ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସ୍ୱଭାବକବି ଗଙ୍ଗାଧରଙ୍କ ୧୬୧ତମ ଜୟନ୍ତୀ ପାଳିତ

ଶତୃଘ୍ନ, ଗୌରହରି ଏବଂ ରାମକୃଷ୍ଣଙ୍କୁ ଭାରତ ସ୍ମୃତି ସମ୍ମାନ
ଭୀକାରୀ, ସୁବାସ ଏବଂ ଗୋବର୍ଦ୍ଧନଙ୍କୁ ନିଳମାଧବ ସମ୍ମାନ

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟ ତ୍ରୈମାସିକ ସାହିତ୍ୟ ପତ୍ରିକା ସପ୍ତର୍ଷି ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜନ୍ମ ବାର୍ଷିକି ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ସଞ୍ଜୟ କୁମାର ଶତପଥି ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ସାହିତ୍ୟକ ଦେବେନ୍ଦ୍ର କୁମାର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ସ୍ୱଭାବକବି ଗଙ୍ଗାଧର ପରମ୍ପରା ଏବଂ ସଂସ୍କୃତିର ସେତୁବନ୍ଧ ବୋଲି କୁହାଯାଏ ତେବେ ପରମ୍ପରା କହିଲେ କୌଣସି ବସ୍ତୁ ନୁହେଁ ପରମ୍ପରାରର ବିଭିନ୍ନ ରୁପ ରହିଛି ଜୀବନ୍ତ ସଂସ୍କୃତିର ପରମ୍ପରା, ଅନେକ ପରମ୍ପରା ଯାହା ଆମେ ଉଦ୍ଭାବନ କରିଛୁ ତାହା ଆଧୁନିକ ପରମ୍ପରା। ପରମ୍ପରା ଏବଂ ଆଧୁନିକତାର ମାନଦଣ୍ଡ ଦେଇ ଗଙ୍ଗାଧରଙ୍କ ବିଚାର କରିବା ଉଚିତ ନୁହେଁ ବୋଲି ନିଜ ବକ୍ତବ୍ୟରେ ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟକ ଶ୍ରୀ ଦାଶ ବକ୍ତବ୍ୟ ରଖିଥିଲେ। ବିଜ୍ଞାନ ସଚେତନତା ଏବଂ ମନୋବିଜ୍ଞାନ ସଚେତନତା ଗଙ୍ଗାଧରଙ୍କ ସାହିତ୍ୟରେ ପ୍ରତିଫଳନ ହୋଇଥାଏ ବୋଲି ମୁଖ୍ୟବକ୍ତା ଶ୍ରୀ ଦାସ ବକ୍ତବ୍ୟ ରଖିଥିଲେ।

ମୁଖ୍ୟବକ୍ତା କଲାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶତପଥି ସ୍ୱଭାବକବି ଗଙ୍ଗାଧରଙ୍କ ସାହିତ୍ୟ ଏବଂ କବିତାକୁ ଅତ୍ୟନ୍ତ ସୁନ୍ଦର ଭାବରେ ବିଶ୍ଲେଷଣ କରିଥିଲେ। ଏପରିକି ମଝି ମଝିରେ ତାଙ୍କର ବକ୍ତବ୍ୟରେ ସେ କାବିତା ଏବଂ ଶ୍ଲୋକ ପାଠ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିବା ସହିତ କିପରି ଭାବରେ ଜଣେ କବି ଅନ୍ୟଠୁ ଭିନ୍ନ ଗୋଟିଏ ସାଧାରଣ କଥାକୁ ମଧ୍ୟ ନିଜର କାବ୍ୟ କବିତାରେ ସ୍ତାନଦେଇ କିପରି ଭାବରେ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଥାଏ ତାହା ବିଶ୍ଲେଷଣ କରିଥିଲେ।

ବିଶ୍ୱକବି ରବୀନ୍ଦ୍ରନାଥଙ୍କ କାବ୍ୟ ସୃଷ୍ଟିରେ ଯେଉଁଭଳି ବିଭୁପ୍ରେମ ଓ ବିଶ୍ୱପ୍ରେମ ପ୍ରକାଶିତ ସ୍ୱଭାବ କବି ଗଙ୍ଗାଧର ମେହେର କାବ୍ୟ କବିତାରେ ମଧ୍ୟ ସେଇ ବିଭୁ ପ୍ରେମ ଓ ବିଶ୍ୱପ୍ରେମ ପ୍ରଚ୍ଛନ୍ନ ଭାବେ ପ୍ରକାଶିତ ବୋଲି ଅଭିହିତ କରିଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୂଳପତି ପ୍ରଫେସର ସଂଯୁକ୍ତା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ କୁଳସଚିବ ଡ ନୃପରାଜ ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସପ୍ତର୍ଷିର ପରିଚାଳନା ସମ୍ପାଦକ ଡ ଗୋପିନାଥ ବାଗ କାର୍ଯ୍ୟକ୍ରମର ସୁଚନା ପ୍ରଦାନ କରିଥିଲେ। ଏହା ସହିତ ତୈମାସିକ ପତ୍ରିକା ସପ୍ତର୍ଷି ଅତିଥି କରକମଳରେ ଉନ୍ମୋଚିତ ହୋଇଥିଲା। ଏଥିରେ ବିଗତ ୩ବର୍ଷ ପାଇଁ ଭାରତ ଚନ୍ଦ୍ର ନାୟକ ସ୍ମୃତି ସମ୍ମାନ ଓ ଡ ନୀଳମାଧବ ପାଣିଗ୍ରାହୀ ବାର୍ଷିକ ସମ୍ମାନ ପ୍ରଦାନ କରାଯିବ।

୨୦୧୯ ପାଇଁ ବିଶିଷ୍ଟ କଥାକାର ଗୌରହରି ଦାସ ଭାରତ ଚନ୍ଦ୍ର ସ୍ମୃତି ସମ୍ମାନ ପାଇଥିଲେ। ସେହିପରି ୨୦୨୦ ପାଇଁ କବି ଡ ଶତୃଘ୍ନ ପାଣ୍ଡବ ଏବଂ ୨୦୨୧ ପାଇଁ କବି ରାମକୃଷ୍ଣ ସାହୁ ଏହି ପୁରସ୍କାର ପାଇବେ। ଏହି ଜୟନ୍ତି ପାଳ ଉତ୍ସବରେ ୨୦୧୯ ପାଇଁ ଭିକାରି ଚରଣ ପ୍ରଧାନ, ୨୦୨୦ ପାଇଁ ଡ ସୁବାସ ମେହେର ଏବଂ ୨୦୨୧ ପାଇଁ ଡ ଗୋବର୍ଦ୍ଧନ ସାହୁ ବାର୍ଷିକ ନୀଳମାଧବ ପାଣିଗ୍ରାହୀ ସମ୍ମାନରେ ସମ୍ମାନିତ କରାଯାଇ ଉପଢ଼ୋକନ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କର୍ଯ୍ୟକ୍ରମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଗବେଷକ ଗବେଷିକା ଉପସ୍ଥିତ ରହି ଏହି ସାରସ୍ୱତ ସମାରୋହରେ ଅଂଶଗ୍ରହଣ କରିଥିଲେ।

Comments are closed.