ଆକ୍ସନମୋଡରେ ଗଞ୍ଜାମ ଜିଲ୍ଲାପାଳ, କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ ଏତଲା ନିର୍ଦେଶ

ଛତ୍ରପୁର : ଆକ୍ସନମୋଡରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଗଞ୍ଜମା ଜିଲାରେ ହେଉଥିବା ବେନିୟମ କାମରେ ଲଗାମ ଲଗାଇବାକୁ ନେଉଛନ୍ତି ଦୃଢ ପଦକ୍ଷେପ। ଏହି କ୍ରମରେ ଗଞ୍ଜାମ ଜିଲାପାଳ ଗୁରୁବାର ବେନିୟମ କାର୍ଯ୍ୟ ପାଇଁ କର୍ମଚାରୀଙ୍କ ବିରୁଦ୍ଧରେ ଏତଲା ଦେବାକୁ ନିର୍ଦେଶ ଦେଇଛନ୍ତି। ପାଞ୍ଚ ଜଣ କର୍ମଚାରୀ ଓ ଦୁଇ ଜଣ ସରପଞ୍ଚଙ୍କ ବିରୁଦ୍ଧରେ ଏତଲା ଦେବାପାଇଁ ନିର୍ଦେଶ ଦେଇଛନ୍ତି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। ଦିଗପହଣ୍ଡି ବ୍ଲକର ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ମିଥୁନ କୁମାର ପ୍ରଧାନ ଓ ଟୁନା ସାହୁ ଦୀର୍ଘ ଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ସେମାନଙ୍କ ବିରୁଦ୍ଧରେ ଏତଲା ପାଇଁ ଦିଗପହଣ୍ଡି ଵିଡିଓଙ୍କୁ ନିର୍ଦେଶ ଦିଆଯାଇଛି। ସେହିପରି ଖଲ୍ଲୀକୋଟ ବ୍ଲକର ପୁର୍ବତନ ଗ୍ରାମ ପଞ୍ଚାୟତ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଏବଂ ବିକ୍ରମପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ମମତା ପ୍ରଧାନ କମ୍ପୁଟର କିଣାରେ ମିଥ୍ୟା ରସିଦ ଦେଇ ୫୦ ହଜାର ଟଙ୍କା ରୁ ଉର୍ଦ୍ଧ୍ବ ଟଙ୍କା ତୋଷାରପାତ ଅଭିଯୋଗରେ ଏମାନଙ୍କ ବିରୁଦ୍ଧରେ ଖଲିକୋଟ ବିଡ଼ିଓ ଥାନାରେ ଏତଲା ଦେବାକୁ କୁହାଯାଇଛି। କବିସୂର୍ଯ୍ୟନଗର ବ୍ଲକର ପୂର୍ବତନ ଗ୍ରାମ ପଞ୍ଚାୟତ ଅଧିକାରୀ ନୀଳକଣ୍ଠ ସ୍ୱାଇଁ ଓ ବଡ ମହୁରୀ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଟି. ଭାରତୀ ଡଷ୍ଟବିନ ଓ ଟ୍ରଲି ବାବଦରେ ମିଥ୍ୟା ରସିଦ ଦେଇ ଚାରି ଲକ୍ଷ ରୁ ଉର୍ଦ୍ଧ ଟଙ୍କା ତୋଷରପାତ କରିଥିବାରୁ ତାଙ୍କ ବିରୁଦ୍ଧରେ ଥାନା ରେ ଏତଲା ଦେବା ପାଇଁ ଵିଡିଓ ଙ୍କୁ କୁହାଯାଇଛି। ବେଲଗୁଣ୍ଠା ବ୍ଲକର ଖଇରପୁଟି ଗ୍ରାମ ପଞ୍ଚାୟତର ପୂର୍ବତନ ନିର୍ବାହୀ ଅଧିକାରୀ ହାଡୁ ନାୟକ ବହୁ ଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ତାଙ୍କ ବିରୋଧ‌ରେ ଏତଲା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ବିଡ଼ିଓଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

Comments are closed.