ଇତିହାସ ପାଲଟିବ କିଆଫୁଲ ଚାଷ ଓ ଅତର ଶିଳ୍ପ

ସରିଯିବ ଜିଆଇ ଟ୍ୟାଗ ଅବଧି

ଗୋପାଳପୁର : ଗଞ୍ଜାମ ଜିଲାର କିଆଫୁଲକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବାର ୮ ବର୍ଷ ଅତିକ୍ରାନ୍ତ ହୋଇଛି। ଆସନ୍ତା ଡ଼ିସେମ୍ବର ମାସ ସୁଦ୍ଧା ପୁଣିଥରେ ଜିଆଇ ଟ୍ୟାଗ ପାଇବା ନିମନ୍ତେ ସଂଘ ପକ୍ଷରୁ ଆବେଦନ କରାନଗଲେ ଏହି ମାନ୍ୟତା ପ୍ରତ୍ୟାହାର ନିଶ୍ଚିତ । ସରକାର କିମ୍ବା ଏହି ଚାଷ ଉପରେ ନିର୍ଭର କରୁଥିବା ଚାଷୀଙ୍କ ଏଥିପ୍ରତି ତିଳେ ହେଲେ ତତ୍ପରତା ପ୍ରକାଶ ପାଇନି। ଏଣେ କିଆଫୁଲ ଚାଷ ଏବଂ ଏହା ଉପରେ ଆଧାରିତ ଅତର ଶିଳ୍ପ ଧିରେ ଧିରେ ଅଞ୍ଚଳରୁ ଉଭେଇଇବାରେ ଲାଗିଛି। ଉପଯୁକ୍ତ ବିକ୍ରିବଟାର ଅଭାବ, ପ୍ରଚାର ଏବଂ ପ୍ରସାର ଦିଗରେ ଧ୍ୟାନ ଦିଆନଯିବା, ଶ୍ରମ ତୁଳନାରେ ମୂଲ ନମିଳିବା, ଅତର ଶିଳ୍ପକୁ ପ୍ରୋତ୍ସାହନ ଦିଆନଯିବା ଆଦି କାରଣରୁ ଗଞ୍ଜାମ ଜିଲାର ଏହି ଅନନ୍ୟ ଶିଳ୍ପ ଆଗାମୀ ଦିନରେ କେବଳ ଇତିହାସ ହୋଇ ରହିଯିବାର ଯଥେଷ୍ଟ ସମ୍ଭାବନା ରହିଛି।

ଗଞ୍ଜାମ ଜିଲାର ଛତ୍ରପୁର, ରଙ୍ଗେଇଲୁଣ୍ଡା, ଗଞ୍ଜାମ ଓ ଚିକିଟି ବ୍ଲକର ୨୪୦ ଗ୍ରାମର ୨ ଲକ୍ଷ ପରିବାର ଓତପ୍ରୋତଃ ଭାବେ କିଆଫୁଲ ଚାଷ ଓ ଅତର ଶିଳ୍ପ ଉପରେ ନିର୍ଭରଶୀଳ। ଦୀର୍ଘ ଦଶନ୍ଧି ଧରି ଏହିସବୁ ଅଞ୍ଚଳରେ କିଆ ଫୁଲଚାଷ କରାଯାଉଛି। ଫୁଲକୁ କିଆଭାଟିକୁ ଚାଷୀ ବିକ୍ରି କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ଏହା ମଧ୍ୟରେ କିଆଫୁଲକୁ ଜିଆଇ ଟ୍ୟାଗର ମାନ୍ୟତା ମିଳିବା ସହ ଏହାକୁ ଆନ୍ତର୍ଜାତିକସ୍ତରରେ ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲେ ସୁଦ୍ଧା ଯେଭଳି ଭାବେ ଏହାର ପ୍ରଚାର, ପ୍ରସାର ଓ ବ୍ୟବହାର ସହ ବ୍ୟବସାୟିକ ଭିତ୍ତିଭୂମି ସୁଦୃଢ ହେବା କଥା ତାହା ହୋଇପାରିନି। ରାଜ୍ୟ ସରକାର କିମ୍ବା ଗଞ୍ଜାମ କେୱଡା ଡେଭଲପମେଣ୍ଟ ଟ୍ରଷ୍ଟ ପକ୍ଷରୁ ଉଚିତ ପଦକ୍ଷେପ ଗ୍ରହଣ କରାନଯିବାରୁ ଏହା ସ୍ଥିତି ପୂର୍ବ ତଥା ପରଂ ରହିଛି।

ସୂଚନା ମୁତାବକ ଗଞ୍ଜାମ କେୱଡା ଡେଭଲପମେଣ୍ଟ ଟ୍ରଷ୍ଟ ପକ୍ଷରୁ ୨୦୧୦ ମସିହା ଡିସେମ୍ବର ୨୪ ତାରିଖରେ କିଆଫୁଲକୁ ଜିଆଇ ଟ୍ୟାଗ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରାଯାଇଥିଲା। ଏହାପରେ ଜିଆଇ ଟ୍ୟାଗ ପ୍ରଦାନ କରୁଥିବା ସଂସ୍ଥା ପକ୍ଷରୁ ଏକ କମିଟି ଗଠନ ପୂର୍ବକ ୨୦୧୨ ମସିହା ମାର୍ଚ୍ଚ ୧୯ ତାରିଖରେ କିଆଫୁଲକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଥିଲା। ଚଳିତ ବର୍ଷ ଡିସେମ୍ବର ମାସ ୨୩ ତାରିଖ ପର୍ଯ୍ୟନ୍ତ ଏହାର ଅବଧି ରହିଛି। ବିଭାଗ ପକ୍ଷରୁ ଆସନ୍ତା ୨୫ ନଭେମ୍ବର ମଧ୍ୟରେ ଆଉ ୧୦ ବର୍ଷ ନିମନ୍ତେ ପୁନଃ ଜିଆଇ ଟ୍ୟାଗର ଅବଧି ବୃଦ୍ଧି ନିମନ୍ତେ ଆବେଦନ କରିବାକୁ କୁହାଯାଇଛି। କିନ୍ତୁ ଟ୍ରଷ୍ଟ ଗଠନ କରିଥିବା ତଥା ଏହାର ଅଧ୍ୟକ୍ଷ ରହିଥିବା ପି.ଆଦିନାରାୟଣ ରେଡ୍ଡୀଙ୍କ ଦେହାନ୍ତ ପରେ ଟ୍ରଷ୍ଟ ଏକ ପ୍ରକାର ଅଚଳାବସ୍ଥାକୁ ଚାଲି ଆସିଛି।

ଏଥିସହ କିଆଫୁଲର ଗୁଣବତ୍ତା ଯାଞ୍ଚ ଏବଂ କିଆଫୁଲ ସହ ଅନ୍ୟାନ୍ୟ ସୁଗନ୍ଧିତ ଫୁଲର ଚାଷ ଓ ଏହାର ପ୍ରକ୍ରିୟାକରଣ କରିବା ପାଇଁ ଉପଯୁକ୍ତ ଜ୍ଞାନକୈଶଳ ସହ ତାଲିମ ଦେବା ନିମନ୍ତେ ୨୦୦୧ ମସିହାରେ ବ୍ରହ୍ମପୁର ଶିଳ୍ପାଞ୍ଚଳରେ କେୱଡା ରିସର୍ଚ୍ଚ ସେଣ୍ଟର ସ୍ଥାପନ କରାଯାଇଥିଲା। କିନ୍ତୁ ଏବେ ସେଠାରେ କର୍ମଚାରୀ ଅଭାବ ସାଙ୍ଗକୁ ଚାଷୀ କିମ୍ବା ଭାଟି ମାଲିକ ନିର୍ଭର କରୁନଥିବା ଯୋଗୁ ଏକ ପ୍ରକାର ସ୍ଥାଣୁ ଅବସ୍ଥାକୁ ଚାଲି ଆସିଛି।

ଗଞ୍ଜାମର କିଆଫୁଲ ଚାଷ ଓ ଅତରର ଏକ ସୁବ୍ୟବସ୍ଥିତ ବଜାର ସୃଷ୍ଟି କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବାରୁ ଆଜି ଏହି ଶିଳ୍ପ ସଂକଟ ଦେଇ ଗତି କରୁଥିବା ଅନେକ କିଆଫୁଲ ଚାଷୀ ଓ ଭାଟି ମାଲିକମାନେ ଅଭିଯୋଗ କରିଛନ୍ତି। ସରକାରଙ୍କ ଅଧିନରେ ରହିଥିବା କୃଷି କିମ୍ବା ଉଦ୍ୟାନ ବିଭାଗ ଏହି ଚାଷ ପାଇଁ ଉପଯୁକ୍ତ ତାଲିମ ,ବଜାର ସୃଷ୍ଟି ପାଇଁ ଉଦ୍ୟମ ନକଲେ ଆଗାମୀ ଦିନରେ କିଆଫୁଲ ଚାଷ ଓ ଏହାର ଅତର ଶିଳ୍ପ କେବଳ ଇତିହାସ ପୃଷ୍ଠାରେ ରହିଯିବ ବୋଲି କେଲୁଆପଲ୍ଲୀର ଭାଟି ମାଲିକ ଅନୁଜ ନାୟକ ମତ ପ୍ରକାଶ କରିଛନ୍ତି। ବିଗତ କିଛି ବର୍ଷ ଧରି ଗୁଟୁଖା ପ୍ରସ୍ତୁତି ଓ ବିକ୍ର ଉପରେ କଟକଣା ଲାଗୁ ହେବା ପରଠାରୁ କିଆଫୁଲ ଅତରର ଚାହିନ୍ଦା ହ୍ରାସ ପାଇଥିଲା। ଗଞ୍ଜାମ ଜିଲାରେ ରହିଥିବା ଭାଟି ମାଲିକଙ୍କ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ଅତରର ମୂଲ୍ୟ ଠିକ ରହୁନଥିବାରୁ ଭାଟି ମାଲିକମାନେ ଏହି ବ୍ୟବସାୟ ପ୍ରତି ବିମୁଖ ହେଲେଣି। ଜିଲାର ଆଗ୍ରାହାମ ଓ କେଲୁଆପଲ୍ଲୀ ମଣ୍ଡି ହିଁ କିଆଫୁଲ ବ୍ୟବସାୟର ପେଣ୍ଠସ୍ଥଳୀ । ଗଞ୍ଜାମ ଜିଲା ସମେତ ଆନ୍ଧ୍ରପ୍ରଦେଶର କାବିଟି ଓ ପଲାସାରେ ମଧ୍ୟ ଭାଟି ସ୍ଥାପନ ହୋଇଛି। କିନ୍ତୁ ଅତର ବିକ୍ରିରେ ମାନ୍ଦାବସ୍ଥା ଯୋଗୁ କିଆଫୁଲ ଚାଷ ଓ ଅତରର ଶିଳ୍ପ ପ୍ରତି ବିପଦ ଘନେଇବାରେ ଲାଗିଛି ବୋଲି ସେ କହିଛନ୍ତି।

 

ଗଞ୍ଜାମ ଜିଲାରେ କିଆଫୁଲ ଭାଟି ସଂଖ୍ୟା ୨୦୦ରୁ ଖସି ୧୪୦ରେ ପହଞ୍ଚି ଯାଇଛି। ଏହି ବ୍ୟବସାୟ ସହ ଜଡ଼ିତ ରହିଥିବା ଚାଷୀ ଓ ଭାଟି ମାଲିକ ଓ ଭାଟିରେ କାମ କରୁଥିବା କର୍ମଚାରୀ ଏବେ ଅନ୍ୟ କାମଧନ୍ଦାକୁ ଆବୋରି ନେଲେଣି। ପ୍ରତିବର୍ଷ ଫୁଲ ଦର ସଠିକ ରହୁନଥିବାରୁ ଚାଷୀ କ୍ଷତି ସହୁଛନ୍ତି। ଜଣେ ଚାଷୀ ଅନୁନ୍ୟ ୫୦୦ରୁ ଉର୍ଦ୍ଧ୍ବ କିଆଫୁଲ ଭାଟିବାଲାଙ୍କୁ ଦେଇଥାନ୍ତି। ଭାଟି ମାଲିକ ଏହି ଫୁଲ ମଧ୍ୟରୁ କେବଳ ୨୦୦ଟି ଫୁଲକୁ କିଣିଥାନ୍ତି ଓ ବଳକା ଫୁଲକୁ ଫେରାଇ ଦେଉଛନ୍ତି। ଯଦ୍ବାରା ଶ୍ରମ ସ୍ବୀକାର କରିଥିବା ଚାଷୀ ଏହି ଚାଷ ଉପରେ ନିର୍ଭର କରି ଚଳିବାକୁ ଆଉ ଶ୍ରେୟ ମଣୁ ନାହଁାନ୍ତି। ଅନେକ ସମୟରେ ଫୁଲ ଉତ୍ପାଦନ ବଢ଼ିଲେ ଫୁଲ ଦର ସିଧା ୮ ଟଙ୍କାରୁ ୧ ଟଙ୍କାକୁ ଖସି ଆସୁଥିବାରୁ ବର୍ଷ ସାରା ଏହାର‌ ବିକ୍ରି ଉପରେ ନିର୍ଭର କରୁଥିବା ଚାଷୀ ହତାଶ ହେବାରେ ଲାଗିଛନ୍ତି। ଏଭଳି ପରିସ୍ଥିତି ଲାଗି ରହିଲେ ଗଞ୍ଜାମ ଜିଲାରେ କିଆଫୁଲ ଭାଟି ଅଚିରେ ବନ୍ଦ ହୋଇଯିବାର ସମ୍ଭାବନାକୁ ମଧ୍ୟ ଏଡାଇ ଦେଇ ହେଉ ନାହିଁ।

Comments
Loading...