ମାତିଛନ୍ତି ଡ଼କାୟତ, ନଜରରେ ଗହଣା ଦୋକାନ: ଦେଢ଼ ମାସରେ ଦ୍ବିତୀୟ ଚୋରି, ଲୁଟିନେଲେ ୨୦ ଲକ୍ଷ ଟଙ୍କାରୁ ଊର୍ଧ୍ବ ସୁନା

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ବଡ଼ବଜାରସ୍ଥିତ କେଶବ ଜୁଏଲର୍ସ ଦୋକାନରେ ବଡ଼ ଧରଣର ଚୋରି ହୋଇଛି । ଦୁର୍ବୃତ୍ତମାନେ ଛାତ ପଟୁ ଦୋକାନରେ ପ୍ରବେଶ କରି ୪ଶହ ଗ୍ରାମ ସୁନା ଅଳଙ୍କାର ସହ ଏକ ଲକ୍ଷ ୪୦ ହଜାର ଟଙ୍କା ଚୋରି କରିନେଇଛନ୍ତି । ଏନେଇ ଦୋକାନର ମାଲିକ ପି.ସତ୍ୟ ନାରାୟଣ ସେନାପତି ବଡ଼ବଜାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତି ଏବଂ ଆଇଆଇସି ପ୍ରଶାନ୍ତ ଭୁପତି ସରଜମିନ୍‌ ତଦନ୍ତ କରିଛନ୍ତି ।

ଅକ୍ଟୋବର ୩୦ ତାରିଖରେ ମଧ୍ୟ ସମାନ ଧରଣର ଚୋରି ହୋଇଥିଲା । କେଶବ ଜୁଏଲର୍ସର ମାତ୍ର ୨ଟି ଦୋକାନ ଦୂରରେ ଥିବା ବିନୋଦ ଜୁଏଲର୍ସର ମଧ୍ୟ ଛାତପଟୁ ଦୁର୍ବୃତ୍ତମାନେ ପଶି ୨କିଲୋ ୮ଶହ ଗ୍ରାମ ସୁନା ଅଳଙ୍କାର ଚୋରି କରିନେଇଥିଲେ । ବାରମ୍ବାର ଚୋରିକୁ ନେଇ ସୁନା ଦୋକାନୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।

ଅଭିଯୋଗ ଅନୁସାରେ  ବୁଧବାର ରାତିରେ ଦୁର୍ବୃତ୍ତମାନେ ଟିଣକୁ ହଟାଇବା ପରେ ୨୦ଏମ୍‌ଏମ୍‌ର ଲୁହା ଛଡ଼କୁ କାଟି ଭିତରକୁ ପଶିଥିଲେ । ଦୋକାନର ପ୍ରଥମ ଫ୍ଲୋର୍‌ରେ ରଖାଯାଇଥିବା ୪ଶହ ଗ୍ରାମ ସୁନା ଅଳଙ୍କାର ନେଇଯାଇଛନ୍ତି । ଦୋକାନର ସମସ୍ତ ସୁନା ଓ ରୂପା ଅଳଙ୍କାର ଲକର୍‌ ରୁମ୍‌ରେ ରଖାଯାଇଥିଲା । ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଯୋଗୁ ଦୁର୍ବୃତ୍ତମାନେ ଲକର୍‌ରୁ ସୁନା ବାହାର କରି ପାରି ନାହାନ୍ତି । ଯେଉଁ ୪ଶହ ଗ୍ରାମର ସୁନା ରହିଥିଲା, ସେଗୁଡ଼ିକ ବଦଳ ସୁନା । ଗ୍ରାହକମାନେ ନୂଆ ଅଳଙ୍କାର ନେବା ପାଇଁ ପୁରୁଣାଗୁଡ଼ିକ ବଦଳ କରିଥିବା ଯୋଗୁ ଲକର୍‌ ବଦଳରେ ବାହାରେ ରଖାଯାଇଥିଲା । ପରେ ଦୁର୍ବୃତ୍ତମାନେ କ୍ୟାସ୍‌ କାଉଣ୍ଟର୍‌ରୁ ଏକ ଲକ୍ଷ ୪୦ ହଜାର ଟଙ୍କା ନେଇଯାଇଛନ୍ତି । ସକାଳୁ ଦୋକାନ ଖୋଲିବା ପରେ ଜିନିଷପତ୍ର ଫିଙ୍ଗା ପୋଫଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ଚୋରି ଆଶଙ୍କାରେ ପୁଲିସରେ ଦୋକାନ ମାଲିକ ଅଭିଯୋଗ କରାଯାଇଥିଲା । ଦୁର୍ବୃତ୍ତମାନେ ସିଟିଟିଭି କ୍ୟାମେରାଗୁଡ଼ିକର ତାରକୁ ଛିଣ୍ଡାଇ ଦେଇ ସଂଯୋଗ ବିଚ୍ଛିନ୍ନ କରାଯିବା ସହ ସିଷ୍ଟମ୍‌କୁ ବନ୍ଦ କରିଦିଆଯାଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି । ତଥାପି ଅଳ୍ପ କିଛି ଫୁଟେଜ୍‌କୁ ନେଇ ତଦନ୍ତ ଚଳାଇଛି । ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛି ।


ଦୋକାନର ମାଲିକ ତଥା ବ୍ରହ୍ମପୁର ଜୁଏଲର୍ସ ଆସୋସିଏସନ୍‌ ଏବଂ ଗଞ୍ଜାମ ଜିଲା ଜୁଏଲର୍ସ ଆସୋସିଏସନ୍‌ର ସଭାପତି ସତ୍ୟନାରାୟଣଙ୍କ କହିବାନୁଯାୟୀ, ଏଭଳି ସୁରକ୍ଷା ବ୍ୟବସ୍ଥା ସହରର ଅନ୍ୟ କୌଣସି ଦୋକାନରେ ନ ଥିବ । ତଥାପି ଦୁର୍ବୃତ୍ତମାନେ ଚୋରି କରିବାକୁ ସାହାସ କରିଛନ୍ତି । ସହରରେ ପୂର୍ବରୁ ମଧ୍ୟ ସମାନ ଧରଣର ଏକ ଚୋରି ହୋଇଛି । ଦୋକାନୀମାନେ ଅଧିକ ସତର୍କ ହେବା ସହ ପୁଲିସ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି । ଏସ୍‌ପି ପିନାକ ମିଶ୍ର କହିଛନ୍ତି, ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ ହୋଇଛି । ଯୋଜନାବଦ୍ଧ ଭାବେ ଚୋରି କରାଯାଇଛି । କେହି ଜଣାଶୁଣା ଲୋକ ଏଥିରେ ସଂପୃକ୍ତ ଥାଇପାରନ୍ତି । ଖୁବ୍‌ ଶୀଘ୍ର ଦୁର୍ବୃତ୍ତମାନେ ଧରାହେବେ ବୋଲି ସେ ପ୍ରକାଶ କରିଛନ୍ତି ।

Comments are closed.