ସ୍କୁଲକୁ ରନ୍ଧନଗ୍ୟାସ ଯୋଗାଣରେ କୋଟି କୋଟି ଟଙ୍କା ବାଟମାରଣା: ୮୦୦ ଟଙ୍କିଆ ଗ୍ୟାସ ଷ୍ଟୋଭ୍; ବିଲ ହେଉଛି ୨୩୦୦ ଟଙ୍କା

ବାଟମାରଣା ୮ କୋଟି ଟଙ୍କାରୁ କାହା ପକେଟକୁ କେତେ?

ଭୁବନେଶ୍ବର: ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ନିମନ୍ତେ ସରକାର ଯୋଗାଉଛନ୍ତି ରନ୍ଧନ ଗ୍ୟାସ କିଟ୍ । ଏଥିପାଇଁ ପ୍ରତି ସ୍କୁଲକୁ ୭୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବାକୁ ବ୍ୟବସ୍ଥା ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨୦ ହଜାରରୁ ଅଧିକ ସ୍କୁଲକୁ ଏହି ଗ୍ୟାସ କିଟ୍ ପ୍ରଦାନ କରାଯାଇ ସାରିଲାଣି । ହେଲେ ଉପଯୁକ୍ତ ତତ୍ବାବଧାନ ଓ ଯାଞ୍ଚ ଅଭାବ ଯୋଗୁଁ ପ୍ରାୟ ୨୦% ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି ।

ବ୍ୟବସ୍ଥା ଅନୁସାରେ ପ୍ରତି ସ୍କୁଲକୁ ୨ଟି ଗ୍ୟାସ ପୂର୍ଣ ହୋଇଥିବା ସିଲିଣ୍ଡର, ଗୋଟିଏ ରେଗୁଲେଟର, ଗୋଟିଏ ପାଇପ୍, ଷ୍ଟୋଭ୍ (ବର୍ଣର ହଟ୍ ପ୍ଲେଟ) ପ୍ରଦାନ କରାଯିବ । ଦୁଇଟି ସିଲିଣ୍ଡର ନିମନ୍ତେ ୧୪୫୦ ଟଙ୍କା ହିସାବରେ ୨୯୦୦ ଟଙ୍କା, ରନ୍ଧନ ଗ୍ୟାସ ନିମନ୍ତେ ୨ଟି ଟାଙ୍କି ପାଇଁ ୭୨୧ ଟଙ୍କା ହିସାବରେ ୧୪୪୨ ଟଙ୍କା, ରେଗୁଲେଟର ନିମନ୍ତେ ୧୫୦ ଟଙ୍କା ଓ ପାଇପ ପାଇଁ ୨୯୫ ଟଙ୍କା ପ୍ରଦାନ କରାଯାଇଛି । ଏହା ସହ ଷ୍ଟୋଭ୍ ପାଇଁ ୨୩୦୦ ଟଙ୍କା, ଗ୍ୟାସ ସଂଯୋଗ (ଇନଷ୍ଟଲେସନ) ନିମନ୍ତେ ୧୧୮ ଟଙ୍କା, ଡ଼ିଜିସିସି ବହି ପାଇଁ ୫୯ ଟଙ୍କା ଓ ଇନସପେକ୍ଟନ ଚାର୍ଜ ପାଇଁ ୨୩୬ ଟଙ୍କା ମିଳିଛି ।

ମାତ୍ର ବିଡ଼ମ୍ବନା ହେଉଛି ୨୩୦୦ ଟଙ୍କାରେ ଯେଉଁ ଗ୍ୟାସ ଷ୍ଟୋଭ୍ ବା ବର୍ଣର ହଟ ପ୍ଲେଟ ମିଳୁଛି ତାହାର ମୂଲ୍ୟ ଖୋଲା ବଜାରରେ ୭୦୦ରୁ ୮୦୦ ଟଙ୍କା ଦରରେ ବିକ୍ରି ହେଉଥିବାବେଳେ ଏହାକୁ ଯୋଗାଣକାରୀ ସଂସ୍ଥା ୨୩୦୦ ଟଙ୍କା ନେଉଛନ୍ତି । ଅର୍ଥାତ ଗୋଟିଏ ସ୍କୁଲକୁ ଗ୍ୟାସ କିଟ୍ ପ୍ରଦାନରେ ଅନ୍ୟୂନ ୧୫୦୦ ଟଙ୍କା ବାଟମାରଣା ହେଉଛି । ଏପରିକି ଗ୍ୟାସ କିଟ୍ ନେଉଥିବା ସ୍କୁଲର ଶିକ୍ଷକମାନେ ଏଥିରୁ ମଧ୍ୟ ଭାଗ ପାଉଥିବା ସୂଚନା ମିଳିଛି । ଜଗତସିଂହପୁର ଜିଲାରେ ଗ୍ୟାସ ଷ୍ଟୋଭ୍ ଯୋଗାଉଥିବା କିଛି ସଂସ୍ଥା ଏଥିରେ ଅଂଶୀଦାର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ରାଜ୍ୟରେ ପ୍ରାୟ ୫୮୭୮୪ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦେବାର ବ୍ୟବସ୍ଥା କରାଯାଇଛି । ବାର ହିସାବରେ ଭାତ-ଡ଼ାଲମା, ଭାତ-ସେୟା ବଡ଼ି ତରକାରୀ, ଭାତ-ଅଣ୍ଡା ତରକାରୀ ଦିଆଯାଉଛି । ପନି ପରିବା ସଂଗ୍ରହ ପାଇଁ ସ୍କୁଲରେ କିଚେନ ଗାର୍ଡ଼େନ ପ୍ରସ୍ତୁତି ନିମନ୍ତେ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଅନେକ ସ୍କୁଲରେ କିଚେନ୍ ଗାର୍ଡ଼ନ ନିମନ୍ତେ ଦିଆଯାଇଥିବା ଅର୍ଥ କିପରି ଖର୍ଚ ହେଉଛି ତାହା ଆଖିରେ ନ ଦେଖିଲେ କେହି ବିଶ୍ବାସ କରି ପାରିବେ ନାହିଁ । ଯେଉଁଠି ପିଲାଙ୍କ ପାଇଁ ବସିବାକୁ ସ୍ଥାନ ନାହିଁ, ସେଠି କିଚେନ୍ ଗାର୍ଡ଼ନ ଅର୍ଥ କିପରି ବ୍ୟୟ ହୋଇଥିବ ତାହା ଶିକ୍ଷକ ଓ ଶିକ୍ଷା ଅଧିକାରୀମାନେ ବେଶ୍ ଭଲ ଭାବରେ ଜାଣିଛନ୍ତି ଓ ତାହା ଏଠାରେ ଆଲୋଚନା ପ୍ରସଙ୍ଗ ନୁହେଁ । ମାତ୍ର ସ୍କୁଲଗୁଡ଼ିକୁ ଗ୍ୟାସ ଯୋଗାଣ ନିମନ୍ତେ ଦିଆଯାଉଥିବା ଅର୍ଥରେ ନିମ୍ନମାନର ଗ୍ୟାସ ଷ୍ଟେଭ୍ ଯୋଗାଣ ଅତ୍ୟନ୍ତ ଚିନ୍ତାର ବିଷୟ । ଯଦି ନିମ୍ନମାନର ସାମଗ୍ରୀ ଯୋଗୁଁ ଭବିଷ୍ୟତରେ କିଛି ସମସ୍ୟା ଘଟେ ବା ଅଘଟଣ ଘଟେ ଏଥିପାଇଁ କିଏ ଦାୟୀ ରହିବ ? ସମ୍ପୃକ୍ତ ଯୋଗାଣକାରୀ ସଂସ୍ଥା ନାଁ ସମ୍ପୃକ୍ତ ସ୍କୁଲର ଶିକ୍ଷକ ? ବିଭାଗୀୟ ଜିଲା ଅଧିକାରୀ ନା ବିଭାଗୀୟ ସଚିବ ନା ମନ୍ତ୍ରୀ?

ରନ୍ଧନ ଗ୍ୟାସ ଯୋଗାଣରେ ଚାଲିଥିବା ଏହି ଅନିୟମିତତା ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ ହୋଇଥିଲା । ମାତ୍ର ସେ ଫୋନ୍ ନ ଉଠାଇବାରୁ ତାଙ୍କର ମତାମତ ନିଆଯିବା ସମ୍ଭବ ହୋଇନାହିଁ ।

 

Comments are closed.