ବସ୍ତି ମିଳିବାର ସମ୍ଭାବନା କମ୍‌। କାରଣ ୨୦୧୯-୨୦ ଆର୍ଥିକବର୍ଷରେ ଭାରତର ​ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ହାର ୫ ପ୍ରତିଶତ ରହିବ। ଏ ନେଇ ଗୁରୁବାର ବିଶ୍ବ ବ୍ୟାଙ୍କ ଆକଳନ କରିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ସିଏସଓ) ପରେ ସମ୍ପୂର୍ଣ୍ଣ ଆର୍ଥିକବର୍ଷ ୨୦୧୯-୨୦ ପାଇଁ ଅଭିବୃଦ୍ଧି ହାରର ଏହା ପ୍ରଥମ ଆକଳନ।

ସୂଚନାଯୋଗ୍ୟ, ସିଏସଓ ମଙ୍ଗଳବାର ୨୦୧୯-୨୦ରେ ଦେଶର ​‌ଜିଡିପି ଅଭିବୃଦ୍ଧି ହାର ୫ ପ୍ରତିଶତ ରହିବା ନେଇ ଆକଳନ କରିସାରିଛି। ତେବେ ପଡୋଶୀ ବାଂଲାଦେଶର ଜିଡିପି ଅଭିବୃଦ୍ଧି ହାର ୭% ରହିବା ନେଇ ବିଶ୍ବବ୍ୟାଙ୍କ କରିଥିବା ଆକଳନ ସମସ୍ତଙ୍କୁ ଚକିତ କରିଛି। ବାଂଲାଦେଶର ଅଭିବୃଦ୍ଧି ହାର ଭାରତକୁ ଟପିଯିବ ବୋଲି ଏଥିରେ ଦର୍ଶାଯାଇଛି। ତେବେ ପାକିସ୍ତାନର ଜିଡିପି ହାର ୩%ରୁ ବି କମ୍‌ ରହିବ ‌ବୋଲି ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ବିଶ୍ବ ଅର୍ଥନୈତିକ ଦୃଶ୍ୟପଟ୍ଟରେ ସମ୍ପର୍କିତ ସର୍ବଶେଷ ରି​ପୋର୍ଟରେ ଏହା କୁହାଯାଇଛି।

ଗତ ଆର୍ଥିକବର୍ଷ ଅର୍ଥାତ୍‌ ୨୦୧୮-୧୯ରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୬.୮ ପ୍ରତିଶତ ରହିଥିଲା। ଭାରତରେ ଅଣବ୍ୟାଙ୍କ ଆର୍ଥିକ କମ୍ପାନୀ ଆଡୁ ଋଣ ଯୋଗାଣ କ୍ଷେତ୍ର ଦୁର୍ବଳ ରହିଥିବାବେଳେ ଆଗକୁ ଏହା ବଢିବାକୁ ଥିବା ଆକଳନ କରାଯାଇଛି ା ୨୦୧୯-୨୦ରେ ଅଭିବୃଦ୍ଧି ୫% ରହିବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ଏଥିରେ ସୁଧାର ଘଟି ୫.୮%କୁ ବୃଦ୍ଧି ଘଟିବା ଅନୁମାନ କରାଯାଉଥିବା ବିଶ୍ବ ବ୍ୟାଙ୍କ କହିଛି।

Comments are closed.