୩୦ ଜିଲ୍ଲାରେ ମଞ୍ଚସ୍ଥ ହେବ ‘ଗାନ୍ଧୀଙ୍କ ଓଡ଼ିଶା’

ଭୁବନେଶ୍ୱର: ୧୯୨୧ରୁ ୧୯୪୬। ଜାତିର ପିତା ମହାତ୍ମା ଗାନ୍ଧୀ ଓଡ଼ିଶାକୁ ୮ ଥର ଆସିଥଲେ। ଏହାରି ଭିତରେ ଅନେକ ସଭା ସହିତ ପଦଯାତ୍ରା ସାଙ୍ଗକୁ ଲବଣ ସତ୍ୟାଗ୍ରହ ହୋଇଥିଲା। ଗାନ୍ଧୀଙ୍କ ଓଡ଼ିଶା ସହିତ ସମ୍ପର୍କକୁ ନାଟକ ମାଧ୍ୟମରେ ପରିବେଷଣ କରାଯିବ। ସେହି ସମୟରେ ଗାନ୍ଧୀଙ୍କ ସମସାମୟିକ ନେତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର, ଗୋପବନ୍ଧୁ ଚୌଧୁରୀ, ରମାଦେବୀ ପ୍ରମୁଖଙ୍କ ସ୍ବାଧୀନତା ସଂଗ୍ରାମରେ ଥିବା ଭୂମିକା ସମ୍ପର୍କରେ ନାଟକରେ ଉଲ୍ଲେଖ ରହିଛି। ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ବର୍ଷ ପୂର୍ତ୍ତି ଅବସରରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କୁ ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି। ନାଟକ ଜରିଆରେ ଦର୍ଶକ ଜାଣିବେ ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ବିବରଣୀ। ଏହି ନାଟକ ମାର୍ଚ୍ଚ ୨୩ରେ ମଞ୍ଚସ୍ଥ ହେବ। ଏନେଇ ପ୍ରସ୍ତୁତି ଶେଷ ହୋଇଥିବାବେଳେ ରବୀନ୍ଦ୍ର ମଣ୍ଡପ ସହ ସାରା ରାଜ୍ୟର ୩୦ଟି ଜିଲାରେ ଏକା ସମୟରେ ନାଟକ ପରିବେଷଣ କରାଯିବ। ନାଟକର ରଚନା ଶଙ୍କର ତ୍ରିପାଠୀ କରିଥିବାବେଳେ ୩୦ ଜିଲାର ୩୦ ଅନୁଷ୍ଠାନର ୩୦ ନିର୍ଦେଶକ ନିର୍ଦେଶନା ଦେଇଛନ୍ତି। ମୋଟ ୯୦୦ କଳାକାର ଏହି ନାଟକରେ ଅଭିନୟ କରିଛନ୍ତି।

ରାଜ୍ୟର ବିଭିନ୍ନ ନାଟ୍ୟସଂସ୍ଥା ନାଟକ ପରିବେଷଣ କରିବାକୁ ଥିବାବେଳେ ଏଥିରେ ନିର୍ଦେଶନା ଦେଇଛନ୍ତି ଶ୍ରୀମନ ନାରାୟଣ ମିଶ୍ର, ସୁବାସ ଚନ୍ଦ୍ର ପ୍ରଧାନ, ବଚୁରାମ ଲାମା, ଅଭିନ୍ନ ରାଉତରାୟ, ନବୀନ କୁମାର ପରିଡ଼ା, ଶିବପ୍ରସାଦ ରଥ, ସୌରଭ ମହାପାତ୍ର, ମିହିର ରଞ୍ଜନ ଆଚାର୍ଯ୍ୟ, ଜିତେନ୍ଦ୍ର ନାଥ ପଟ୍ଟନାୟକ, ଶରତ ଚନ୍ଦ୍ର ଆଚାର୍ଯ୍ୟ, ଦିଲୀପ ହୋତା, ନରେନ୍ଦ୍ର କୁମାର ମିଶ୍ର, ସତ୍ୟରଞ୍ଜନ ବେହେରା, ଡ. ପୁରୁଷୋତ୍ତମ ମିଶ୍ର, ନଳିନୀ ନିହାର ନାୟକ, ସୁଧାଂଶୁ ଦ୍ବିବେଦୀ, ହେମେନ୍ଦ୍ର ମହାପାତ୍ର, ଜଗଦାନନ୍ଦ ଛୁରିଆ, କେଶରଞ୍ଜନ ପ୍ରଧାନ, ଲକ୍ଷ୍ମଣ କୁମାର ମହାପାତ୍ର, ରମେଶ ଦାସ, ରୋମିଓ ମହାପାତ୍ର, ଦିନେଶ ଦାସ, ଦେବେନ୍ଦ୍ର ଦାସ ଏବଂ ରାଜୁ ପାଢ଼ୀ ପ୍ରମୁଖ । ନାଟ୍ୟକାର ଶ୍ରୀ ତ୍ରିପାଠୀ କହିଛନ୍ତି, ସ୍ବାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ସହିତ ଓଡ଼ିଶାର ଯେଉଁମାନେ ସାମିଲ୍ ଥିଲେ ପ୍ରଥମ କରି ସେମାନଙ୍କ ଚରିତ୍ରକୁ ରଙ୍ଗମଞ୍ଚକୁ ଅଣାଯାଇଛି। ଯାହାକି ମୋ ପାଇଁ ଗର୍ବ ଆଉ ଗୌରବ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ କହିଛନ୍ତି, ଜାତିର ଜନକଙ୍କୁ ଏହା ହେଉଛି ଶ୍ରେଷ୍ଠ ସମ୍ମାନ।

Comments are closed.