ଭିଭୋ ଓହରିଯିବା ଆର୍ଥିକ ସଙ୍କଟ ନୁହେଁ : ଗାଙ୍ଗୁଲି

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଟାଇଟଲ ପ୍ରାୟୋଜକ ଭାବେ ଚୀନ୍ର ମୋବାଇଲ୍ ଫୋନ୍ ନିର୍ମାତା କମ୍ପାନୀ ଭିଭୋ ଓହରି ଯାଇଛି। ଅବଶ୍ୟ ବିସିସିଆଇ ଭିଭୋକୁ ଆଇପିଏଲ୍ର ଟାଇଟଲ ପ୍ରାୟୋଜକ ଭାବେ ହଟାଯାଇଛି ବୋଲି କହୁଛି। ଏହାକୁ ନେଇ ଗଣମାଧ୍ୟମରେ ନାନା ଆଲୋଚନା ଚାଲିଛି। ଫଳରେ ଏହାକୁ ନେଇ ମୁହଁ ଖୋଲିଛନ୍ତି ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି। ତାଙ୍କ ଭାଷାରେ, ଭିଭୋକୁ ଆଇପିଏଲ୍ର ଟାଇଟଲ ପ୍ରାୟୋଜକ ଭାବେ ହଟାଯିବା ଏକ ସାଧାରଣ ଘଟଣା। ଏହାକୁ ଏତେ ଗୁରୁତ୍ୱ ଦେବା ଠିକ୍ ନୁହେଁ। ପୁଣି ଭିଭୋ ଆଇପିଏଲ୍ର ଟାଇଟଲ ପ୍ରାୟୋଜକ ନ ରହିବା ଆଦୌ ଆର୍ଥିକ ସଙ୍କଟ ନୁହେଁ।
ଭାରତ-ଚୀନ୍ ସୀମା ବିବାଦ ଏବଂ ଗଲୱାନ୍ ଘାଟିରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଯୋଗୁଁ ଭାରତରେ ଚୀନ୍ ବିରୋଧୀ ମନୋଭାବ ପ୍ରକାଶ ପାଇଛି। ୨୦ ଜଣ ଭାରତୀୟ ସୈନ୍ୟଙ୍କୁ ଚୀନ୍ ସେନା ହତ୍ୟାକରିବା ପରେ ଦେଶରେ ଚୀନ୍ ଦ୍ରବ୍ୟ ବର୍ଜନ କରିବାକୁ ଦାବି ହେଉଛି। ଭାରତ ସରକାର ମଧ୍ୟ ୫୯ଟି ଚୀନ୍ର ମୋବାଇଲ୍ ଆପ୍କୁ ଦେଶରେ ବାସନ୍ଦ କରିଛନ୍ତି। ତେଣୁ ଗୁରୁବାର ବିସିସିଆଇ ଓ ଭିଭୋ ମଧ୍ୟରେ ଏକ ବୁଝାମଣା ହୋଇଥିଲା; ଯାହା ଅନୁସାରେ ଭିଭୋ ଚଳିତବର୍ଷର ଆଇପିଏଲ୍ରେ ଟାଇଟଲ ପ୍ରାୟୋଜକ ହେବନାହିଁ। ବିସିସିଆଇ ଓ ଆଇପିଏଲ୍ର ୮ଟିଯାକ ଫ୍ରାଞ୍ଚାଇଜି ପାଇଁ ଟାଇଟଲ ପ୍ରାୟୋଜନର ବିଶେଷ ଗୁରୁତ୍ୱ ରହିଛି। କାରଣ ବିସିସିଆଇକୁ ଭିଭୋ ପ୍ରତି ଆଇପିଏଲ୍ ସଂସ୍କରଣ ପାଇଁ ୪୪୦ କୋଟି ଟଙ୍କା ପ୍ରଦାନ କରିଥାଏ। ଏହାର ୫୦ ପ୍ରତିଶତ ଅର୍ଥ ୮ଟି ଯାକ ଫ୍ରାଞ୍ଚାଇଜି ବାଣ୍ଟି ନେଇଥାଆନ୍ତି। ଆଇପିଏଲ୍ର ଟାଇଟଲ ପ୍ରାୟୋଜକ ନ ରହିଲେ ପ୍ରତି ଫ୍ରାଞ୍ଚାଇଜି ପ୍ରାୟ ୨୮ କୋଟି ଟଙ୍କା ହରାଇବା ନିଶ୍ଚିତ। ଗାଙ୍ଗୁଲି ଆହୁରି କହିଛନ୍ତି, ବିସିସିଆଇର ମୂଳଦୁଆ ବେଶ୍ ମଜ୍ଭୁତ। କ୍ରିକେଟ, ଖେଳାଳି ଓ ପ୍ରଶାସକ ବିସିସିଆଇର ମୂଳଦୁଆକୁ ଏତେ ମଜ୍ଭୁତ କରି ଦେଇଛନ୍ତି ଯେ ଏପରି ଛୋଟଛୋଟ ସମସ୍ୟାର ମୁକାବିଲା କରିବାକୁ ବିସିସିଆଇ ପ୍ରସ୍ତୁତ। ଆମ ପାଖରେ ବିକଳ୍ପ ଯୋଜନା ରହିଛି। ବୁଦ୍ଧିମାନ ବ୍ୟକ୍ତି ଯେପରି କରିଥାଆନ୍ତି; ସେହିପରି ଆମ ପାଖରେ ପ୍ଲାନ୍ ‘ଏ’ ଓ ପ୍ଲାନ୍ ‘ବି’ ରହିଛି। ପ୍ଲାନ୍ ‘ଏ’ ବିଫଳ ହେଲେ ପ୍ଲାନ୍ ‘ବି’କୁ ଲାଗୁ କରିଥାଉ। ନାମୀ ବ୍ରାଣ୍ଡ୍ ଓ ନାମୀ ବ୍ୟାବସାୟିକ ସଂସ୍ଥା ଏପରି କରିଥାଆନ୍ତି। ଏହି ସମୟରେ ଆମେ ପେସାଦାର ମନୋବୃତ୍ତି ନେଇ ଦୃଢ଼ହେବା ଆବଶ୍ୟକ ବୋଲି ଗାଙ୍ଗୁଲି କହିଛନ୍ତି।