ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁର୍ଘଟଣା; ଗାଡ଼ି ଛାଡ଼ି ଚାଳକ ଫେରାର୍‍, ୭୫ କେଜି ଗଞ୍ଜେଇ ଜବତ

ଦେଓଗାଁ : ବଲାଙ୍ଗୀର-ଦେଓଗାଁ ଜାତୀୟ ରାଜପଥ ୨୬ ଏବେ ଚୋରା ଗଞ୍ଜେଇ, କାଠ ଓ ଅପମିଶ୍ରିତ ମଦର ରାସ୍ତା ପାଲଟିଛି । ଅନେକ ସମୟରେ ଅବକାରୀ ଓ ପୁଲିସ ବିଭାଗର ଯୋଜନାରେ ଚୋରା ବେପାରି ହାର ମାନୁଥୁବା ବେଳେ ଅନେକ ସମୟରେ ଅବକାରୀ ଓ ପୁଲିସ ଆଖିରେ ଧୁଲିମାରି ଫେରାର ହେଉଥିବା ଦେଖାଯାଉଛି। ଶୁକ୍ରବାର ଭୋର ୫ଟା ସମୟରେ ବରଗଡ଼-ବୋରିଗୁମା ଜାତୀୟ ରାଜପଥରେ ଏକ ବୋଲେରୋ (ଓଡ଼ି୧୭କେ ୪୪୭୮)ରେ ଗୁଡ଼ଭେଲା ପଟୁ ଚୋରା ଗଞ୍ଜେଇ ଭର୍ତ୍ତି ହୋଇଯାଉଥିବା ବେଳେ ସୋନଗଡ଼ ନଦୀ ବ୍ରିଜ୍‍କୁ ଯିବା ପୂର୍ବରୁ ରାସ୍ତାର ଡ଼ାହାଣ ପଟେ ଗାଡ଼ିଟି ଓଲଟି ପଡ଼ିଥିଲା। ଗାଡ଼ିରୁ ଅକ୍ଷତ ଅବସ୍ଥାରେ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ପୁଲିସ କହିବା ଅନୁସାରେ, ପୂର୍ବରୁ ଗଞ୍ଜେଇ ଚୋରା ଚାଲାଣ ଖବର ପୁଲିସ ପାଖରେ ଥିଲା। ଏହି ଗାଡ଼ିକୁ ତୁଷୁରା ପଟରୁ ପୁଲିସ ଅନୁକରଣ କରୁଥିଲା। ସୋନଗଡ଼ ବ୍ରିଜ୍‍ ପୂର୍ବରୁ ପୁଲିସ ଥିବା ସଂନ୍ଦେହରେ ଗାଡ଼ି ଚାଳକ ଗାଡ଼ିକୁ ଛାଡ଼ି ଚାଲିଯାଇଥିଲା। ତୁଷୁରା ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ଚୈଧୁରୀ ଆସିବା ପରେ ଗାଡ଼ିଭିତରେ ଥିବା ୩ବସ୍ତା ଗଞ୍ଜେଇକୁ ଜବତ କରାଯାଇଥିଲା। ଗାଡ଼ିଭିତରେ ପଡ଼ିଥବା ପର୍ସରୁ ଗାଡ଼ି ଚାଳକ କମଲ ବେହେରା ଓ ଗାଡ଼ି ମାଲିକ ବରଗଡ଼ ଜିଲ୍ଲା ଭଟଲି ଥାନା ରାଇସୁଘାର ପ୍ରସାଦ ସାହୁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କିଛି ଦିନ ତଳେ ଏହି ସ୍ଥାନରେ ଏକ ବେଦାନ୍ତ ଗାଡ଼ି ଦୁର୍ଘଟଣା ଯୋଗୁଁ ୩ରୁ ୪ ଦିନ ହେଲା ରାସ୍ତା ସ୍ଥଳରେ ପଡ଼ିରହିଛି। ହେଲେ ଏହି ଗଞ୍ଜେଇ ଚୋରା ଚାଲାଣ ଗାଡ଼ିଟିକୁ ଏମିତି ତରବରରେ ଛିଡ଼ା କରିଦେବା ସାଧାରଣରେ ସଂନ୍ଦେହ ହେଉଛି। ଉଚ୍ଚ ସ୍ତରୀୟ ତଦନ୍ତ କଲେ ବିଭିନ୍ନ ଭିତିରି କଥା ମଧ୍ୟ ବାହାରକୁ ଆସିବ ବୋଲି ଜନସାଧାରଣରେ ଆଲୋଚନା ହେଉଛି। ତେବେ ଏହି ଗାଡିରେ ୩ବସ୍ତା ଗଞ୍ଜେଇ(୭୫ କେଜି) ଥିଲା ନା ଅଧିକ ଗଞ୍ଜେଇ ଥିଲା ତାକୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଅଧିକ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି।

Comments are closed.