ଟିପର ଚୋରି ଉଦ୍ୟମ ବିଫଳ

ଗଞ୍ଜାମ : ରମ୍ଭା ଥାନା ଅନ୍ତର୍ଗତ ସୁବଳୟା ପଞ୍ଚାୟତର ଶତୃଷୋଲ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତ୍ରରେଏକ ଟିପର ଗାଡି ଚୋରି ଉଦ୍ୟମକରି ଚୋର ଦଳ ବିଫଳ ହୋଇଥିବା ଜଣାପଡ଼ିଛି। କାରଣ ଗାଡିଟିକୁ ସେମାନେ ବୁଲାଇବା ବେଳେ ତାହା ବିଲ ତଳକୁ ଖସି ଯାଇଥିଲା। ଫଳରେ ସେମାନେ ଆଉ ନେଇ ପାରି ନଥିଲେ। ଚୋର ମାନେ କେଉଁ ଆଡ଼େ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୁଲିସକୁ ଖବର ଦେବାପରେ ସେମାନେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ,ଶୁକ୍ରବାର ବିଳମ୍ବିତ ରାତ୍ରରେ ତିନୋଟି ବାଇକରେ ଛଅ ଜଣ ଚୋର ସ୍ଥାନୀୟ ଲେବଲ କ୍ରସିଂ ପାର ହୋଇ ପ୍ରଥମେ ପଇଁତାରା ମାରି ଚାଲିଯାଇଥିଲେ। ପରେ ଗୋଟିଏ ବାଇକରେ ଦୁଇଜଣ ଚୋର ଆସି ପ୍ରକାଶ ପଲାଇଙ୍କ ଟିପର ଗାଡ଼ିକୁ ନେବା ପାଇଁ ଚେଷ୍ଟା ଚଳାଇଥିବା ସମୟରେ ଗାଡିଟି ବୁଲାଇବା ବେଳେ ତାହା ରାସ୍ତା ପାଖରେ ଥିବା ବିଲକୁ ଖସି ଯାଇଥିଲା। ଯାହା ଫଳରେ ଗାଡିଟିକୁ ନେଇ ପାରିନଥିଲେ। ହଠାତ ଶବ୍ଦ ହେବାରୁ ନିକଟସ୍ଥ ଘରର ଜଗନ୍ନାଥ ପ୍ରଧାନ ଉଠି ଆସିଦେଖିଲେ। ତୁରନ୍ତ ରମ୍ଭା ପୁଲିସକୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ।ଖବର ପାଇ କିଛି ସମୟ ମଧ୍ୟରେ ରମ୍ଭା ଥାନା ଅଧିକାରୀ ସ୍ୱରୂପ କିଷନଙ୍କ ନେତୃତ୍ୱରେ ପୁଲିସ ଟିମ ଓ ହୂମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ପହଞ୍ଜିବା ପୂର୍ବରୁ ଚୋର ମାନେ ଛତ୍ରଭଙ୍ଗ କରିସାରିଥିଲେ। ଏହି ଘଟଣାର ଫୁଟେଜ ସିସିଟିଭି ରେ କଏଦ ହୋଇଥିଲା। ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି।
କିଛି ବର୍ଷ ତଳେ ସ୍ଥାନୀୟ ପାଲୁର ଛକରେ ଏଟିଏମ ଲୁଟ ଉଦ୍ୟମ ହୋଇଥିବା ବେଳେ ଦୁଇଦିନ ତଳେ ଗଞ୍ଜାମ ଥାନା ଅନ୍ତର୍ଗତ ଗୋଖରକୁଦା ଗ୍ରାମରୁ ଏକ ବୁଲେଟ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ବର୍ତ୍ତମାନ ଚୋର ଦଳ ଚୋରି କରିବା ପାଇଁ ବିଭିନ୍ନ ଅଞ୍ଚଳରେ ସକ୍ରିୟ ହୋଇ ଉଠିଛନ୍ତି। ଫଳରେ ପୁଲିସ ପାଟ୍ରୋଲିଂ କଡାକଡି କରିବା ପାଇଁସାଧାରଣରେ ଦାବୀ ହେଉଛି।

Comments are closed.