ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ସାମ୍ବାଦିକ ଅଟକ

0

କୋରୁକୋଣ୍ଡା: ଗୁରୁବାର ରାତ୍ରି ୨ଟା ୪୦ରେ କାଲିମେଳା ନିକଟ ଚିତ୍ରକୋଣ୍ଡା ଛକଠାରେ ଓରକେଲ ପୁଲିସ ଦ୍ୱାରା ଯାଞ୍ଚ ବେଳେ ବିପୁଳ ପରିମାଣର ଗଞ୍ଜାଇ ଜବତ କରାଯାଇଛି। ଏହି ଘଟଣାରେ ଜଣକୁ ଗିରଫ କରାଯାଇଥିବାବେଳେ ପୁଲିସ ୪ଜଣ ସାମ୍ବାଦିକଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା ଚଳାଇଛି। ପ୍ରାପ୍ତ ଖବର ଅନୁଯାୟୀ ଆନ୍ଧ୍ରପ୍ରଦେଶର ସିଲେରୁ ଠାରୁ ପଞ୍ଚାବର ଅମ୍ବୋଲା ଯାଉଥିବା ଏକ ଟାଟା କଣ୍ଟେନରରୁ ୧୦କ୍ୱିଣ୍ଟାଲ ୧୦କେଜି ଓ ୪୦୦ଗ୍ରାମ ଗଞ୍ଜାଇ ଜବତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ଏକକୋଟିରୁ ଅଧିକ ହେବ। ଏହି ଚଢ଼ାଉରେ ଓରକେଲ ଥାନାର ଏସ୍‌ଡ଼ିପିଓ ମାନସ ରଞ୍ଜନ ନାୟକ, ଆଇଆଇସି ସୁମିତ୍ରା ଜେନା, ଏସ୍‌ଆଇ ପି.କେ. ଖୋସଲା ଓ ସରୋଜ ସେଠୀ ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ। ଉକ୍ତ କଣ୍ଟେନର୍‌ରେ ସ୍ୱତନ୍ତ୍ରଭାବେ ନିର୍ମିତ ଗୁପ୍ତ ଡ଼ିକି ଦ୍ୱାରା ଏହି ଗଞ୍ଜାଇ ଚାଲାଣ ହେଉଥିଲା। ଓରକେଲ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଡ୍ରାଇଭର ପୋଖରାଜ୍‌ ଗୌଡ଼ଙ୍କ କହିବା ଅନୁଯାୟୀ ଏହି ଗଞ୍ଜେଇ ଭର୍ତ୍ତି କଣ୍ଟେନର୍‌କୁ ୪ଜଣ ଗଣମାଧ୍ୟମ ପ୍ରତିନିଧି ଲିଟୁ ପାଢ଼ି, ଜିତେନ୍ଦ୍ର ରାଉତ, ଦୀପୁ ପାଢ଼ି, ନାରାୟଣ ଦାସ ଧରିଥିଲେ । ଅମ୍ବୋଳାର ମାଲିକ ଶ୍ରୀ ନାରାୟଣ ଦାସଙ୍କ ଠାରୁ ଟଙ୍କା ପାଇବା ପରେ ଏମାନେ ଛାଡ଼ି ଦେଇଥିଲେ। ପରେ ଓରକେଲ ପୁଲିସ ଟିମ୍‌ ଦ୍ୱାରା ଓରକେଲ ଛକଠାରେ ଧରା ପଡ଼ିବା ପରେ ସତକଥା ପଦାକୁ ଆସିଥିଲା। ଏହି ୪ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁଲିସ ଥାନାରେ ଅଟକ ରଖି ଅଧିକ ପଚରାଉଚୁରା କରୁଥିବାବେଳେ ଅଧିକ ତଥ୍ୟ ପଦାକୁ ଆସିବ ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି।

Leave A Reply