ଆଇପିଏଲ ନିଲାମକୁ ନେଇ ଗାଭାସ୍କରଙ୍କ ଆକଳନ

0

ମୁମ୍ବଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଦଶ ବର୍ଷର ଇତିହାସରେ ଯୁବରାଜ ସିଂହ ସର୍ବାଧିକ ୧୬ କୋଟି ଟଙ୍କାରେ ବିକ୍ରି ହୋଇ ଏପର୍ଯ୍ୟନ୍ତ ପ୍ରତିଯୋଗିତାର ସବୁଠୁ ଦାମୀ ଖେଳାଳିର ମାନ୍ୟତା ବଜାୟ ରଖିଛନ୍ତି। ତେବେ ଏହି ପ୍ରସଙ୍ଗରେ ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ଭିନ୍ନମତ ପୋଷଣ କରିଛନ୍ତି। ୧୯୮୩ରେ ଭାରତକୁ ପ୍ରଥମ ବିଶ୍ବକପ ଚମ୍ପିଆନ କରାଇଥିବା କପିଳ ଦେବ ଯଦି ଆଇପିଏଲ ନିଲାମରେ ଅଂଶଗ୍ରହଣ କରିଥାନ୍ତେ, ତେବେ ତାଙ୍କୁ ଅତିକମରେ ୨୫ କୋଟି ଟଙ୍କାରେ କିଣାଯାଇଥାନ୍ତା ବୋଲି ଗାଭାସ୍କର କହିଛନ୍ତି। ତାଙ୍କ ମତରେ କପିଳ ହେଉଛନ୍ତି ଭାରତର ସର୍ବଶ୍ରେଷ୍ଠ ଅଲରାଉଣ୍ଡର। ଯଦି ୨୦୦୮ ସମୟରେ କପିଳ ଆଇପିଏଲ ନିଲାମରେ ଭାଗ ନେଇଥାନ୍ତେ, ତେବେ ସେ ୨୫ କୋଟି ଟଙ୍କାରେ ବିକ୍ରି ହୋଇଥାନ୍ତେ ବୋଲି ଗାଭାସ୍କର ମତବ୍ୟକ୍ତ କରିଛନ୍ତି। ସାଂପ୍ରତିକ ସ୍ଥିତିରେ ଯଦି କୌଣସି ଖେଳାଳି ୧୦ କୋଟି କିମ୍ବା ଅଧିକ ମୂଲ୍ୟରେ ବିକ୍ରି ହେଉଛନ୍ତି, ତାହାହେଲେ ଉକ୍ତ ଖେଳାଳିଙ୍କର ଯଥେଷ୍ଟ ଚାହିଦା ରହିଛି ବୋଲି ଚର୍ଚ୍ଚା ହେଉଛି। ଏହି ପ୍ରସଙ୍ଗରେ କପିଳ ଅନ୍ୟ କ୍ରିକେଟରଙ୍କୁ ପଛରେ ପକାଇ ପାରିଥାନ୍ତେ ବୋଲି ସେ କହିଛନ୍ତି। ୧୯୮୩ ବିଶ୍ବକପର ଏକ ଲିଗ୍‌ ମ୍ୟାଚରେ କପିଳ ଜିମ୍ବାୱେ ବିପକ୍ଷରେ ଅପରାଜିତ ୧୭୫ ରନ ସ୍କୋର କରିଥିଲେ। ଭାରତ ଏହି ମ୍ୟାଚରେ ଏକଦା ୧୭ ରନରେ ୫ ୱିକେଟ ହରାଇଥିଲା। ତେବେ କପିଳଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଭାରତ ଏହି ମ୍ୟାଚରେ ବିଜୟୀ ହୋଇଥିଲା। ଦୁର୍ଭାଗ୍ୟବଶତଃ ଉକ୍ତ ମ୍ୟାଚ ଟିଭିରେ ପ୍ରାସାରିତ ହୋଇନଥିବାରୁ କ୍ରିକେଟପ୍ରେମୀ ଏଭଳି ଏକ ଇନିଂସ ଦେଖିବାରୁ ବଞ୍ଚିତ ହୋଇଥିଲେ। ଗାଭାସ୍କରଙ୍କ ମତରେ କପିଳଙ୍କ ଏହି ଇନିଂସ ଦିନିକିଆ ଫର୍ମାଟରେ ସବୁଠାରୁ ଶ୍ରେଷ୍ଠ। ତାଙ୍କ ଖେଳାଳି ଜୀବନରେ ଏବଂ ଭାଷ୍ୟକାର କ୍ୟାରିୟରରେ ଏଭଳି ଇନିଂସ ଦେଖିନାହାନ୍ତି ବୋଲି ଗାଭାସ୍କର ମୁକ୍ତକଣ୍ଠରେ ସ୍ବୀକାର କରିଛନ୍ତି।

Leave A Reply