ସୁପର ଓଭରକୁ ନେଇ ରାଗି ଯାଇଥିଲେ ଗେଲ୍‌

ଦୁବାଇ: ୟୁଏଇରେ ଖେଳାଯାଉଥିବା ଆଇପିଏଲ୍‌ରେ ରବିବାର କିଙ୍ଗ୍‌ସ ଏକାଦଶ ପଞ୍ଜାବ ଦଳର ମୁକାବିଲା ମୁମ୍ବଇ ଇଣ୍ଡିଆନ୍‌ସ ସହ ହୋଇଥିଲା। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ସମାନ ସଂଖ୍ୟକ ରନ୍‌ ସ୍କୋର କରିଥିବାରୁ ଫଳାଫଳ ନିର୍ଣ୍ଣୟ ପାଇଁ ସୁପର ଓଭର ଖେଳାଯାଇଥିଲା। ପ୍ରଥମ ସୁପର ଓଭର ଡ୍ର ରହିଥିବାରୁ ଦ୍ବିତୀୟ ସୁପର ଓଭର ଖେଳାଯାଇଥିଲା। ଦ୍ବିତୀୟ ସୁପର ଓଭରରେ ୟୁନିଭର୍ସାଲ୍‌ ବସ୍‌ ଗେଲ୍‌ ପ୍ରଥମ ବଲ୍‌ରେ ଛକା ମାରିଥିବା ବେଳେ ମୟଙ୍କ ଅଗ୍ରୱାଲ୍ ଦୁଇଟି ଚୌକା ମାରି ପଞ୍ଜାବ ଦଳକୁ ବିଜୟୀ କରାଇଥିଲେ।
ମ୍ୟାଚ୍‌ ଶେଷ ହେବା ପରେ ନିଜ ପ୍ରତିକ୍ରିୟାରେ ଗେଲ୍‌ କହିଥିଲେ ସୁପର ଓଭରକୁ ନେଇ ସେ ରାଗି ଯାଇଥିଲେ। ସୁପର ଓଭର ଖେଳାଯିବାର କୌଣସି ଆବଶ୍ୟକତା ନ ଥିଲା, ପଞ୍ଜାବ ଦଳ ନିର୍ଦ୍ଧାରିତ ଓଭରରେ ବିଜୟୀ ହୋଇପାରିଥାନ୍ତା। ତେବେ କେତେକ ଭୁଲ୍‌ ଯୋଗୁଁ ସୁପର ଓଭର ଯାଏ କଥା ଯାଇଥିଲା। ଦ୍ବିତୀୟ ସୁପର ଓଭର ଆରମ୍ଭ ବେଳକୁ ମୟଙ୍କ ଓ ତାଙ୍କ ମଧ୍ୟରୁ କିଏ ପ୍ରଥମ ବଲ୍‌ ଖେଳିବ ତାହାକୁ ନେଇ ଦଳ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ୟୁନିଭର୍ସାଲ୍‌ ବସ୍‌ ଥିବା ବେଳେ ମୟଙ୍କ କିପରି ବ୍ୟାଟିଂ ଓପନ୍‌ କରିବେ ତାହା ଭାବି ତାଙ୍କୁ ହସ ମାଡିଥିଲା ବୋଲି ଗେଲ୍‌ ସୂଚନା ଦେଇଛନ୍ତି। ପ୍ରଥମ ସୁପର ଓଭରରେ ବିଜୟ ପାଇଁ ମୁମ୍ବଇ ଦଳ ମାତ୍ର ୬ ରନ୍ ଆବଶ୍ୟକ କରୁଥିବା ବେଳେ ପଞ୍ଜାବ ଦଳ ତରଫରୁ ମହମ୍ମଦ ସାମି ବୋଲିଂ କରି ମୁମ୍ବଇର ରୋହିତ ଶର୍ମା ଓ କ୍ବିଣ୍ଟନ୍‌ ଡି’କକ୍‌ଙ୍କ ପରି ବ୍ୟାଟସମ୍ୟାନ୍‌ଙ୍କୁ ଅଟକାଇବାରେ ସଫଳ ହେବା ପ୍ରଶଂସନୀୟ ବୋଲି ଗେଲ୍‌ କହିଥିଲେ। ସେହିପରି ନିଜ ପ୍ରତିକ୍ରିୟାରେ ମୟଙ୍କ ଅଗ୍ରୱାଲ୍‌ କହିଥିଲେ ଦ୍ବିତୀୟ ସୁପର ଓଭରରେ ସେ ବ୍ୟାଟିଂ କରିବାକୁ ଗଲା ବେଳେ ବାଉଣ୍ଡ୍ରି ମାରିବେ ବୋଲି ମୂଳରୁ ନିଶ୍ଚିତ ହୋଇ ପଡ଼ିଆକୁ ଓହ୍ଲାଇଥିଲେ, ଯାହାକି ଫଳପ୍ରଦ ହୋଇଥିଲା।

Comments are closed.