ଗାଁ ଦାଣ୍ଡରେ ଗଞ୍ଜପା ତାସ୍

0

ବ୍ରହ୍ମପୁର: ଗାଁ ମଣ୍ଡପ, ଆମ୍ବତୋଟା ଅବା ଯେ କୌଣସି ଖୋଲା ଯାଗାରେ ତାସ୍ ଖେଳର ଆସର ଜମିଥାଏ । କ୍ଲାନ୍ତି ମେଂଟାଇବା ପାଇଁ ହେଉ  କିମ୍ବା ମନକୁ ହାଲକା କରାଇବା ପାଇଁ ହେଉ ତାସ ଖେଳ ଖେଳାଯାଇଥାଏ । ତେବେ ବହୁ ବର୍ଷ ପୂର୍ବରୁ ଚକା ତାସ୍ ବା ଗଞ୍ଜପା ଖେଳର ପରମ୍ପରା ରହିଆସିଛି । ଚକାତାସକୁ କୁହାଯାଏ ଗଞ୍ଜପା ତାସ । ଗୋଲିଆ ତାସ୍ ହାତରେ ଗଡ଼ାଇବା ପାଇଁ ବା ଖେଳିବା ପାଇଁ ସୁବିଧା ହୁଏ ବୋଲି ପଟିକୁ ଚକ୍ର ଆକୃତିର କାଟି ତାକୁ ଚିତ୍ରିତ କରିବା ପରେ ଗଞ୍ଜପା କୁହାଯାଏ । ଗଞ୍ଜପା ୯୬, ୧୨୦, ୧୪୪ ମୁଠାରେ ସଜାଯାଇଥାଏ । ଏଥିରେ ବିଭିନ୍ନ ରଙ୍ଗ ବି ଥାଏ । ଆଠ ରଙ୍ଗି, ୧୦ ରଙ୍ଗି, ୧୨ ରଙ୍ଗି, ୧୪ ରଙ୍ଗି, ୧୬ ରଙ୍ଗି, ୨୦ ରଙ୍ଗି, ୨୮ ରଙ୍ଗି ନାମରେ ନାମକରଣ ହୋଇଥାଏ ।

ହରପ୍ପା କଳାରୁ ଆରମ୍ଭ କରି ଦଶବତାର, ରାମାୟଣ ଚିତ୍ରିତ ହୋଇଥାଏ । ପୁରୀର ରଘୁରାଜପୁରରେ ମୋଗଲ ଗଞ୍ଜପା, ଦଶଅବତାର ଗଞ୍ଜପା, ଗଞ୍ଜାମର ଚିକିଟିରେ ଅଷ୍ଟମଲ୍ଲସାର, ଦିଗପହଣ୍ଡିର ବନ୍ଧସାର, ପାରଳାଖେମୁଣ୍ଡିର ଚଢ଼େଇସାର, ସୋନପୁରରେ ଗଞ୍ଜପା ରାମାୟଣ ଚିତ୍ର ପାଇଁ ସୁଖ୍ୟାତି ଅର୍ଜନ କରିଛି । ଗଞ୍ଜପା ନକ୍ସ ଏବଂ ଡୁଗି ଖେଳ ପାଇଁ ପ୍ରସିଦ୍ଧ । ଗଞ୍ଜପା ସାର ସମ୍ପର୍କରେ ଏକ ମଜାଦାର ଲୋକକଥା ମଧ୍ୟ ଶୁଣିବାକୁ ମିଳେ । ତାହା ହେଲା ଜଣେ ରାଜା ମାନସିକ ଭାବେ ଭାରାକ୍ରାନ୍ତ ହୋଇ ଅସ୍ଥିର ହୋଇପଡ଼ିଥିବାବେଳେ ଜଣେ ଚିତ୍ରକର ଗୋଲେଇ ତାସ୍ କରି ବିଭିନ୍ନ ରଙ୍ଗର ଚିତ୍ର ଦେଇ ରାଜାଙ୍କ ସମ୍ମୁଖରେ ଗଡ଼ାଇବା ଆରମ୍ଭ କରିଥିଲେ । ଏହା ସହ ତାସ୍କୁ ଖେଳାଇ ମନ ଜିଣି ପାରିଥିଲେ ରାଜାଙ୍କ । ପାଏ’ ସଦୃଶ୍ୟ ତାସ ରାଜାଙ୍କ ମନକୁ ଖୁସି କରିପାରିଥିବାରୁ ତାକୁ ସେତେବେଳେ ନାମକରଣ କରିଥିଲେ ଗଞ୍ଜପା । ୧୫୨୭ ଖ୍ରୀଷ୍ଟାବ୍ଦରେ ବାବରଙ୍କ ଦ୍ୱାରା ଲିଖିତ ଆତ୍ମଜୀବନୀରେ ମଧ୍ୟ ଗଞ୍ଜପା ବିଷୟରେ ଉଲ୍ଲେଖ ରହିଥିବା ଜଣାଯାଏ । ଭାରତର ବିଭିନ୍ନ ରାଜ୍ୟରେ ଗଞ୍ଜପା ତାସ ବ୍ୟବହାର ହୋଇ ଆସୁଥିବାବେଳେ ଆମ ଓଡ଼ିଶାରେ ମଧ୍ୟ ଗଞ୍ଜପା ତାସର ବହୁଳ ବ୍ୟବହାର ରହିଆସିଥିଲା । ତେବେ ପରିବର୍ତିତ ସମୟାନୁକ୍ରମେ ଏହା କମି କମି ଆସିଛି ଏବଂ ଗଞ୍ଜପା ତାସ୍ ତିଆରି କରୁଥିବା ଚିତ୍ରକାରଙ୍କ ସଂଖ୍ୟା ମଧ୍ୟ କମିଯାଉଛି । ମହାପାତ୍ର ଓ ମହାରଣା ସାଙ୍ଗିଆ ଥିବା ଚିତ୍ରକରମାନେ ଏହାକୁ ତିଆରି କରିଥାନ୍ତି ।

Leave A Reply