ସ୍ୱାଧୀନତା ସଂଗ୍ରାମୀ ଗୋବିନ୍ଦ ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ

0

ଛତିଆ: ମହାତ୍ମା ଗାନ୍ଧିଙ୍କ ନୀତି, ଆଦର୍ଶ ଓ ଦର୍ଶନ ବିନା ଭାରତୀୟ ସଂସ୍କୃତି ପୂର୍ଣ୍ଣାଙ୍ଗ ନୁହେଁ ବୋଲି ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ଗୋବିନ୍ଦ ମିଶ୍ରଙ୍କ ୫୨ତମ ଶ୍ରାଦ୍ଧ ଦିବସ ପାଳନ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ମତବ୍ୟକ୍ତ କରିଥିଲେ। ଗାନ୍ଧିଶିକ୍ଷାଶ୍ରମର ଛାତ୍ରଛାତ୍ରୀ ଓ ଅତିଥିମାନେ ସମବେତ ହୋଇ ପ୍ରଥମେ ନିକଟସ୍ଥ ସାନଗେଙ୍ଗୁଟି ନଦୀରେ ତିଳତର୍ପଣ କରିବା ପରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି ଅବସରରେ ସ୍ତମ୍ଭକାର ମିହିର ପ୍ରତାପ ଦାସଙ୍କ ଅଧ୍ୟକ୍ଷତାରେ ଗୋବିନ୍ଦ ମିଶ୍ର ସ୍ମୃତିସଂସଦ ଦ୍ୱାରା କଇଥା-ଚମ୍ପାପୁର ଗାନ୍ଧୀ ଶିକ୍ଷାଶ୍ରମ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ‘ସମାଜ’ର ସଂପାଦକୀୟ ବିଭାଗର ଉପଦେଷ୍ଟା ମହେଶ ଶର୍ମା ଯୋଗଦେଇ ଗାନ୍ଧୀବାଦ ରାଜ୍ୟ ଭାବେ ଓଡିଶା ଦେଶର ଆଗରେ ରହିଛି ଏବଂ ଭାରତ ବର୍ଷ ଗାନ୍ଧୀଙ୍କ ଦର୍ଶନ, ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା କହିଥିଲେ। ଗୋବିନ୍ଦ ମିଶ୍ର ଗାନ୍ଧିଙ୍କୁ ଓଡିଶା ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତେଣୁ ଆଜି ତାଙ୍କର ୫୨ତମ ଶ୍ରାଦ୍ଧ ଦିବସରେ ତାଙ୍କ ପଥ ଅନୁଶୀଳନ କରି କାମକଲେ ତାଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତାଭାବେ ଗାନ୍ଧି ସ୍ମାରକୀନିଧି ସଂପାଦକ ଡ. ବିଶ୍ୱଜିତ ରାୟ ଯୋଗଦେଇ ଗାନ୍ଧି ଦର୍ଶନ ଉପରେ ବିସ୍ତୃତଭାବେ ଆଲୋଚନା କରିବା ସହ ଗୋବିନ୍ଦ ମିଶ୍ର ମହାତ୍ମା ଗାନ୍ଧିଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଗାନ୍ଧିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ। ସମ୍ମାନିତ ଅତିଥିଭାବେ କଇଥା ସରପଞ୍ଚ ଦିଲୀପ ଦାସ, ସମିତି ସଭ୍ୟ ରାମଚନ୍ଦ୍ର ବେହେରା, ଚମ୍ପାପୁର ସମିତି ସଭ୍ୟାଙ୍କ ପ୍ରତିନିଧି ଦିଲୀପ ରାଉତ, ଶିକ୍ଷାବିତ ଧ୍ରୁବଚରଣ ପ୍ରଧାନ, ପ୍ରଧାନ ଶିକ୍ଷକ କାହ୍ନୁଚରଣ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। ଶରତ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଓ ସହକାରୀ ଶିକ୍ଷକ ପ୍ରତାପ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଗାନ୍ଧି ଶିକ୍ଷାଶ୍ରମରେ ଅଧ୍ୟକ୍ଷନ କରୁଥିବା ପ୍ରତି ଶ୍ରେଣୀରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ମୃତିସଂସଦ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସହକାରୀ ଶିକ୍ଷୟିତ୍ରୀ ପ୍ରଭାମୟୀ ଦାଶ, ସ୍ମୃତିପ୍ରିୟଦର୍ଶିନୀ ଦାସ, ସାଗରୀକା ରାଉତ, ପ୍ରତିମା ବେହେରା, ବିଜୟୀ ଦେବୀ, ଲକ୍ଷ୍ମୀ ଖୁଣ୍ଟିଆ, ମୋନାଲିସା ମହାପାତ୍ର ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply