ଓଡ଼ିଶାରେ ଗାନ୍ଧୀଜୀ ଓ କଂଗ୍ରେସର ପ୍ରତିଷ୍ଠାର ୧୦୦ ବର୍ଷ ପୂର୍ତ୍ତି

ଜାତିର ପିତା ମହାତ୍ମା ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତି ଏବଂ ଓଡ଼ିଶା (ଉତ୍କଳ) କଂଗ୍ରେସର ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବେରବୋଇ ଠାରୁ ଏକ ବିଶାଳ ପଦଯାତ୍ରା ବାହାରି ବିଭିନ୍ନ ଗ୍ରାମ ଦେଇ ପ୍ରାୟ ୧୧ କି.ମି. ଅତିକ୍ରମ ପରେ ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର ଠାରେ ଶେଷ ହୋଇଛି।

ପୁରୀ ଜିଲ୍ଲା କଂଗ୍ରେସ କମିଟି ଓ ରାଜ୍ୟ ସେବାଦଳର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ବେରବୋଇ ଠାରେ ସକାଳ ୮ ଘଟିକାରେ ପଂହଚିବା ପରେ ତାଙ୍କୁ ସେବାଦଳର ରାଷ୍ଟ୍ରିୟ ପ୍ରଭାରୀ ଅଜିତ କୁମାର, ଦୁର୍ଗା ଦାସ, ଓଡ଼ିଶା ପ୍ରଭାରୀ ଜ୍ୟୋତିଷ କୁମାର ସାହୁ, ପୁରୀ ଜିଲ୍ଲା ସେବାଦଳ ମୁଖ୍ୟ ସଂଗଠକ ବିଶ୍ୱକେତନ ହରିଚନ୍ଦନ ମହାପାତ୍ର, ଏମଡି ସାହାଦୁଲ୍ଲା, କୁଳମଣି ସାହୁ ଓ ବିଭିନ୍ନ ଜିଲ୍ଲାରୁ ଆସିଥିବା ସେବାଦଳ କର୍ମକର୍ତା ଓ ଡେଲାଙ୍ଗ, ପିପିଲିର କଂଗ୍ରେସ ନେତୃବୃନ୍ଦଙ୍କ ତରଫରୁ ତାଙ୍କ ଉତ୍ସସିତ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।

ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପୁଷ୍ପମାଲ୍ୟ ଅର୍ପଣ କଲାପରେ ସେଠାରେ ଥିବା କସ୍ତୁରୁବା ଗ୍ରାମ ସେବା କେନ୍ଦ୍ରରେ ଛୋଟ ଛୋଟ ଶିଶୁମାନଙ୍କୁ ପାଠ୍ୟ ଉପକରଣ ବଂଟନ କରିଥିଲେ।

ବେରବୋଇଠାରେ ପୁରୀ ଜିଲ୍ଲା ସଭାପତି ଅଜିତ ମଙ୍ଗରାଜଙ୍କ ସଂଯୋଜନାରେ ଏକ ସ୍ୱାଗତ ସଭା ଅନୁଷ୍ଠିତ ହୋଇଥିଲା। ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋଙ୍କ ଦ୍ୱାରା ରଚିତ ମହାତ୍ମା ଗାନ୍ଧୀଙ୍କର ଆଗମନ କଂଗ୍ରେସର ୧୦୦ ବର୍ଷ ଶୀର୍ଷକ ପୁସ୍ତକକୁ ସଭାପତି ଶ୍ରୀ ପଟ୍ଟନାୟକ ଉନ୍ମୋଚନ କରିବାପରେ ବେରବୋଇ ଠାରେ କଂଗ୍ରେସର ରାଷ୍ଟ୍ରୀୟ ଅଧିବେସନ, ଗାନ୍ଧୀଜୀଙ୍କର ୭ଦିନ ରହଣି, କସ୍ତୁରିବା ଗାନ୍ଧୀଙ୍କର ଶ୍ରୀ ଜଗନ୍ନାଥ ଦର୍ଶନ ନେଇ ଏକ ବିଷଦ ବକ୍ତବ୍ୟ ପ୍ରସାଦ ହରିଚନ୍ଦନ ପ୍ରଦାନ କରିଥିଲେ।

ଏହାପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପତାକା ହଲାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ପଦଯାତ୍ର ଦାଣ୍ଡମୁକୁନ୍ଦପୁର ଠାରେ ପଂହଚିବା ପରେ ଜିଲ୍ଲା ସଭାପତି ଅଜିତ ମଙ୍ଗରାଜଙ୍କ ସଂଯୋଜନାରେ ଏକ ସମାପନ ସଭା ଅନୁଷ୍ଠିତ ହୋଇଥିଲା।

ଏହି ସଭାରେ ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ମନ୍ତ୍ରୀ ତଥା ପୁରୀ ଜିଲ୍ଲା ପ୍ରଭାରୀ ବିଜୟଲକ୍ଷ୍ମି ସାହୁ, ସତ୍ୟପ୍ରକାଶ ନାୟକ, ପୂର୍ବତନ ବିଧାୟକ ବିପିନ ଦାଶ, ବରିଷ୍ଠ କଂଗ୍ରେସ ନେତା ଜ୍ଞାନଦେବ ବେଉରା, ଶୁଭେନ୍ଦୁ ମହାନ୍ତି, ଶିବାନନ୍ଦ ରାୟ, ଉମାବଲ୍ଲଭ ରଥ, ଅମୀୟ ପଟ୍ଟନାୟକ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ବିଶ୍ୱଜିତ୍‍ ଦାଶ, ବିଶ୍ୱଭୂଷଣ ଦାଶ, ଜାନକୀ ପଟ୍ଟନାୟକ, ହଳଧର ସେଠୀ, ମାନସ ଆଚାର୍ଯ୍ୟ, ପଦ୍ମାକର ଗୁରୁ ପ୍ରମୁଖ ସେମାନଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ପିସିସି ସଭାପତି ତାଙ୍କର ସମାରୋହ ଭାଷଣରେ ଓଡ଼ିଶାରେ ଓ ଦିଲ୍ଲୀରେ କିଭଳି ଭାବେ ମିଥ୍ୟାପ୍ରଚାର, ପ୍ରତିଶୃତି ଓ ପ୍ରତାରଣା ରେ ସରକାର ଚାଲିଛି ଏ ନେଇ କଟୁ ସମାଲୋଚନା କରିଥିଲେ। ଯେଭଳି ଭାବରେ ରାଜ୍ୟ ଏବଂ କେନ୍ଦ୍ର ସରକାର ମଧ୍ୟବିତ ଓ ନିମ୍ନମଧ୍ୟବିତ ପରିବାର ଉପରେ ମହାଙ୍ଗାର ବୋଝ ଲଦି ଦେଇଛନ୍ତି ତା ଆଗାମୀ ଦିନରେ ମହଙ୍ଗା ପଡ଼ିବ ବୋଲି ଚେତାବନି ଦେଇଥିଲେ।

ଯେଉଁ ଦଳ ଏ ଦେଶର ସ୍ୱାଭିମାନ ଓ ଅଖଣ୍ଡତା ପାଇଁ ଦୀର୍ଘଦିନ ସଂଘର୍ଷ କରି ଏ ଦେଶକୁ ସ୍ୱାଧୀନତା ପ୍ରଦାନ କରିଥିଲା ସେହି ଦେଶରେ ଚାଲଥିବା ସାମ୍ପ୍ରଦାୟିକତା ଓ ଜନସାଧାରଣଙ୍କର ଅର୍ଥକୁ ଟିକସ ନାରେ ହରିଲୁଟ କରିବାର ପ୍ରୟାସ ବିରୁଦ୍ଧରେ ଓ ସମ୍ବିଧାନର ସୁରକ୍ଷା ପାଇଁ କଂଗ୍ରେସ କର୍ମୀମାନେ ବଜ୍ର ଶପଥ ନେବାପାଇଁ ଆହ୍ୱାନ ଦେଇଥିଲେ।

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର, ଅଶୋକ ଦାସ, ଲିଙ୍ଗରାଜ ସାହୁ, ବିଜୟାନନ୍ଦ ଚାଉଳିଆ, ମହିଳା କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର, ସ୍ମୃତିରେଖା ପହି, ନିରୁପମା ପାତ୍ର, ପ୍ରତିମା ମଲ୍ଲିକ, ସ୍ୱାଧୀନବାଳା ଦାସ, ଗୀତାଞ୍ଜଳି ମହାନ୍ତି, କୁସୁମ ପ୍ରଧାନ, ଶ୍ରିୟାସ୍ମିତା ପଣ୍ଡା, ନିରଞ୍ଜନ ନାୟକ, ଆଲୋକ କୁମାର ଦାଶ, ରଜତ ଚୌଧୁରୀ, ମହେନ୍ଦ୍ର ନାୟକ, ସୁଶାନ୍ତ ତ୍ରିପାଠୀ, କୈଳାସ ସାହୁ, ସୁବାଷ ପ୍ରଧାନ, ରବିନ୍ଦ୍ର ନାଥ କର, ଉମାକାନ୍ତ ବରାଳ, ପ୍ରଦୀପ ସ୍ୱାଇଁ, ବାମନ ରାଉତରାୟ, ପ୍ରମୁଖ ନେତାମାନେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.