ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଟେଷ୍ଟମ୍ୟାଚ୍‍ ସମ୍ଭବ ନୁହେଁ: ଗାଙ୍ଗୁଲି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ୍‍ ଦଳ ୫ ମ୍ୟାଚ୍‍ର ଟେଷ୍ଟ ସିରିଜ୍‍ ଖେଳିବା ସମ୍ଭବ ହେବନାହିଁ। ସୂଚନାଯୋଗ୍ୟ; ଅଷ୍ଟ୍ରେଲିଆରେ ଘରୋଇ ଦଳ ବିପକ୍ଷରେ ଭାରତ ପାରମ୍ପରିକ ଭାବେ ୪ ମ୍ୟାଚ୍‍ର ଟେଷ୍ଟମ୍ୟାଚ୍‍ ଖେଳିଥାଏ। ତେବେ ଚଳିତବର୍ଷ ଶେଷଆଡ଼କୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବାକୁ ଥିବା ବେଳେ ଏହି ଗସ୍ତରେ ବର୍ଡର-ଗାଭାସ୍କର ଟ୍ରଫି ଅନ୍ତର୍ଗତ ୫ଟି ଟେଷ୍ଟମ୍ୟାଚ୍‍ ଖେଳିବା ପାଇଁ ବିସିସିଆଇକୁ ଅନୁରୋଧ କରିଥିଲା କ୍ରିକେଟ୍‍ ଅଷ୍ଟ୍ରେଲିଆ। ଉକ୍ତ ସିରିଜ୍‍ ନଭେମ୍ବର-ଡିସେମ୍ବରରେ ଖେଳାଯିବାର ଯୋଜନା ରହିଛି।
ସାରାବିଶ୍ୱରେ ଏବେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ କ୍ରୀଡ଼ା ଜଗତରେ ତାଲା ପଡ଼ିଯାଇଛି। ତଥାପି କରୋନା ସଂକ୍ରମଣ ହ୍ରାସ ହେଲେ ସାରାବିଶ୍ୱରେ କ୍ରିକେଟ ମ୍ୟାଚ୍‍ ଆରମ୍ଭ କରାଯିବାର ଯୋଜନା ରହିଛି। ଭାରତୀୟ କ୍ରିକେଟ୍‍ ଦଳର ଅଷ୍ଟ୍ରେଲିଆ ଗସ୍ତ ସମ୍ପର୍କରେ କ୍ରିକେଟ୍‍ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେଭିନ୍‍ ରବର୍ଟସ କିଛିଦିନ କହିଥିଲେ ଯେ ଉକ୍ତ ସିରିଜ୍‍ରେ ଉଭୟ ଦଳର ଖେଳାଳି କ୍ୱାରେଣ୍ଟାଇନ୍‍ ନିୟମ ପାଳନ କରିବେ ଏବଂ ସିରିଜ୍‍ରେ ଆସେସ୍‍ ସିରିଜ୍‍ ପରି ୫ଟି ଟେଷ୍ଟମ୍ୟାଚ୍‍ ଖେଳାଯାଉ।
ବିସିସିଆଇ ସହ କ୍ରିକେଟ୍‍ ଅଷ୍ଟ୍ରେଲିଆର ସମ୍ପର୍କ ବେଶ୍‍ ନିବିଡ଼। ଉକ୍ତ ଗସ୍ତରେ ଭାରତୀୟ ଦଳ ୫ଟି ଟେଷ୍ଟମ୍ୟାଚ୍‍ ଖେଳିବା ସମ୍ଭବ। ହେଲେ ଏହା ନିଶ୍ଚିତ ନୁହେଁ। ବିସିସିଆଇ ସହ ଆଲୋଚନା କରିଛୁ ଏବଂ ଏକ ଅତିରିକ୍ତ ଟେଷ୍ଟମ୍ୟାଚ୍‍ ଖେଳିବାର ଅନୁରୋଧ କରିଛୁ। ଆଗକୁ ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍‍ରେ ନିୟମିତ ଭାବେ ୫ଟି ଟେଷ୍ଟମ୍ୟାଚ୍‍ ରହିବ ବୋଲି ଆମେ ପ୍ରସ୍ତାବ ଦେଇଛୁ ଏବଂ ଏଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଏହି ସିରିଜ୍‍ ପରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‍ ୨୦୨୩ରେ ଖେଳାଯିବ। ଆମେ ଏବେ ବି ୫ ମ୍ୟାଚ୍‍ର ଟେଷ୍ଟ ସିରିଜ୍‍ ଖେଳିବାକୁ ଅାଶାବାନ୍ଧି ବସିଛୁ। ଏକ ଗଣମାଧ୍ୟମକୁ ଗାଙ୍ଗୁଲି କହିଛନ୍ତି, ମୁଁ ଭାବୁନି ଯେ ଭାରତ ୫ ମ୍ୟାଚ୍‍ର ଟେଷ୍ଟ ସିରିଜ୍‍ ଖେଳିପାରିବ। ତେବେ ସମୟ ଅଭାବ ଥିବାରୁ ଆଉ ଏକ ଅତିରିକ୍ତ ଟେଷ୍ଟ ମ୍ୟାଚ୍‍ ସାମିଲ କରିବା କଷ୍ଟକର ହୋଇଯିବ। ଏହି ଗସ୍ତରେ ଆମ ଦଳକୁ ସୀମିତ ଓଭର ମ୍ୟାଚ୍‍ ମଧ୍ୟ ଖେଳିବାର ଅଛି। ଏହାସହ ଆମ ଖେଳାଳିଙ୍କୁ ୧୪ ଦିନ କ୍ୱାରେଣ୍ଟାଇନ୍‍ରେ ରହିବା ନିୟମକୁ ପାଳନ କରିବାକୁ ପଡ଼ିବ।
ସୂଚନାଯୋଗ୍ୟ; ଉଭୟ ବିସିସିଆଇ ଓ କ୍ରିକେଟ୍‍ ଅଷ୍ଟ୍ରେଲିଆ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‍ ଆୟୋଜନ ପାଇଁ ବ୍ୟଗ୍ର ଅଛନ୍ତି। ଯଦି କୋଭିଡ୍‍-୧୯ ସଂକ୍ରମଣ ଯୋଗୁଁ ଉପରୋକ୍ତ ସିରିଜ୍‍ ବାତିଲ ହୋଇଯାଏ; ତେବେ କ୍ରିକେଟ୍‍ ଅଷ୍ଟ୍ରେଲିଆ ଅତିକମ୍‍ରେ ୪୦୦ ନିୟୁତ ଡଲାରର କ୍ଷତି ସହିବ। ବିସିସିଆଇ ମଧ୍ୟ କ୍ଷତି ସହିବା ନିଶ୍ଚିତ।

Comments are closed.