ଅଷ୍ଟ୍ରେଲିଆ ଗସ୍ତରେ କ୍ବାରେଣ୍ଟାଇନ୍‌ ଅବଧି କମାଇବାକୁ ଚାହାନ୍ତି ଗାଙ୍ଗୁଲି

ନୂଆଦିଲ୍ଲୀ : ଆସନ୍ତା ଡିସେମ୍ବରରେ ଭାରତ ୪ଟି ଟେଷ୍ଟ ମ୍ୟାଚ ଖେଳିବା ଲାଗି ଅଷ୍ଟ୍ରେଲିଆ ଗସ୍ତକରିବ। ଅଷ୍ଟ୍ରେଲିଆରେ କରୋନା ମହାମାରୀ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ ମେଲବୋର୍ଣ୍ଣ ଏବେ ହଟ୍‌ସ୍ପଟରେ ପରିଣତ ହୋଇଛି। ଭାରତୀୟ ଖେଳାଳି ସେଠାରେ ପହଞ୍ଚିବା ପରେ ୨ ସପ୍ତାହ କ୍ବାରେଣ୍ଟାଇନରେ ରହିବା ନେଇ ନିୟମ ଧାର୍ଯ୍ୟ ହୋଇଛି। ଏହାଛଡ଼ା ଖେଳିବା ଲାଗି ପଡ଼ିଆକୁ ଓହ୍ଲାଇବା ପୂର୍ବରୁ କରୋନା ପରୀକ୍ଷା କରାଯିବ। ତେବେ ଏହି କ୍ବାରେଣ୍ଟାଇନ୍‌ ନିୟମ ଅବଧିକୁ କମ କରିବାକୁ ଚାହିଁଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଖେଳାଳିଙ୍କ ଲାଗି ରହିଥିବା ନିୟମରେ କିଛି କୋହଳ କରାଯିବ ବୋଲି ଗାଙ୍ଗୁଲି ଆଶା ରଖିଛନ୍ତି। କରୋନା ଭୟାବହତା ଭିତରେ ୱେଷ୍ଟଇଣ୍ଡିଜ୍‌ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ ଆରମ୍ଭ ହେବା ସହିତ ଅନ୍ତର୍ଜାତୀୟ କ୍ରିକେଟ ଫେରିଛି। ଡିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ କରିବା ନେଇ ସୁନିଶ୍ଚିତ ହୋଇଛି। ସେଠାରେ ଖେଳାଳିଙ୍କ କ୍ବାରେଣ୍ଟାଇନ୍ ସମୟ କମାଇବା ନେଇ ଆମେ ଚାହୁଁଛୁ ବୋଲି ଇଣ୍ଡିଆ ଟୁଡେକୁ ଗାଙ୍ଗୁଲି କହିଛନ୍ତି। ଆମ ଖେଳାଳି ହୋଟେଲ ରୁମ୍‌ରେ ୨ ସପ୍ତାହ ବସି ରହନ୍ତୁ ବୋଲି ଆମେ ଚାହୁଁନାହୁଁ। ଏହା ଖେଳାଳିଙ୍କ ଉପରେ ଚାପ ସୃଷ୍ଟିକରିବ। ଏହା ଅତ୍ୟନ୍ତ ନୈରାଶ୍ୟଜନକ। ମେଲବୋର୍ଣ୍ଣକୁ ବାଦ୍‌ ଦେଲେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ସ୍ଥିତି ଉନ୍ନତ ରହିଛି। ତେଣୁ ସେଠାରେ କ୍ବାରେଣ୍ଟାଇନ୍‌ ଅବଧି କମିବା ନେଇ ଆଶାକରୁଛୁ ବୋଲି ଗାଙ୍ଗୁଲି କହିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ବିରାଟ କୋହଲିଙ୍କ ପାଇଁ ବିଶେଷ ମହତ୍ବ ରଖୁଛି। ଗତ ୬ ମାସ ହେବ କୋହଲି କ୍ରିକେଟ ଖେଳିନାହାନ୍ତି। ପୂରା ସିରିଜ୍‌ରେ ସମ୍ପୂର୍ଣ୍ଣ ଫିଟ୍‌ ରହିବା ତାଙ୍କ ପାଇଁ ବଡ ଆହ୍ବାନ ହେବ। ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରମୁଖ ସିରିଜ୍‌ ଲାଗି ସମ୍ପୂର୍ଣ୍ଣ ଫିଟ୍‌ ରହିବା ଆବଶ୍ୟକ ବୋଲି ଗାଙ୍ଗୁଲି କହିଛନ୍ତି। ଏହି ସିରିଜ୍‌ରେ ୪ଟି ଟେଷ୍ଟ ମ୍ୟାଚ ଖେଳାଯିବ। ସେଥିମଧ୍ୟରୁ ଗୋଟିଏ ଟେଷ୍ଟମ୍ୟାଚ ଦିବାରାତ୍ର ହେବ।

Comments are closed.