ପ୍ରେସ୍ ଲେଖାଥିବା କାରରୁ ଗଞ୍ଜେଇ ଓ ଟଙ୍କା ଜବତ, ୫ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ଗୋଛାପଡା ଥାନା ପୁଲିସ୍ ପ୍ରେସ୍ ଲେଖାଥିବା ଏକ କାରରୁ ବିପୁଳ ଗଞ୍ଜେଇ ଜବତ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସଦର ପୁଲିସ୍ ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁଙ୍କ ଦ୍ୱାରା ସାମ୍ବାଦିକ ସମ୍ମଳିନୀରେ ଦିଆଯାଇଥିବା ସୂଚନା ଅନୁଯାୟୀ ମଙ୍ଗଳବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଛାପଡା ପୁଲିସ୍ ସଲାଗୁଡା ନିକଟରେ ପ୍ରେସ ଲେଖା ହୋଇଥିବା ଏକ ଡିଜାୟାର କାର ଉପରେ ଚଢାଉ କରିଥିଲା।
ଚଢାଉ ବେଳେ କାରରୁ ୧୦୨ କେଜି ଗଞ୍ଜେଇ ସହ ୧ ଲକ୍ଷ ୪୭ ହଜାର ଟଙ୍କା ଏବଂ ଏକ ଗଣମାଧ୍ୟମର ବୁମ୍ ମିଳିଥିଲା। ପୁଲିସ୍ କାର ସହ ଗଞ୍ଜେଇ, ଟଙ୍କା ଓ ବୁମକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ଛତିଶଗଡ ଅଂଚଳର କ୍ରୀଷ୍ଣା ଚୌହାନ, ଅର୍ଜୁନ ଯାଦବ, ପରମାନନ୍ଦ ଯାଦବ, ଷ୍ଟିଫାନ ଟିଗ ଏବଂ ସଲାଗୁଡାର ଆଦାମ ଦିଗାଲ। ସେମାନଙ୍କୁ ଜେରାବେଳେ ଗଞ୍ଜେଇ ଗୋଛାପଡା ଅଂଚଳରୁ ବୌଦ୍ଧ ଜିଲ୍ଲାର କଂଟାମାଳ ଦେଇ ଛତିଶଗଡକୁ ଚାଲାଣ ହେଉଥିଲା। ଏନେଇ ଗୋଛାପଡା ଥାନାରେ ଏନଡିପିଏସ ଆକ୍ଟରେ ୪୭/୧୮.୮.୨୦୨୦ ନଂରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି।