ଗଞ୍ଜାଉଡାରକୁ ସଟଡାଉନ ଘୋଷଣା କଲେ ସରପଞ୍ଚ

ପାଟଣାଗଡ: ଆଜି ଦିନ କରେ ପାଟଣାଗଡ ବ୍ଲକର ଜଣେ ଶିଶୁଙ୍କ ସମେତ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଯାଇଛି। ଏହାବ୍ୟତୀତ ମରୁଆଁ ପଞ୍ଚାୟତ ଗଞ୍ଜାଉଡାର ଗ୍ରାମର ଜନୈକ ୨୬ ବର୍ଷୀୟ ତେଲେଙ୍ଗାନା ଫେରନ୍ତା ଯୁବକ ଲରମ୍ଭା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରହିଥିଲେ ମଧ୍ୟ ତାକୁ ସେଠାରୁ ଛାଡି ଦିଆଯିବାରୁ ସେ ନିଜ ଗାଁରେ ସମସ୍ତଙ୍କ ମିଳାମିଶା କରୁଥିଲେ। ତେବେ ଆଜି ସେ କରୋନା ଆକ୍ରାନ୍ତ ବୋଲି ଜଣାପଡିବା ପରେ ମରୁଆଁ ସରପଞ୍ଚ ଉକ୍ତ ଗ୍ରାମ ଗଞ୍ଜାଉଡାରକୁ ଆଜି ସକାଳୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଥିବା ଜଣାଯାଇଛି।

ଆଜି ସକାଳୁ ଆସିଥିବା ସ୍ୱାବ୍‍ ରିପୋର୍ଟ ଅନୁଯାୟୀ ବାଲିପଟା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଥିବା ଖୁଣ୍ଟସମଲାଇ ପଞ୍ଚାୟତ ଅନ୍ତର୍ଗତ ଢୋଡମହୁଲ ଗ୍ରାମର ଜନୈକ ୨୦ ବର୍ଷିୟ ଚେନ୍ନାଇ ଫେରନ୍ତା, ରେଙ୍ଗାଲି ଶିବିରରେ ଥିବା ଗେର୍ଡା ଗ୍ରାମର ଜନୈକ ୨ ବର୍ଷିୟ ଶିଶୁ ଏବଂ ଲରମ୍ଭା ଶିବିରରେ ରହିଥିବା ଗଞ୍ଜାଉଡାର ଗ୍ରାମର ତେଲେଙ୍ଗାନା ଫେରନ୍ତା ୨୬ ବର୍ଷିୟ ଯୁବକଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଥିଲା। ତେବେ ଗଞ୍ଜାଉଡାର ଗ୍ରାମର ଉକ୍ତ ଯୁବକଙ୍କୁ ସ୍ୱାବ୍‍ ପରୀକ୍ଷା ପାଇଁ ବଲାଙ୍ଗିିର ନିଆଯାଇ ଫେରିବା ବାଟରେ ତାଙ୍କୁ ତାଙ୍କ ଗ୍ରାମ ନିକଟରେ ଛାଡି ଦିଆଯାଇଥିଲା। ସେ ଅନାୟାସରେ ଗାଁରେ ମିଳାମିଶା କରିବା ସହ ନିଜ ବନ୍ଧୁମାନଙ୍କ ସହ ଭୋଜିଭାତ, ଏପରିକି ରଥଯାତ୍ରା ଦିନ ଗାଁର ଛୋଟ ପିଲାଙ୍କୁ ଖିରି ଖାଇବାକୁ ଦେଇଥିବା ଆଲୋଚନା ହେଉଛି। ତେବେ ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସମଗ୍ର ଅଞ୍ଚଳରେ ଏକ ଭୟ ଏବଂ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ମରୁଆଁ ପଞ୍ଚାୟତ ସରପଞ୍ଚ ଆଜି ସକାଳ ୭ ଘଣ୍ଟାରୁ ଉକ୍ତ ଗ୍ରାମକୁ ସଟଡାଉନ ଘୋଷଣା କରିଥିବା ସହ ଆକ୍ରାନ୍ତ ଯୁବକ କାହା କହା ସଂସ୍ପର୍ଶରେ ଆସିଛନ୍ତି ତାହା ଯାଞ୍ଚ କରାଯିବ ବୋଲି କହିଛନ୍ତି।

Comments are closed.