ପଲିମର୍ସ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍ – ୧୧ ମୃତ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ଭାଇଜାଗ୍ସ୍ଥିତ ରାସାୟନିକ କାରଖାନା ଏଲ୍ଜି ପଲିମର ପରିସରରେ ବୁଧବାର ବିଳମ୍ବିତ ରାତିରେ ବିଷାକ୍ତ ଷ୍ଟିରିନ୍ ବାଷ୍ପ ନିର୍ଗତ ହୋଇ ୧୧ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ରହିଛନ୍ତି। କାରଖାନା ପାଖ ଆରଆର ଭେଙ୍କଟପୁରମ୍ ଓ ଗୋପାଳପଟନମ୍ ଗ୍ରାମ ସହିତ ତିନିଟି ଗ୍ରାମକୁ ଏହି ବାଷ୍ପ ବ୍ୟାପିଯିବାରେ ୧ ହଜାରରୁ ଅଧିକ ଅସୁସ୍ଥ ଏବଂ ୫ ହଜାରରୁ ଅଧିକ ପ୍ରଭାବିତ ହୋଇଛନ୍ତି। ଡାକ୍ତରଖାନାରେ ଥିବା ୩୦୦ଙ୍କ ମଧ୍ୟରୁ ୨୫ଜଣଙ୍କ ଅବସ୍ଥା ଗୁରୁତର ଥିବା ପ୍ରକାଶ। ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଘଟଣାର ତଦନ୍ତ ନିର୍ଦେଶ ଦେବା ସହ ମୃତକଙ୍କ ପରିବାର ପିଛା ୧କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଆଖପାଖ ଅଞ୍ଚଳର ୧୫ହଜାର ଲୋକଙ୍କୁ ୧୦ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଏବଂ ଅସୁସ୍ଥଙ୍କ ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି ଅସୁସ୍ଥଙ୍କୁ ଅବସ୍ଥା ଅନୁସାରେ ୨୫ହଜାରରୁ ୧୦ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସହାୟତା ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ଘଟଣା ନେଇ ଚିନ୍ତା ପ୍ରକଟ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ନିଜ କାର୍ୟ୍ୟାଳୟକୁ ପରାମର୍ଶ ଦେଇଛନ୍ତି। ଦକ୍ଷିଣ କୋରିଆ ଦୂତାବାସ ପକ୍ଷରୁ ମଧ୍ୟ ଆବଶ୍ୟକ ସହଯୋଗର ହାତ ବଢ଼ାଯାଇଛି।
ରାତି ପ୍ରାୟ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସୁରକ୍ଷା ଦାୟିତ୍ବରେ ଥିବା ସିଆଇଏସ୍ଏଫ୍ ପକ୍ଷରୁ ତୁରନ୍ତ ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଇଥିଲା। ଏନ୍ଡିଆରଏଫ୍ ଓ ଅନ୍ୟ ସଂସ୍ଥାଙ୍କୁ ତୁରନ୍ତ ଉଦ୍ଧାର ଓ ସହାୟତା କାର୍ୟ୍ୟରେ ନିୟୋଜିତ କରାଯାଇଥିଲା। ଏନ୍ଡିଆରଏଫ ମହାନିର୍ଦେଶକ ଏସ୍.ଏନ୍ ପ୍ରଧାନଙ୍କ ତତ୍ତ୍ବାବଧାନରେ କର୍ମଚାରୀମାନେ ତିନି କିଲୋମିଟର ପରିଧିରେ ଘରଘର ବୁଲି ଅନୁସନ୍ଧାନ କରିବା ସହ ଅଚେତ ଅବସ୍ଥାରେ ପଡ଼ିଥିବା ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଥିପାଇଁ ଆବଶ୍ୟକସ୍ଥଳେ ହେଲିକପ୍ଟର ବ୍ୟବହାର କରାଯାଇଥିଲା। ନିକଟସ୍ଥ ରାସ୍ତା, ଗଳିକନ୍ଦି ଓ ପଡ଼ିଆରେ ଚେତାଶୂନ୍ୟ ଭାବେ ପଡ଼ିରହିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ମହିଳା ଓ ଯୁବକମାନେ ମଧ୍ୟ ମାସ୍କ ପିନ୍ଧି ଉଦ୍ଧାର କାର୍ୟ୍ୟରେ ଲାଗିଥିଲେ। ବିଷାକ୍ତ ବାଷ୍ପ ପ୍ରଭାବରେ ଦୁଇ ଜଣ ସ୍ଥାନୀୟ ଏକ କୂଅରେ ପଡ଼ି ପ୍ରାଣ ହରାଇଥିବାବେଳେ ଆଉ ଦୁଇ ଜଣ ସେମାନଙ୍କ ମୋଟର ସାଇକଲ ସହିତ ଏକ ଖାଲରେ ପଡ଼ି ପ୍ରାଣ ହରାଇଥିବା ଜଣାପଡ଼ିଛି। ଜଣେ ମହିଳା ତାଙ୍କ ଦୁଇ ମହଲା ଛାତରୁ ଖସିପଡ଼ି ପ୍ରାଣ ହରାଇଥିବା ଓ ଅନ୍ୟ ଜଣେ ସ୍କୁୁଟି ଧରି ରାସ୍ତା କଡ଼ରେ ଛିଡ଼ା ହୋଇଥିବାବେଳେ ଟଳିପଡ଼ିଥିବା ପ୍ରକାଶ।
ଦୀର୍ଘ ପ୍ରୟାସ ପରେ ବାଷ୍ପ ନିର୍ଗତକୁ ନିୟନ୍ତ୍ରଣ କରାଯାଇଥିବା କୁହାଯାଉଛି; କିନ୍ତୁ ବାହ୍ୟ ବିପଦ ଟଳି ନାହିଁ। ଗୁଜରାତର ଭାପିଠାରୁ ୫୦୦କିଲୋ ‘ପିଟିବିସି’ ନାମକ ଏକ ସ୍ବତନ୍ତ୍ର ରାସାୟନିକ ପଦାର୍ଥ ଏହି ବିଷାକ୍ତ ବାଷ୍ପକୁ ନିୟନ୍ତ୍ରଣ କରିବା ପାଇଁ ଅଣାଯାଇ ସମଗ୍ର ଅଞ୍ଚଳରେ ଉପଯୋଗ କରାଯାଇଛି। ପ୍ରଶାସନ ଓ କାରଖାନା ପକ୍ଷରୁ ବାହ୍ୟ ପରିବେଶକୁ ବିଶୁଦ୍ଧ କରାଯିବା ପ୍ରୟାସ ଜାରି ରହିଛି; ବାଷ୍ପ ପ୍ରଭାବରେ ଲୋକଙ୍କ ଆଖି ପୋଡ଼ିବା ସହ ଶରୀର ଜଳାପୋଡ଼ା ହେବା ଓ ଶ୍ବାସକ୍ରିୟାରେ କଷ୍ଟ ହେଉଥିବା ଜଣାପଡ଼ିଛି। କେତେକଙ୍କ ବୃକ୍କ ନଷ୍ଟ ହୋଇଥିବା ମଧ୍ୟ ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ତେବେ ସ୍ବାସ୍ଥ୍ୟ ଉପରେ ଏହାର ଦୀର୍ଘକାଳୀନ ପ୍ରଭାବ ଅନୁଭୂତ ହେବ ନାହିଁ ବୋଲି ଦିଲ୍ଲୀ ‘ଏମ୍ସ’ର ବିଶେଷଜ୍ଞ ଡାକ୍ତରମାନେ କହିଛନ୍ତି।
ତାଲାବନ୍ଦ ଯୋଗୁଁ ଦୀର୍ଘ ପ୍ରାୟ ୪୦ଦିନ ହେଲା କାରଖାନା ବନ୍ଦ ରହିଥିଲା। ବୁଧବାର ରାତିରେ ଏହାକୁ ପୁନଃ ଚାଲୁ କରାଯିବାବେଳେ କୌଣସି କାରଣରୁ ଏହାର ପାଞ୍ଚ ହଜାର ଟନ୍ କ୍ଷମତା ବିଶିଷ୍ଟ ଦୁଇଟି ଟାଙ୍କିରୁ ବାଷ୍ପ ନିର୍ଗତ ହୋଇଥିଲା। ମାସାଧିକ କାଳ ବନ୍ଦ ପରେ କାରଖାନା ଚାଲୁ କରାଯିବାବେଳେ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଇ ନ ଥିଲା। ରାସାୟନିକ ପ୍ରକ୍ରିୟା ଯୋଗୁଁ ଟାଙ୍କି ଗରମ ହୋଇ ଘଳିଆ ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଘରୁ ନ ବାହାରିବା ଓ ଓଦା ମାସ୍କ ପିନ୍ଧିବା ପାଇଁ ଅଞ୍ଚଳବାସୀଙ୍କୁ ପୌର ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆସନ୍ତା ୧୨ ଘଣ୍ଟା; ଅର୍ଥାତ୍ ଶୁକ୍ରବାର ପର୍ୟ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ ଖୋଲାରେ ବିଚରଣ ନିଷଧ କରାଯାଇଛି। କାରଖାନା କର୍ତ୍ତୃପକ୍ଷ ଓ ସରକାରଙ୍କ ପକ୍ଷରୁ ପୃଥକ୍ ଭାବେ ଦୁର୍ଘଟଣାର କାରଣ ଓ କ୍ଷୟକ୍ଷତି ସମ୍ପର୍କରେ ତଦନ୍ତ ଚାଲୁରହିଛି। ପ୍ରଶାସନ ପକ୍ଷରୁ କାରଖାନା ବିରୋଧରେ ଏତଲା ଦାୟର କରାଯାଇଛି। ସୂଚନାଯୋଗ୍ୟ ଯେ ହିନ୍ଦୁସ୍ଥାନ ପଲିମର୍ସ ନାମରେ ୧୯୬୧ରେ ପ୍ରତିଷ୍ଠିତ ଏହି କାରଖାନାକୁ ଦକ୍ଷିଣ କୋରିଆର ଏଲ୍.ଜି କେମ୍ କିଣିବା ପରେ ୧୯୯୭ରୁ ଏହା ଏଲ୍.ଜି ପଲିମର୍ସ ନାମରେ ପରିଚିତ ହୋଇଥିଲା।
ଷ୍ଟିରିନ୍ ବାଷ୍ପ କ’ଣ?
ପଲିଭିନାଇଲ କ୍ଲୋରିଡ୍ ବାଷ୍ପର ଅନ୍ୟ ନାମ ଷ୍ଟିରିନ୍। ଏହାର ରାସାୟନିକ ନାମ ଇଥାଇଲବେଞ୍ଜିନ। ଏହାକୁ ପିଭିସି ଗ୍ୟାସ୍ ବୋଲି ମଧ୍ୟ କୁହାଯାଏ। ଏହା ଏକ ସିନ୍ଥେଟିକ୍ ରସାୟନ; ଯାହା ଷ୍ଟିରିନ୍, ପଲିଷ୍ଟିରିନ୍ ପ୍ଲାଷ୍ଟିକ ଓ ପଲିଷ୍ଟିରିନ୍ ଫୋମ୍ ବା ଷ୍ଟିରୋେଫାମ୍, ପଲିଷ୍ଟିରିନ୍ ଫିଲ୍ମ ରୂପରେ ଉପଲବ୍ଧ ହୋଇଥାଏ। ଏହା ଅତ୍ୟନ୍ତ ଦହନଶୀଳ ଓ ଅତି ସହଜରେ ବାଷ୍ପୀଭୂତ ହୋଇଥାଏ। ପ୍ଲାଷ୍ଟିକ, ଫାଇବର ଗ୍ଲାସ୍, ରବର ଓ ଲାଟେକ୍ସ ନିର୍ମିତ ଖେଳଣା, ପାଇପ୍, ଅଟୋମୋବାଇଲ ସରଞ୍ଜାମ ଓ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ପ୍ରସ୍ତୁତିରେ ପଲିଷ୍ଟିରିନ୍ ବା ଷ୍ଟିରିନ୍ ବ୍ୟବହୃତ ହୋଇଥାଏ। ଏହା ମଣିଷ ଶରୀରର ସ୍ନାୟବିକ ବ୍ୟବସ୍ଥାକୁ ଅଚିରେ ପ୍ରଭାବିତ କରିଥାଏ; ତେଣୁ ଅତ୍ୟନ୍ତ ବିପଜ୍ଜନକ। ଚର୍ମ, ଗଳା, ଚକ୍ଷୁ ଓ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ପ୍ରତି ଏହା ତୁରନ୍ତ କ୍ଷତି ପହଞ୍ଚାଇଥାଏ।