ଗଞ୍ଜାମ​ରେ ଟିକା ଅଭାବ, ଆଜିଠୁ ୨୦୧ କେନ୍ଦ୍ରରେ ଟିକାକରଣ ବନ୍ଦ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ କରୋନା ଟିକାର ଘୋର ଅଭାବ ପରିଲକ୍ଷିତ ହୋଇଛି। ବୁଧବାରଠାରୁ ଟିକାକରଣ ଏକ ପ୍ରକାର ବନ୍ଦ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ଜିଲାରେ ମୋଟ ୨୧୦ଟି କେନ୍ଦ୍ରରେ ଟିକାକରଣ ହେଉଥିଲା। କିନ୍ତୁ ଟିକା ଅଭାବ ଯୋଗୁ ବୁଧବାର ମାତ୍ର ୯ଟି କେନ୍ଦ୍ରରେ ଟିକା ଦିଆଯିବ। ସେଗୁଡିକ ହେଲା ବାଲିସିରା, ବେଲଗୁଣ୍ଠା, ଚିକିଟି, ଧରାକୋଟ, ବୁଗୁଡ଼ା ଏବଂ ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ତାରସିଂ, ନୂଆପଡ଼ା, ସୁରଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ବ୍ରହ୍ମପୁର ସହରରେ ଟିକାକରଣ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ବୟସ୍କ ବ୍ୟକ୍ତି ଟିକା ଦେବା ପାଇଁ କେନ୍ଦ୍ରକୁ ଆସି ନିରାଶରେ ଫେରିଛନ୍ତି।

ସ୍ବାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଦୁଇଦିନ ହେଲା ଟିକା ଅଭାବ ଦେଖାଦେଇଛି। ୨୧୦ଟି କେନ୍ଦ୍ର ମଧ୍ୟରୁ ମଙ୍ଗଳବାର ମାତ୍ର ୩୨ଟି କେନ୍ଦ୍ରରେ ଟିକାକରଣ ହୋଇଥିଲା। ପୂର୍ବରୁ ସାରା ଜିଲାରେ ଦିନକୁ ପ୍ରାୟ ୩୦ହଜାର ଟିକା ଦିଆଯାଉଥିଲା। କିନ୍ତୁ ମଙ୍ଗଳବାର କେବଳ ୫ହଜାର ୩୪୭ଟି ଟିକା ଦିଆଯାଇଛି। ୪୫ରୁ ୬୦ ବର୍ଷ ବୟସ୍କଙ୍କ ମଧ୍ୟରେ ୩ହଜାର ୪୩୯ଜଣ ପ୍ରଥମ ଡୋଜ୍‌ ଏବଂ ୫୭ଜଣ ଦ୍ବିତୀୟ ଡୋଜ୍‌ ଟିକା ନେଇଥିଲେ। ସେହିଭଳି ୬୦ ବର୍ଷ ବୟସରୁ ଊର୍ଦ୍ଧ୍ବ ୧୫୩୯ଜଣ ପ୍ରଥମ ଡୋଜ ଏବଂ ୩୧୨ଜଣ ଦ୍ବିତୀୟ ଡୋଜ୍‌ ନେଇଛନ୍ତି।

ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୮୪ଜଣ ଟିକା ନେଇଥିବା ବେଳେ ଆସିକା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ୧୪୩, ବେଲଗୁଣ୍ଠାରେ ୧୫୫, ଭଞ୍ଜନଗର ବ୍ଲକରେ ୬୨, ଭଞ୍ଜନଗର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ୨୦୨, ବୁଗୁଡ଼ାରେ ୨୫୧, ଚିକିଟିରେ ୬୮୯, ଧରାକୋଟରେ ୨୬୮, ଦିଗପହଣ୍ଡିରେ ୯୨, ଗଞ୍ଜାମରେ ୩୫୨, ହିଂଜିଳିକାଟୁରେ ୫୦୦, ଜଗନ୍ନାଥପ୍ରସାଦରେ ୨୩୬, କବିସୂର୍ୟ୍ୟନଗରରେ ୮୮, କୁକୁଡ଼ାଖଣ୍ଡିରେ ୧୪୮, ପାତ୍ରପୁରରେ ୨୮୪, ପୋଲସରାରେ ୫୫୫, ସାନଖେମୁଣ୍ଡିରେ ୩୮୩,ସୋରଡ଼ାରେ ୭୨୬ ଜଣ ଟିକା ନେଇଛନ୍ତି। ବ୍ରହ୍ମପୁର ସହରରର ୮ଟି ଯାକ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ ଏବଂ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଟିକାକରଣ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ସେହିଭଳି ବେଗୁନିଆପଡ଼ା, ଛତ୍ରପୁର, ଖଲିକୋଟ, ପୁରୁଷୋତ୍ତମପୁର, ରଙ୍ଗେଇଲୁଣ୍ଡା ଏବଂ ଶେରଗଡ଼ ବ୍ଲକରେ ମଧ୍ୟ ଟିକାକରଣ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। କେବଳ ସରକାରୀ ନୁହଁ, ବେସରକାରୀ ହସ୍‌ପିଟାଲରେ ମଧ୍ୟ ଟିକାକରଣ ପ୍ରଭାବିତ ହୋଇଛି। ମଙ୍ଗଳବାର ମାତ୍ର ୨୯ଜଣ ଟିକା ନେଇଛନ୍ତି।

Comments are closed.