ଗଙ୍ଗାଧର ଓ ସିଦ୍ଧ କାବ୍ୟର ମନ୍ତ୍ର

0

ଗଙ୍ଗାଧର ଚିରଦିନ ଆଧୁନିକ। ପ୍ରାଚୀନ ଓ ଆଧୁନିକ ଯୁଗ ମଧ୍ୟରେ ସମୃଦ୍ଧ, ଶିଷ୍ଟ ସାରସ୍ୱତ ସୁବାସ ମାଧ୍ୟମରେ, ଗଙ୍ଗାଧର ସମ୍ପର୍କରେ ସେତୁବନ୍ଧଟିଏ। ଆଚରଣ ଓ ଉଚ୍ଚାରଣ ଭିତରେ କିଛି ଫରକ୍‌ ନଥାଇ ସେ ଜଣେ ସତ୍‌କବି, ସୌନ୍ଦର୍ଯ୍ୟ ଉପାସକ, ସାରସ୍ୱତ ସାଧୁ, ଶବ୍ଦ ଓ ଭାବର ଅନନ୍ୟ ଶିଳ୍ପୀ। ମୌଳିକ ରଚନା ମାଧ୍ୟମରେ ତାଙ୍କର କୃତି ଅଭିନବ, ଯାହା ଭିତରେ ଦାନା ବାନ୍ଧିଥିଲା ଶକ୍ତି ଓ ଜ୍ଞାନର ସାହିତ୍ୟ। ସାହିତ୍ୟରେ ସୌନ୍ଦର୍ଯ୍ୟବୋଧ ହିଁ ସାହିତ୍ୟିକର ସାଧୁତା। ଗଙ୍ଗାଧରଙ୍କ ନିର୍ମଳ ହୃଦୟ, ପରିଚ୍ଛନ୍ନ ଦୃଷ୍ଟି ଓ ଦର୍ଶନ, ବିନୟୀ ଆଚରଣ, ସମ୍ମାନବୋଧର ଶିଷ୍ଟ ସମର୍ପଣ ଭାବ ତାଙ୍କ ବ୍ୟକ୍ତିପୁରୁଷ ଓ କାବ୍ୟପୁରୁଷକୁ ଅମୂଲ୍ୟ ଓ ଉଜ୍ଜ୍ୱଳ କରି ତୋଳିଥିଲା। ତାଙ୍କ କାବ୍ୟକୃତି, ବର୍ଣ୍ଣନା ବୈଚିତ୍ର୍ୟ, ପ୍ରଭାବଶାଳୀ ଭାବୋଦ୍ଦୀପକ ରସ ନିଷ୍ପତ୍ତିକୁ ନେଇ Govt. Website ତାଙ୍କୁ Wordsworth of Orissa କହୁଥିଲେ ମଧ୍ୟ ତାଙ୍କ ଗଦ୍ୟ ରଚନାବଳୀ ବି ପ୍ରଭାବଶାଳୀ ଓ ଉଚ୍ଚକୋଟୀର। ଗଦ୍ୟ ରଚନାବଳୀ ‘ପୁରାଣ କବି ଫକିରମୋହନ’, ‘କିମ୍ବଦନ୍ତୀ’, ‘ଶିକ୍ଷିତ, ଶିକ୍ଷକ ଓ ଶିକ୍ଷାଭିମାନୀ’, ‘ଏହା କି ପୃଥିବୀର ଶବ୍ଦ?’, ‘ଋ ଓ ରୁ ଭେଦ’, ‘ଚୁଗୁଲିଆ’, ‘ଉତ୍କଳ ଭାଷାର ଗୌରବ’, ‘ବି’ଭେଦ, ‘ସ୍ୱର୍ଗୀୟ କାଶୀନାଥ ପଣ୍ଡା’, ‘ଦାକ୍ଷିଣାତ୍ୟ ଭ୍ରମଣର ସମାଲୋଚନା’ ଆଦି ତାଙ୍କୁ ଜଣେ ସମର୍ଥ ପ୍ରାବନ୍ଧିକ ଓ ସମାଲୋଚକର ମର୍ଯ୍ୟାଦା ପ୍ରଦାନ କରେ। ଲଞ୍ଜାଇନସ୍‌ କହନ୍ତି ‘Sublimity is so to say, the image of greatness of Soul’ ଅର୍ଥାତ୍‌- ଶ୍ରେଷ୍ଠତ୍ୱ ମହାନ୍‌ ଆତ୍ମାର ପ୍ରତିଧ୍ୱନି ବା ପ୍ରତିରୂପ।
ଗଙ୍ଗାଧରଙ୍କ ସରଳ, ନିରାଡ଼ମ୍ବର, ଶାଳୀନ, ଶିଷ୍ଟ, ଉଦାରତା, ସମର୍ପଣ ଭାବାବେଗ, ଉଚ୍ଛ୍ୱସିତ ଆତ୍ମୀୟତା ତାଙ୍କ ଅଙ୍କନ ଓ ସୃଷ୍ଟି-ଶିଳ୍ପରେ ସ୍ପଷ୍ଟ ଦୃଶ୍ୟମାନ ଓ ପ୍ରଖର ଅନୁଭୂତ। ସେ ଲୋଭ, ମୋହ, ସ୍ୱାର୍ଥର ବହୁ ଊର୍ଦ୍ଧ୍ବରେ ରହି ଏକ ନୈତିକ ବିଶ୍ୱ ସଂରଚନାର ତପସ୍ୱୀ ଥିଲେ। ତାଙ୍କ ସିଦ୍ଧ ରଚନାସମୂହ ମନ୍ତ୍ର ହୋଇ ପାଠକ ପ୍ରାଣରେ ଗୁଞ୍ଜରିତ ହୁଏ ଅହଂଶୂନ୍ୟ ଅସ୍ମିତାର ଚୁମ୍ବକୀୟ ପରଶରେ। ବ୍ୟକ୍ତିସ୍ତରରୁ ସାର୍ବଜନୀନ ପ୍ରାଣ ଓ ପୁଲକକୁ ଉତ୍ତରିତ ହେବାର ମୁନି ଗଙ୍ଗାଧର। ତେଣୁ ସେ ସୌନ୍ଦର୍ଯ୍ୟବୋଧ, ପ୍ରକୃତିର ଉପାସକ, ପ୍ରକୃତି କବି। ତାଙ୍କର ଭାବ ସମ୍ପଦ ହିଁ ଅନ୍ତଧ୍ୱର୍ନି, ତାଙ୍କର ସାରସ୍ୱତ ଅର୍ଥ ସମ୍ପଦ ପ୍ରଭାବଶାଳୀ ବହିଧ୍ୱର୍ନି ଯାହା ସଂଯତ, ଶ୍ଳୀଳ, ସମୁଜ୍ଜ୍ୱଳ। ଭାଷା ଓ ଭାବର ଅପ୍ରତିହତ ବୁଣାକାର ସେ। ଭାଷାର ଏକ ସ୍ୱତନ୍ତ୍ର ଚଳତ୍‌ ଶକ୍ତି, ଉଚ୍ଚାରଣର ଉଜ୍ଜ୍ୱଳ ଶାଣ, ଭାବର ଗାମ୍ଭୀର୍ଯ୍ୟ, ଭାଷାର ଲାଳିତ୍ୟ ଓ ସାରଲ୍ୟ, ଯଥାର୍ଥ ଶବ୍ଦ ପ୍ରୟୋଗର କୌଶଳ ତାଙ୍କ ସୃଷ୍ଟି ସମ୍ଭାରକୁ ବହୁଜନ ଆଦୃତ କରିପାରିଛି। ଗଙ୍ଗାଧରଙ୍କ ସର୍ବପ୍ରଥମ କାବ୍ୟକୃତି ‘ରସରତ୍ନାକର’ ହେଉ ଅବା ‘ଇନ୍ଦୁମତୀ’, ‘ଉତ୍କଳ ଲକ୍ଷ୍ମୀ’, ‘କୀଚକ-ବଧ’, ‘ତପସ୍ୱିନୀ’, ‘ପ୍ରଣୟବଲ୍ଲରୀ’, ‘ଅର୍ଘ୍ୟଥାଳି’, ‘ଅହଲ୍ୟାସ୍ତବ’ ଆଦି କାବ୍ୟସମ୍ଭାର ଭିତରେ ସେ ଜୀବନକୁ ବିଶୁଦ୍ଧ ଆତ୍ମୀୟତାରେ ଜିଇବାର କଳା ତଥା ଆବେଗର ପ୍ରଶାନ୍ତମନନ ସ୍ପଷ୍ଟ ପରିଲକ୍ଷିତ ହୁଏ।
Genuine poetry can communicate before it is understood. ଗଙ୍ଗାଧରଙ୍କ ପତ୍ରାବଳୀ ଭିତରେ କବିତାର ଝର ଓ ଭାବ ପରିବହନଶୀଳତା (Communicability) ସ୍ପଷ୍ଟ ଅନୁଭୂତ ହୁଏ। ପ୍ରତ୍ୟେକ ପତ୍ରାବଳୀ ଭିତରେ ନମ୍ର, ବିନୟ, ଅହଂଶୂନ୍ୟ ଚେତନଶୀଳତା, ସମର୍ପଣଭାବ, ସମ୍ମାନବୋଧ, ଆଜ୍ଞାଧୀନତା ସୁନ୍ଦର ଓ ସମୁଜ୍ଜ୍ୱଳ ଭାବେ ଗୁନ୍ଥି ହୋଇ ରହିଛି। ଯଦି ଗଙ୍ଗାଧରଙ୍କ ପ୍ରେରିତ ପତ୍ରାବଳୀ ଯାହା କବିବର ରାଧାନାଥ ରାୟ, ବ୍ରଜମୋହନ ପଣ୍ଡା, କବିଭୂଷଣ ସ୍ୱପ୍ନେଶ୍ୱର ଦାଶ, ଦିବ୍ୟ କିଶୋର ସାହୁ, ଶଶୀଭୂଷଣ ରାୟ, ପିତା ଚୈତନ୍ୟ ମେହେର, ପୁତ୍ର ଭଗବାନ ମେହେର, ମଦନ ମୋହନ ପ୍ରଧାନ, ଦିବ୍ୟରାଜ ସିଂହ ଆଦିଙ୍କୁ ସାରସ୍ୱତ ବିଭୂତି ଭାବି ମୂଲ୍ୟାଙ୍କନ କରାଯାଏ ତେବେ ତାହା ଅନନ୍ୟ, ଅମୂଲ୍ୟ କାରିଗରୀ କୌଶଳ (Craftsmanship) ର ସ୍ପଷ୍ଟ ପ୍ରମାଣ। ଡ. ମାୟାଧର ମାନସିଂହ ‘History of Oriya Literature’ ଗ୍ରନ୍ଥରେ କହନ୍ତି: ‘Nothing in the whole of Oriya literature can surpass the beauty, charm and grandeur of Sita as she comes to life in Meher’s famous Kabya “Tapaswini”.
ଗଙ୍ଗାଧର କାଳଜୟୀ କବି। ତାଙ୍କର ଅନ୍ତରୀଣ ଆକାଂକ୍ଷା ହିଁ ତାଙ୍କ କାବ୍ୟିକ ଆଦର୍ଶ। ସୌନ୍ଦର୍ଯ୍ୟବୋଧ ହିଁ ଗଙ୍ଗାଧରଙ୍କ ଉଚ୍ଚାରଣର ଉପଜୀବ୍ୟ। ଗଙ୍ଗାଧର ଭାଗବତପ୍ରେମୀ। ନୈତିକତା ଓ ସଂସ୍କାରର ବୀଜବପନ ତାଙ୍କର ମହାମନ୍ତ୍ର। ଭାବରେ ଅଭିନବ ଦର୍ଶନ ଓ ସୃଷ୍ଟିରେ ଅତିମାନସର ଦୃଷ୍ଟି ଗଙ୍ଗାଧର-ରଚନାର ସ୍ୱାତନ୍ତ୍ର୍ୟ। ପ୍ରଣାମ ଏଇ ସାରସ୍ୱତ ପ୍ରାଣଙ୍କୁ ଯାହାଙ୍କର ଗୁଣୁଗୁଣୁ ନାଦ ଗୁଞ୍ଜରିତ ହୁଏ:
ବିଶ୍ୱ ଦେଖ ମଧୁମୟରେ ଜୀବନ!
ବିଶ୍ୱ ଦେଖ ମଧୁମୟ
ମଧୁର ଝରଣ କରିବ ହରଣ
ତୋ’ ପାପ ମରଣ ଭୟରେ ଜୀବନ।।

Comments
Loading...