ସ୍ମାରକୀ ହୋଇଯିବ ଗଞ୍ଜାମର ଲବଣ ଚାଷ; ୫ ହଜାର ପରିବାରକୁ ରୋଜଗାର ଚିନ୍ତା

ଗଞ୍ଜାମ : ଗଞ୍ଜାମ ଜିଲାର ହୁମ୍ମା-ଗଞ୍ଜାମ ବ୍ଲକ ଅଞ୍ଚଳର ବିସ୍ତୀର୍ଣ୍ଣ ଲୁଣା ଜମି ପଡିଆ ପଡିଛି। ଉତ୍ପାଦନ ଋତୁ ହୋଇଥିଲେ ମଧ୍ୟ ଚାଷ କାର୍ଯ୍ୟ ଏଯାଏଁ ଆରମ୍ଭ ହୋଇନି। ସ୍ଥାନୀୟ ଜନପ୍ରତିନିଧି କିମ୍ବା ଜିଲା ପ୍ରଶାସନର ଏଥିପ୍ରତି ନଜର ନାହିଁ। ଲୁଣ ଉତ୍ପାଦନ ଜମି ଉପରେ ପରୋକ୍ଷ ଏବଂ ପ୍ରତ୍ୟେକ୍ଷ ଭାବେ ନିର୍ଭରଶୀଳ ୫ ହଜାର ପରିବାର ପ୍ରଭାବିତ ହୋଇଛନ୍ତି। ଲବଣ ଚାଷ କାମ ବନ୍ଦ ଯୋଗୁ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ବହୁ ପରିବାର ଚାଲି ଯାଇଛନ୍ତି। ଲବଣ ଚାଷର କିଭଳି ପୁନରୁଦ୍ଧାର ହୋଇପାରିବ ସେଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ଜରୁରୀ ହୋଇଛି।
କିଛିବର୍ଷ ହେଲା ଲୁଣ ଜମି ଲିଜ୍‍ଧାରୀ ଓ ଶ୍ରମିକଙ୍କ ମଧ୍ୟରେ ପାରିଶ୍ରମିକକୁ ନେଇ ଚୁକ୍ତିନାମା ହୋଇନପାରିବାରୁ ଶହଶହ ଏକର ଲୁଣାଜମି ପଡ଼ିଆ ରହିଛି। ଲୁଣା ଜମିରେ କାମ କରୁଥିବା ଶ୍ରମିକଙ୍କୁ ଲିଜଧାରୀମାନେ ଠିକ ଭାବେ ପାରିଶ୍ରମିକ ଦେଉନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଉତ୍ପାଦନ ପରେ ମହଯୁଦ ରହୁଥିବା ଲୁଣ ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ନଷ୍ଟ ହେଲେ ସେ ସବାବଦ କ୍ଷତିପୂରଣ ଶ୍ରମିକଙ୍କୁ ହିଁ ସହିବାକୁ ପଡୁଛି। ଯଦ୍ୱାରା ଅଧିକ ମାତ୍ରାରେ ଚାଷୀ କ୍ଷତି ସହୁଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ଏ ଦିଗରେ କୌଣସି ପ୍ରକାର ସହଯୋଗ ମିଳୁନି।
କେନ୍ଦ୍ର ସରକାରଙ୍କ ଲବଣ ବିଭାଗ ପକ୍ଷରୁ ହୁମ୍ମାଠାରେ ଏକ ଅଫିସ ରହିଥିଲେ ମଧ୍ୟ ତାହା ଶ୍ରମିକଙ୍କ ସମସ୍ୟା ପ୍ରତି କେବେ ଦୃଷ୍ଟି ଦେଉନି। ଫଳରେ ଶ୍ରମିକମାନେ ପାରମ୍ପରିକ ଲବଣ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିପାରୁନାହାନ୍ତି। ବର୍ତ୍ତମାନ ହୁମ୍ମା ନିକଟରେ ଅଳ୍ପ କେତେକ ଜମିରୁ ଲବଣ ଉତ୍ପାଦନ ହେଉଛି। ବାକି ଜମି ପଡ଼ିଆ ରହିଛି। ସେହିପରି ଗଞ୍ଜାମସ୍ଥିତ ହୁମ୍ମା-ବିଞ୍ଛଣାପଲ୍ଲୀ ଲବଣ ଉତ୍ପାଦନ ଓ ବିକ୍ରୟ ସମବାୟ ସମିତି ଅଧିନରେ ଥିବା ୭୩୦ ଏକର ଲବଣ ଜମିରୁ ୨୦୧୪ ମସିହାରେ ୧୨୩.୬୧୪ ଏକର ଜମିର ଲିଜ୍‍କୁ କେନ୍ଦ୍ର ସରକାର ବାତିଲ କରିଦେଇଛନ୍ତି। ଫଳରେ ସେହି ଜମିରେ କାର୍ଯ୍ୟରତ ଶ୍ରମିକଙ୍କ ଅବସ୍ଥା କହିଲେ ନସରେ। ଏହିସବୁ ଜମିରେ ଲଗାତାର ତିନିବର୍ଷ ଧରି ଲବଣ ଉତ୍ପାଦନ ବନ୍ଦ ଥିବା ଦର୍ଶାଇ ରାଜସ୍ଥାନ ଲବଣ କମିଶନର ଲିଜକୁ ବାତିଲ କରି ଦେଇଛନ୍ତି। ସେହିପରି ବଳକା ଜମିରେ ମଧ୍ୟ ସମିତିର ପରିଚାଳନାଗତ ଅପାରଗତା ଯୋଗୁ ସେସବୁ ଜମି ଉତ୍ପାଦନକ୍ଷମ ହେଉନାହିଁ।
୧୯୪୨ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ସମିତି ବର୍ତ୍ତମାନ ସମ୍ପୂର୍ଣ୍ଣ ଦେବାଳିଆ। ପୁନଃରୁଦ୍ଧାର ପାଇଁ ସବୁସ୍ତରରୁ ଉଦ୍ୟମ ଜରୁରୀ ହୋଇଛି। ଅନ୍ୟପଟେ ଗଞ୍ଜାମରେ ରହିଥିବା ଗ୍ରାସିମ୍‍ ଇଣ୍ଡଷ୍ଟ୍ରି ତାର କଷ୍ଟିକ୍‍ ସୋଡ଼ା ଉତ୍ପାଦନ ପାଇଁ କଞ୍ଚାମାଲ ରୂପେ ଲୁଣ ବ୍ୟବହାର କରୁଥିଲେ ମଧ୍ୟ କମ୍ପାନୀ ସ୍ଥାନୀୟ ଲବଣ କ୍ରୟ କରିବା ପରିବର୍ତ୍ତେ ବାହାର ରାଜ୍ୟରୁ ଆମଦାନୀ କରୁଛି। ବର୍ତ୍ତମାନ ଏହି କମ୍ପାନୀ ତାର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ପରିବେଶଗତ ମଞ୍ଜୁରୀ ନିମନ୍ତେ ଜନଶୁଣାଣୀ ମଧ୍ୟ ସାରିଛି। ବାର୍ଷିକ ୭୨ହଜାର ଟନରୁ ୧ଲକ୍ଷ ୫ ହଜାର ଟନ୍‍ କଷ୍ଟିକ୍‍ ସୋଡ଼ା ଉତ୍ପାଦନ ଲକ୍ଷ୍ୟଧାର୍ଯ୍ୟ ରଖିଛି। ଜନଶୁଣାଣୀ ସମୟରେ ସ୍ଥାନୀୟ କିଛି ଲୋକ ଏହି ଅଞ୍ଚଳର ଲୁଣ ଉତ୍ପାଦନକୁ କମ୍ପାନୀ ବ୍ୟବହାର କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏଣୁ ଏହାକୁ ଅଧିକ ମାତ୍ରାରେ କ୍ରିୟାଶୀଳ କରାଇ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରି କମ୍ପାନୀ କର୍ତ୍ତୃପକ୍ଷ ପଡ଼ିଥିବା ଲୁଣ ଜମିରୁ ଉତ୍ପାଦନକ୍ଷମ କରାଇଲେ ସ୍ଥାନୀୟ ଅଞ୍ଚଳର କର୍ମନିଯୁକ୍ତି ସୃଷ୍ଟି ହୋଇପାରିବା ସହିତ ଐତିହାସିକ ଲୁଣ ଜମି ପୁନଃରୁଦ୍ଧାର ହୋଇପାରିବ।

Comments are closed.