ଗଞ୍ଜାମ ପ୍ରଶାସନର ‘ଜୱାଦ’ ମୁକାବିଲା: ଆଜି ବସ୍, ଅଟୋ ସେବା ବନ୍ଦ

ଛତ୍ରପୁର: ବାତ୍ୟା ‘ଜୱାଦ୍’ ଓଡିଶା ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ସୃଷ୍ଟି ହେବାକୁ ଯାଉଥିବା ପ୍ରାକୃତିକ ଦୁର୍ବିପାକର ମୁକାବିଲା କରିବାକୁ ଗଞ୍ଜାମ ଜିଲା ପ୍ରଶାସନ ବ୍ୟାପକ ସତର୍କତା ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଆଜି ବସ ଓ ଅଟୋ ଚଳାଚଳ ବନ୍ଦ ସହ ଜିଲାର ସବୁ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି।

ପାତ୍ରପୁର, ଚିକିଟି, ସୋରଡା, ଗୋପାଳପୁର, ସୁନପୁରର ତଳିଆ ସ୍ଥାନରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ଆଶ୍ରୟସ୍ଥଳରେ ରଖାଯିବ। ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯିବ। ମାଟି ଅତଡା ଧସିବା ସମ୍ଭାବନା ରହୁଥିବା ସ୍ଥାନ ଏବଂ କଚ୍ଚାଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଖାଲୁଆ ଅଞ୍ଚଳରେ ଫସଲ ରହିଥିବା ଚାଷ ଜମିର ଫଟୋ ଏବଂ ଭିଡିଓ ଉତ୍ତୋଳନ କରାଯିବ। ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ରକୁ ଯାଇଛନ୍ତି ସେମାନଙ୍କୁ ଫେରାଇ ଆଣିବାକୁ ନିର୍ଦେଶ ଦିଆଯାଇଛି। ୫ ତାରିଖ ପଯ୍ୟନ୍ତ ପର୍ୟ୍ୟଟକ ଓ ସର୍ବସାଧାରଣଙ୍କ ସମୁଦ୍ର ପରିଭ୍ରମଣ ଉପରେ ରୋକ ଲଗାଯାଇଛି। ଧାନ ଓ ପନିପରିବା ସୁରକ୍ଷିତ ରଖିବାକୁ କୃଷକଙ୍କୁ ସତର୍କ କରାଇ ଦିଆଯାଇଛି। ପାତ୍ରପୁର, ଚିକିଟି, ଛତ୍ରପୁର, ଗଞ୍ଜାମ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପୂର୍ଣ୍ଣ ସଜାଗ କରାଯାଇଛି।

ଜେନେରେଟର, ପାଣି, ଔଷଧ, ଶୁଖିଲା ଖାଦ୍ୟ, ଚୁଡା, ଗୁଡ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଯୁଦ କରି ରଖିବାକୁ କୁହାଯାଇଛି। ଯେଉଁ ସ୍ଥାନରେ ରାସ୍ତା କଟିଯିବାର ସମ୍ଭାବନା ରହିଛି ସେହି ଅଞ୍ଚଳ ପ୍ରତି ନଜର ରଖାଯିବ। ବିନା ଦ୍ବିଧାରେ ବର୍ଷାଜଳ ଯେପରି ନିଷ୍କାସନ ହେବ ସେଥିପ୍ରତି ଡ୍ରେନେଜ ବିଭାଗ ଜାଗତିଆର ରହିବାକୁ କୁହାଯାଇଛି। ଆଜି ଜିଲାର ସମସ୍ତ ବସ୍ ଏବଂ ଅଟୋ ଚଳାଚଳ ସହ ବିଦ୍ୟାଳୟଗୁଡିକ ବି ବନ୍ଦ ରହିବ।

ଭଞ୍ଜନଗର, ସୋରଡା, ବାଘଲଟି, ଘୋଡାହାଡ ଡ୍ୟାମର ଜଳପତ୍ତନ ବୃଦ୍ଧି ପାଇବାର ସମ୍ଭାବନା ରହିଥିବାରୁ କେନାଲଗୁଡିକ ଏବେଠାରୁ ଖାଲି ରଖିବାକୁ ପରାମର୍ଶ ଦିଆଯାଇଛି। ଡ୍ୟାମରୁ ଜଳ ନିଷ୍କାସନ କରାଯିବ। ଏନଡିଆର୍ଏଫର ତିନୋଟି ଦଳ ପହଞ୍ଚିଛି। ଗୋଟିଏ ଲେଖାଏଁ ଦଳକୁ ଗଞ୍ଜାମ, ପାତ୍ରପୁର ଏବଂ ଗୋପାଳପୁରକୁ ପଠାଯାଇଛି। ସେହିପରି ଓଡିଆର୍ଏଫର ଦୁଇଟି ଦଳ ଆସିଛନ୍ତି। ଗୋଟିଏ ଦଳକୁ ଆସିକା ଏବଂ ଅନ୍ୟ ଏକ ଦଳ ରମ୍ଭାରେ ନିୟୋଜିତ ରହିଛନ୍ତି। ଛତ୍ରପୁର ଅଗ୍ନିଶମ ମଣ୍ଡଳ ଅଧିନରେ ୧୬ଟି ଷ୍ଟେସନ ରହିଥିବା ବେଳେ ଫୁଲବାଣୀରୁ ଦୁଇଟି ଦଳକୁ ଛତ୍ରପୁର ଅଣାଯାଇଛି। ସେହିପରି ବ୍ରହ୍ମପୁର ଅଧିନରେ ୮ଟି ଦଳ ରହିଥିବା ବେଳେ ଅତିରିକ୍ତ ଆଉ ତିନୋଟି ଦଳ ଆସିଛନ୍ତି। ଗଛ ପଡିଲେ ଜିଲାପାଳଙ୍କ ଆଦେଶକୁ ଅପେକ୍ଷା ନକରି ତହସିଲଦାର କିମ୍ବା ଉପଜିଲାପାଳଙ୍କ ପରାମର୍ଶ ନେଇ ଗଛ କାଟି ରାସ୍ତା ସୁଗମ କରିବାକୁ କୁହାଯାଇଛି। ଜୀବନ ସୁରକ୍ଷାକାରୀ ଦଳକୁ ଜ୍ୟାକେଟ୍ ପ୍ରଦାନ କରି ପୂର୍ବରୁ ଚିହ୍ନଟ କରି ରଖିବାକୁ କୁହାଯାଇଛି। ସବୁ ବିଭାଗ ଚବିଶ ଘଣ୍ଟିଆ ସଜାଗ ହୋଇ ରହିବାକୁ ନିର୍ଦେଶ ଦିଆଯାଇଛି। କେହି ସଦର ମହକୁମା ଛାଡିବେ ନାହିଁ। ପୁଲିସ ପ୍ରଶାସନକୁ ମଧ୍ୟ ସଜାଗ ହୋଇ ରହିବାକୁ କୁହାଯାଇଛି।

Comments are closed.