ଫି’ବୃଦ୍ଧି ପ୍ରତିବାଦରେ ଜିଏମୟୁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ: ମୁଖ୍ୟ ଫାଟକରେ ତାଲା ମାରିଲେ

ସମ୍ବଲପୁର : ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଫି’ ବୃଦ୍ଧି ପ୍ରତିବାଦରେ ଆଜି ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଦୀର୍ଘ ୪ ଘଣ୍ଟା ଧରି ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକକୁ ବନ୍ଦ କରି ରଖିଥିଲେ। ଏବିଭିପି ନେତୃତ୍ୱରେ ପରିଚାଳିତ ଏହି ବିକ୍ଷୋଭରେ ଛାତ୍ରଛାତ୍ରୀ ଅପରାହ୍ନ ୨ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ସବୁ ଫାଟକ ବନ୍ଦ ରଖିଦେବାରୁ ଅଧ୍ୟାପକ, କର୍ମଚାରୀ, ବିଶ୍ୱବିଦ୍ୟାଳୟ ଓ କନିଷ୍ଠ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ମୁକ୍ତ ବିଶ୍ୱବିଦ୍ୟାଳୟ, ଏନସିସି କାର୍ଯ୍ୟାଳୟ, ୟୁକୋ ବ୍ୟାଙ୍କର ମଧ୍ୟାହ୍ନ କରିବାକୁ ସୁଦ୍ଧା ଯାଇ ପାରିନଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବର୍ଦ୍ଧିତ ପରୀକ୍ଷା ଫି’ ୫୦ ପ୍ରତିଶତ ହ୍ରାସ କରିବାକୁ ରାଜି ହେଲା ପରେ ଛାତ୍ରଛାତ୍ରୀ ବିକ୍ଷୋଭରୁ ହଟିଥିଲେ।

ଜିଏମୟୁ ଏବିଭିପି ଶାଖା ନେତୃତ୍ୱରେ ଶନିବାର ପ୍ରଥମେ ବିଶ୍ୱବିଦ୍ୟାଳୟ ପ୍ରଶାସନିକ କୋଠା ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ଏଥିରେ ଛାତ୍ର ସଂଗଠନର କର୍ମକର୍ତ୍ତାଙ୍କ ସହ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ୩ ଘଣ୍ଟା ବିକ୍ଷୋଭ ପ୍ରଦର୍ଶନ ପରେ ମଧ୍ୟ କେହି ପଦାଧିକାରୀ ଆଲୋଚନା କରିବାକୁ ନ ଆସିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଅପରାହ୍ନ ୨ରେ କୁଳପତି ପ୍ରଫେସର ଅତନୁ କୁମାର ପତି, ଉପ କୁଳସଚିବ ଉମାଚରଣ ପତି ସେମାନଙ୍କ ସହ ସହ ଆଲୋଚନା କରିଥିଲେ। କିନ୍ତୁ ସେମାନଙ୍କ ଅଶ୍ୱାସନାରେ ଛାତ୍ରଛାତ୍ରୀ ସନ୍ତୁଷ୍ଟ ନ ହୋଇ ମୁଖ୍ୟ ଫାଟକକୁ ଭିତର ପଟୁ ତାଲା ବନ୍ଦ କରି ଦେଇଥିଲେ। ସେମାନେ ପ୍ରବଳ ପାଟିତୁଣ୍ଡ କରି କୁଳପତି ନିଜେ ଏଠାକୁ ଆସି ବର୍ଦ୍ଧିତ ଫି’ ପ୍ରତ୍ୟାହାର ଘୋଷଣା କରନ୍ତୁ ବୋଲି ଦାବି କରିଥିଲେ। ସେମାନେ ପ୍ରଶାସନିକ ଭବନକୁ ଯାଇ ଅଫିସ ମଧ୍ୟ ବନ୍ଦ କରି ଦେଇଥିଲେ। ଛାତ୍ର ସଂଗଠନ ଅଭିଯୋଗ କରିଛି ଯେ କୁଳପତି ସେମାନଙ୍କ ସହ ଆଲୋଚନାନ କରି ପୁଲିସ ଲଗାଇ ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରିଥିଲେ। ସନ୍ଧ୍ୟାରେ ଉପ କୁଳସଚିବ ଶ୍ରୀ ପତି ଛାତ୍ରଛାତ୍ରୀଙ୍କ ସହ ଆଉ ଥରେ ଆଲୋଚନା କରି ପରୀକ୍ଷା ଫି’ରେ ବୃଦ୍ଧି କରା ଯାଇଥିବା ୧୦୦ ଟଙ୍କାରୁ ୫୦ ଟଙ୍କା କମ କରାଗଲା ବୋଲି ଘୋଷଣା କରିବାରୁ ଛାତ୍ରଛାତ୍ରୀ ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରିଥିଲେ। ଉପ କୁଳସଚିବ ଶ୍ରୀ ପତି କହିଛନ୍ତି ଯେ ନାମଲେଖା ଫି ଆଦୌ ବୃଦ୍ଧି କରାଯାଇନାହିଁ। ୱାନ ଟାଇମ ଗ୍ରାଜୁଏସନ(ଓଟିଜି) ବ୍ୟବସ୍ଥା କରାଯିବା ସହ ସିବିସିଏସରେ ପରୀକ୍ଷାରେ ୮୦୦ ମାର୍କରୁ ୨୬୦୦ ମାର୍କକୁ ବୃଦ୍ଧି କରାଯାଇଛି ଓ ଅନ୍‌ଲାଇନ ପ୍ରମାଣପତ୍ର ଦେବାର ବ୍ୟବସ୍ଥା କରାଯାଇଛି। ଏସବୁ ପାଇଁ କେବଳ ୧୦୦ ଟଙ୍କା ଫି’ ବୃଦ୍ଧି କରାଯାଇଛି। କିନ୍ତୁ ୫ ହଜାରରୁ ୧୦ ହଜାର ଟଙ୍କା ବୃଦ୍ଧି କରାଯାଇଛି ବୋଲି ଭୁଲ ପ୍ରଚାର କରାଯାଉଛି ସେ କହିଛନ୍ତି।

Comments are closed.