ଗାନ୍ଧୀ ସତ୍ୟାଗ୍ରହର ତାତ୍ପର୍ଯ୍ୟ

ସତ୍ୟାଗ୍ରହ ଶବ୍ଦଟି ପ୍ରାୟ ସମସ୍ତେ ଜାଣନ୍ତି, କେବଳ ୧୯୭୦ ପରେ ଜନ୍ମ ହୋଇଥିବା ପିଢ଼ିକୁ ଛାଡ଼ି। କାରଣ ଏହି ପିଢ଼ି ଓ ତା’ପରେ ଜନ୍ମ ହୋଇଥିବା ଭାରତୀୟମାନେ ସତ୍ୟାଗ୍ରହ ମାଧ୍ୟମରେ ଗାନ୍ଧୀ ବ୍ରିଟିଶ ଶାସନ ବିରୋଧରେ ଯେଉଁ ଆନ୍ଦୋଳନ କରିଥିଲେ ତା’ରି ଯୋଗୁଁ ସ୍ବାଧୀନ ହେଲା ଭାରତ, ଏହା ବ୍ୟତୀତ ‘ସତ୍ୟାଗ୍ରହ’ର ତାତ୍ପର୍ଯ୍ୟ ଜାଣନ୍ତି ନାହିଁ। ସେମାନେ ଦେଶର ସବୁ ରାଜନୈତିକ ଦଳମାନଙ୍କର ଆନ୍ଦୋଳନ ଦେଖିଛନ୍ତି। ଗତ ମାସରେ ହିଂସାତ୍ମକ ପ୍ରତିବାଦ ଓ ପରେପରେ ଶାନ୍ତିପୂର୍ଣ୍ଣ ରାସ୍ତା ଜାମ୍‌ ଦେଖିଛନ୍ତି, କିନ୍ତୁ ଗାନ୍ଧୀଙ୍କ ‘ସତ୍ୟାଗ୍ରହ’ର ଦର୍ଶନ ଉପରେ ସେମାନଙ୍କର ଜାଣିବାର ପ୍ରୟୋଜନ ମଧ୍ୟ କେବେ ଆସିନାହିଁ ବୋଲି ମୋର ବିଶ୍ବାସ। ଯେଉଁମାନେ ନିଜକୁ ଗାନ୍ଧୀଭକ୍ତ କହନ୍ତି ସେମାନେ ଗାନ୍ଧୀଙ୍କୁ ଦେବପର୍ଯ୍ୟାୟରେ ରଖନ୍ତି, କିନ୍ତୁ ଗାନ୍ଧୀ ଯେ ଜଣେ ରକ୍ତମାଂସର ବ୍ୟକ୍ତି ଏବଂ ଆତତାୟୀର ଗୁଳିରେ ପ୍ରାଣ ବିସର୍ଜନ କରିଥିଲେ ଏକ ଭିନ୍ନ ଆଦର୍ଶର ସଂଘାତ ଯୋଗୁଁ, ସେ କଥା ମନେ ରଖନ୍ତି ନାହିଁ। ଏଟେନ୍‌ବରୋଙ୍କ ଗାନ୍ଧୀ ଚଳଚ୍ଚିତ୍ର ଅବଶ୍ୟ ଏଇ ନୂଆ ପିଢ଼ିମାନେ ଦେଖିଥିବେ, କିନ୍ତୁ ଗାନ୍ଧୀଙ୍କ ‘ସତ୍ୟାଗ୍ରହ’ର ଦର୍ଶନ ସମ୍ପର୍କରେ ସେମାନେ ଆଗ୍ରହୀ ଥିଲାପରି ମନେହୁଏ ନାହିଁ। ଗାନ୍ଧୀ ଜାତିର ପିତା, ମହାମାନବ ଏବଂ ଆରାଧ୍ୟ; ଏତିକି ଜାଣିଲେ ଯଥେଷ୍ଟ ବୋଲି ସେମାନେ ଭାବନ୍ତି। ଆଜିର ରାଜନୀତି ଓ ସମାଜ ପରିପ୍ରେକ୍ଷୀରେ ଗାନ୍ଧୀ ପ୍ରାୟ ଅପ୍ରାସଙ୍ଗିକ।
ତେବେ ଗାନ୍ଧୀଙ୍କ ସତ୍ୟାଗ୍ରହ କେଉଁ ଦର୍ଶନ ଉପରେ ପ୍ରତିଷ୍ଠିତ? ନେହେରୁ କହିଥିଲେ- ‘ସତ୍ୟାଗ୍ରହ ରାଜନୀତି ଓ ସମାଜରେ ଏକ ନୂତନ ଗତି ପ୍ରବର୍ତ୍ତକ ଶକ୍ତି।’ ବ୍ରିଟିଶ ସରକାରଙ୍କ ସତ୍ୟାଗ୍ରହ ଅନୁସନ୍ଧାନ କମିଟିର ଅଧ୍ୟକ୍ଷ ଲର୍ଡ ହଣ୍ଟରଙ୍କ ଏକ ପ୍ରଶ୍ନର ଉତ୍ତରରେ ଗାନ୍ଧୀ କହିଥିଲେ, ‘ଏହା ଏକ ପଦ୍ଧତି ବା କାର୍ଯ୍ୟଶୈଳୀ ଯାହା ହିଂସାତ୍ମକ ଆନ୍ଦୋଳନର ଏକ ବିକଳ୍ପ ଏବଂ ଏହା ମୁଖ୍ୟତଃ ସତ୍ୟ ଉପରେ ପ୍ରତିଷ୍ଠିତ।’ ୧୯୨୫ରେ ଦାର୍ଜିଲିଂରେ ଗାନ୍ଧୀ ଏକ ମିଶ୍‌ନାରୀଙ୍କୁ କହିଥିଲେ ଯେ, ‘ଈଶ୍ବର ଏବଂ ସତ୍ୟ ପରସ୍ପରର ଅର୍ଥବୋଧକ, ଅର୍ଥାତ୍‌ ସମାର୍ଥବୋଧକ। ଅନ୍ୟ ଭାଷାରେ ଈଶ୍ବର ସତ୍ୟ ଏବଂ ସତ୍ୟ ହିଁ ଈଶ୍ବର। ତେଣୁ ସତ୍ୟାଗ୍ରହ ବା ସତ୍ୟ ପ୍ରତି ଅନୁରାଗ, ହିଂସା ବର୍ଜନ କରେ। ସତ୍ୟ ହିଁ ଏକ ଶକ୍ତି। ଏହା ହିଂସାବିରୋଧୀ କାରଣ ଈଶ୍ବରଙ୍କୁ ପୂର୍ଣ୍ଣଭାବେ ବୁଝିବା ଶକ୍ତି ଯେହେତୁ ମଣିଷ ପାଖରେ ନାହିଁ ମଣିଷର ଦଣ୍ଡଦେବା ଶକ୍ତି ନାହିଁ। ସତ୍‌ ବା ସତ୍ୟ ଈଶ୍ବରଙ୍କ ଅନ୍ୟ ଏକ ନାମ ଏବଂ ଏହି ସତ୍‌ନାମ ହିଁ ଈଶ୍ବରଙ୍କ ପ୍ରକୃଷ୍ଟ ଓ ସଠିକ୍‌ ନାମ’(ଜୁଲାଇ ୩୦ ୧୯୩୧, ୟଙ୍ଗ୍‌ ଇଣ୍ଡିଆ)।
ସତ୍ୟ ଯେହେତୁ ଗାନ୍ଧୀଙ୍କ ପାଇଁ ଭଗବାନ ସେହି ସ୍ବୟଂସଂଭୂତ ପୂର୍ଣ୍ଣାଙ୍ଗ ଈଶ୍ବରଙ୍କ ସହ ସାକ୍ଷାତ ଗାନ୍ଧୀଙ୍କ ଜୀବନବ୍ରତ ଥିଲା। ତେଣୁ ତାଙ୍କର ଆତ୍ମଜୀବନୀର ନାମକରଣ ଏହି ଦୃଷ୍ଟିରୁ ତାତ୍ପର୍ଯ୍ୟପୂର୍ଣ୍ଣ: ‘ସତ୍ୟ ସହିତ ପରୀକ୍ଷା’ ଅର୍ଥାତ୍‌ ସତ୍ୟସନ୍ଧାନ ପାଇଁ ଜୀବନର ସମସ୍ତ ଜାଗତିକ ଶକ୍ତିର ପରିଚାଳନା। ଏହାହିଁ ହିନ୍ଦୁତ୍ବର ତତ୍ତ୍ବମୀମାଂସା, ଯାହା ଆଜି ରାଜନୀତିକରଣ ଦ୍ବାରା ବିବଦମାନ ହୋଇପଡ଼ିଛି। ଆମେ ବ୍ରହ୍ମ ଭାବେ ଯାହା ବୁଝୁ ସେହି ବ୍ରହ୍ମସାଧନା ହିଁ ବ୍ରତ। ବ୍ୟକ୍ତିର ଆତ୍ମଶକ୍ତି ପରିଚାଳିତ ଜୀବନ ସେହି ବ୍ରହ୍ମର ପରିଚୟ ପାଇବା ପାଇଁ ନିୟୋଜିତ ହୁଏ। ଅବଶ୍ୟ ଗାନ୍ଧୀ ଯେଉଁ ସତ୍ୟକୁ ବ୍ରହ୍ମ ବା ଈଶ୍ବରଭାବେ ବୁଝିଥି‌େଲ ଅନ୍ୟମାନେ ତାହା ଗ୍ରହଣ କରି ନପାରନ୍ତି। ତେଣୁ ଯେଉଁମାନେ ଧାରଣା, ମତ ପୋଷଣ କରନ୍ତି ତାଙ୍କ ପ୍ରତି ଖୋଲାମନରେ ବ୍ୟବହାର କରିବାକୁ ହେବ ଏବଂ ଏହି କାରଣ ପାଇଁ ସେ କହିଥିଲେ ଯେ ‘ମୋର ସତ୍ୟାଗ୍ରହ ସାଧନାରେ ହିଂସାର ସ୍ଥାନ ନାହିଁ। ବିରୋଧୀ ଅଭିମତ ଧାରଣ କରିବା ବ୍ୟକ୍ତିର ଭୁଲ ସୁଧାରିବା ପାଇଁ ଆବଶ୍ୟକ ଧୈର୍ଯ୍ୟ ଓ ସହାନୁଭୂତି। ଏଥିରେ ହିଂସାର ସ୍ଥାନ ନାହିଁ।
ସତ୍ୟାଗ୍ରହ ଏକ କୌଶଳ, ବିରୋଧ ଜଣାଇବା ପାଇଁ। ସତ୍ୟ ସେହି କୌଶଳରେ ନିରଙ୍କୁଶ ନୁହେଁ। ରାଜନୀତି ବା ସାମାଜିକ ସମସ୍ୟାରେ ସତ୍ୟ ଏକ ଯନ୍ତ୍ରପାତି ବା ହତିଆର। ଏହି ସତ୍ୟ ଏକ ପ୍ରୟୋଗାତ୍ମକ ନୈତିକତା ଭାବେ ସତ୍ୟାଗ୍ରହରେ ବ୍ୟବହୃତ ହୋଇଛି। ସତ୍ୟର ସାଧନା କଲାବେଳେ ଯନ୍ତ୍ରଣାକୁ ସହିବାକୁ ହୁଏ। ଅନ୍ୟକୁ ଯନ୍ତ୍ରଣା ଦେଲେ ସତ୍ୟସାଧନା ବିଫଳ ହୁଏ। ଆମେ ସବୁ ଯେହେତୁ ସତ୍ୟାଗ୍ରହ କହିଲେ ହିଂସାତ୍ମକ ଆନ୍ଦୋଳନ, କାରବସ୍‌ ପୋଡ଼ି, ଛୁରାମାଡ଼ ଇତ୍ୟାଦି ଅନୁଭବରୁ ଜାଣିଛୁ ଏହି ଅହିଂସ ସତ୍ୟାଗ୍ରହ ଦାର୍ଶନିକ ସ୍ତରରେ ବୁଝିବା ସହଜସାଧ୍ୟ ନୁହେଁ। ଆପେକ୍ଷିକ ନୈତିକତା ତତ୍ତ୍ବ ସହିତ ଏହାର ସମ୍ପର୍କ ସ୍ପଷ୍ଟ ନୁହେଁ। ଏହି ଗାନ୍ଧୀଦର୍ଶନ ବୁଦ୍ଧଙ୍କର ସତ୍ୟାନୁସରଣ ଓ ସାଧନାର ରୂପାନ୍ତର। ଏହି ସତ୍ୟମାର୍ଗରେ ବୁଦ୍ଧଦର୍ଶନ ଭଳି ଅହଂିସା ବର୍ଜନୀୟ। କାରଣ ବିରୋଧୀ ବା ଶକ୍ତିଶାଳୀ କ୍ଷମତାଧାରୀ ପ୍ରତି ଯଦି ହିଂସା ପ୍ରୟୋଗ କରାଯାଏ ତାହା ସତ୍ୟାଗ୍ରହ ନୁହେଁ। ସତ୍ୟର ଅନ୍ୟ ଏକ ନାମ ପ୍ରେମ, ଅନୁରାଗ। ସତ୍ୟାଗ୍ରହ ତେଣୁ ଏକ ପ୍ରେମାସ୍ତ୍ର (ମଦନର ପଞ୍ଚଶର ନୁହେଁ)। ସତ୍ୟ ସାର୍ବଜନୀନ ନହୋଇପାରେ, କିନ୍ତୁ ବ୍ୟକ୍ତିର ସାମାଜିକ, ରାଜନୀତିକ, ଏପରିକି ଆଧ୍ୟାତ୍ମିକ ପରିପାର୍ଶ୍ବ ପରିପ୍ରେକ୍ଷୀରେ ଯେଉଁ ସତ୍ୟ ବ୍ୟକ୍ତି ଏକ ପଦ୍ଧତି ବା କୌଶଳ ଭାବେ ପ୍ରୟୋଗ କରେ, ତାହା ଆପେକ୍ଷିକ ବ୍ୟାବହାରିକ ସତ୍ୟ। ସମାଜ ଓ ରାଜନୀତି ପରିପ୍ରେକ୍ଷୀରେ ହିଁ ଏହି କୌଶଳ ପ୍ରୟୋଗ କରାଯାଏ, ଜଙ୍ଗଲରେ ନୁହେଁ। ‘ୟଙ୍ଗ ଇଣ୍ଡିଆ’ରେ ଗାନ୍ଧୀ ଲେଖିଛନ୍ତି ‘ଗୁମ୍ଫାରେ ବସି ସତ୍ୟ ସାଧନା କରାଯାଇ ନପାରେ। ଯେତେବେଳେ କଥା କହିବାର ଆବଶ୍ୟକତା ଥାଏ ସେତେବେଳେ ନୀରବତା ଅର୍ଥହୀନ।’ (୧୯୧୯-୨୨ ଏକାଗ୍ରତା ଓ ସାଧୁତା, ସ୍ପଷ୍ଟବାଦିତା ଓ ନିର୍ଭୀକତା, ପ୍ରେମ ଓ ଅହଂିସା ସତ୍ୟାଗ୍ରହ ପଦ୍ଧତିର ମୌଳିକ ମୂଲ୍ୟବୋଧ ଯାହା ଉପକରଣ ରୂପେ ବ୍ୟବହୃତ ହୁଏ ସତ୍ୟାଗ୍ରହରେ।
ସତ୍ୟାଗ୍ରହ ଯେହେତୁ ଏକ ହିଂସାବିକଳ୍ପ ପଦ୍ଧତି, ଅହିଂସା ଏହାର ଅବିଚ୍ଛେଦ୍ୟ ଅଙ୍ଗ କେବଳ ନୁହେଁ, ଏକ ପ୍ରେମର ପରିଭାଷା। ‘ଅ’ ହିଂସାର ଏକ ଉପସର୍ଗ ନୁହେଁ, ଗାନ୍ଧୀଙ୍କ ପାଇଁ ଏହା ଏପରି କାର୍ଯ୍ୟ ଯାହା ଅନ୍ୟର କ୍ଷତି କରେନାହିଁ। ହତ୍ୟା କରିବାର ଇଚ୍ଛା ପରିତ୍ୟାଗ କଲେ ଅହିଂସା ଆସେ। ମିଥ୍ୟା, ଅନ୍ୟ ଲାଗି ମନ୍ଦ ଚିନ୍ତା ବା ଘୃଣା ଅହିଂସାରେ ପ୍ରବେଶ କରେ ନାହିଁ। ଏହା ସକାରାତ୍ମକ ପ୍ରେମ। ଅନ୍ୟର ମନ୍ଦ ଇଚ୍ଛାର ନୀରବ ସମର୍ଥନ ନକରି ପ୍ରେମ ଦ୍ବାରା ପ୍ରତିବାଦ କରିବା ଅହିଂସାର ବାସ୍ତବ ଅର୍ଥ ଏବଂ ଏହା ସତ୍ୟାଗ୍ରହର ଅନ୍ତର୍ନିହିତ ଶକ୍ତି। ତେଣୁ ପ୍ରେମର ସପକ୍ଷବାଦ ଭାବେ ଅହିଂସା ସ୍ବୀକାର୍ଯ୍ୟ। ଅହିଂସା ମାର୍ଗରେ ହିଁ ସତ୍ୟ ପ୍ରତିଷ୍ଠା ପାଏ। ଗାନ୍ଧୀ ଲେଖିଥିଲେ, ‘ସତ୍ୟ ଯଦି ଲକ୍ଷ୍ୟ ହୁଏ ପ୍ରେମ ତା’ର ମାର୍ଗ (ୟାରୱାଡ଼ା ମନ୍ଦିର ପୃ୮ ଗୁଜରାଟି’)। କାୟମନୋବାକ୍ୟରେ ଯଦି ଅହିଂସା ଏକ ପ୍ରେମଶକ୍ତି ଭାବେ ପାଳିତ ହୁଏ ସତ୍ୟାଗ୍ରହ ସତ୍‌ମାର୍ଗରେ ଯିବ। ଅହିଂସା ନଥିଲେ ସତ୍ୟ ବି ରହେନାହିଁ ଏବଂ ପ୍ରେମ ନଷ୍ଟ ହୁଏ। ବିରୋଧୀ ଶକ୍ତିର ସମସ୍ତ କ୍ରୋଧ ଉଦ୍ଦୀପନା ସତ୍ତ୍ବେ ଅହିଂସ ସତ୍ୟାଗ୍ରହୀ ଶାନ୍ତି ଓ ପ୍ରେମୀ ହେବାକୁ ପଡ଼ିବ। ଏହାର ଅର୍ଥ ହେଲା ମୁଣ୍ଡରେ ଲାଠି ପଡ଼ିଲେ ବି ହସ ଲିଭିବ ନାହିଁ କି ମୁଣ୍ଡ ନଇଁବ ନାହିଁ। ଗାନ୍ଧୀଙ୍କ ହତ୍ୟା ପରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ କହିଥିଲେ ଯେ ‘ଗାନ୍ଧୀ ଆମ ଅଣ୍ଟା ସିଧା କରି ଦେଇଛନ୍ତି, ତେଣୁ ମାଡ଼ ପଡ଼ିଲେ ମଧ୍ୟ ମୁଣ୍ଡ ନଇଁନାହିଁ।’ ଏହି ଦୃଷ୍ଟିରୁ ସତ୍ୟାଗ୍ରହରେ ଅହଂିସା ଗ୍ରହଣ କରିବାକୁ ହେବ, କିନ୍ତୁ ପ୍ରେମ ବା ଅହଂିସା କଷ୍ଟ ସହିବା ଲାଗି ମଧ୍ୟ ପ୍ରସ୍ତୁତ କରାଏ। ଅହଂିସା ଏକ ତପସ୍ୟା ଯାହା ଆତ୍ମପୀଡ଼ାକୁ ମଧ୍ୟ ଗ୍ରହଣ କରେ। ପ୍ରେମରେ ପ୍ରତିହିଂସା ନାହିଁ। ପ୍ରେମ ଦାବି କରେ ନାହିଁ କେବଳ ଦେଇଯାଏ। ସେଥିପାଇଁ ଆତ୍ମୋତ୍ସର୍ଗ ଓ ପୀଡ଼ା ବରଣ ମଧ୍ୟ କରିବାକୁ ହୁଏ। ଆତ୍ମପୀଡ଼ନ ମାଧ୍ୟମରେ ସତ୍ୟ ପ୍ରତିଷ୍ଠିତ ହୁଏ ଏବଂ ବିଜୟ ପାଏ।
ଗାନ୍ଧୀ ସତ୍ୟାଗ୍ରହର ସତ୍ୟ ଏକ ନୈତିକ ମାନବବୋଧ ଉପରେ ପ୍ରତିଷ୍ଠିତ। ଅହିଂସା, ସତ୍ୟ ଓ ପ୍ରେମର ପରିଭାଷା। ଅହିଂସା ପାଇଁ ଯଦି ଆତ୍ମୋତ୍ସର୍ଗ କରିବାକୁ ପଡ଼େ ସେଥିରେ ମଧ୍ୟ କୌଣସି ଦ୍ବିଧା ନାହିଁ। କାରଣ ନିଜେ କଷ୍ଟ-ଯନ୍ତ୍ରଣା ସ୍ବୀକାର କଲେ ହିଁ ବିରୋଧୀ ଶକ୍ତିର ହୃଦୟ ପରିବର୍ତ୍ତନ ହେଇପାରେ। ତେଣୁ ଗାନ୍ଧୀ ସତ୍ୟାଗ୍ରହ ପଦ୍ଧତିର ସାମାଜିକ କାର୍ଯ୍ୟାବଳୀରେ ଅସହଯୋଗ ଆନ୍ଦୋଳନ, ଅହିଂସ, ପ୍ରତିବାଦ, ଗଠନମୂଳକ କାର୍ଯ୍ୟକ୍ରମ ଅସ୍ତ୍ର ରୂପେ ବ୍ୟବହାର କରାଯାଇଥିଲା।
ସତ୍ୟାଗ୍ରହ ବିଶ୍ବର ରାଜନୀତିକ ଇତିହାସରେ ଏକ ଭାରତୀୟ ପଦ୍ଧତି। ପାଶ୍ଚାତ୍ୟ ସଭ୍ୟତାରେ ରାଜନୀତିକ ବିରୋଧ ସବୁବେଳେ ହିଂସାତ୍ମକ ଥିଲା। ଭାରତରେ ମଧ୍ୟ ଅଶୋକଙ୍କ ପୂର୍ବରୁ ହିଂସା ହିଁ ବିରୋଧର ଅସ୍ତ୍ରଥିଲା, କିନ୍ତୁ ବିଂଶଶତାବ୍ଦୀରେ ଦୀର୍ଘ ୭୦୦ ବର୍ଷର ମୁସଲମାନ ରାଜତ୍ବ ଓ ପ୍ରାୟ ୨୦୦ ବର୍ଷର ବ୍ରିଟିଶ ରାଜତ୍ବ ପରେ ବିଦେଶୀ ଶାସକ ବିରୋଧରେ ଲଢ଼ିବାର ଶକ୍ତି ଭାରତୀୟମାନଙ୍କର ଥିଲେ ମଧ୍ୟ ଗାନ୍ଧୀ ଏକ ନୈତିକ ଆତ୍ମବଳର ନେତୃତ୍ବ ଦେଇଥିଲେ ପ୍ରାୟ ୩୦ କୋଟି ଭାରତୀୟଙ୍କୁ। ତାଙ୍କର ସତ୍ୟାଗ୍ରହ ପୂର୍ବରୁ ଭାରତ ଦର୍ଶନବେଳେ ସେ ଦକ୍ଷିଣ ଆଫ୍ରିକାର ସାମାଜିକ-ରାଜନୀତିକ ଚିତ୍ର ସହିତ ନିଜ ଦେଶର ଚିତ୍ର ଦେଖିଥିଲେ। ଦାରିଦ୍ର୍ୟ, ଅଶିକ୍ଷା ଓ କୁସଂସ୍କାର ପୀଡ଼ିତ ଭାରତୀୟଙ୍କୁ ସେ ପ୍ରଥମେ ଭୟ ବିରୋଧରେ ସଂଗ୍ରାମ କରିବାର ମନ୍ତ୍ର ଦେଇଥିଲେ। ଯେଉଁ ଦେଶ ନିଜର ସ୍ବାଧୀନତା ଚାହେଁ ସେ ପ୍ରଥମେ ଭୟମୁକ୍ତ ହେବାକୁ ପଡ଼ିବ। ତେଣୁ ସାରା ଦେଶ ବୁଲିବୁଲି ସେ ଲୋକଙ୍କୁ ଆତ୍ମାବଳ ଜାଗ୍ରତ କରିବା ପାଇଁ ଭାଷଣ ଦେଲେ ଏବଂ ଆତ୍ମା ଦ୍ବାରା ଅହଂର ବିନାଶ ପାଇଁ ପ୍ରେରଣା ଦେଲେ। ସତ୍ୟାଗ୍ରହ ଏହି ଆତ୍ମଜାଗରଣର ମାର୍ଗ ଯେଉଁଠି ଭାରତୀୟ ଆତ୍ମାର ଶକ୍ତି ପ୍ରଦର୍ଶନ କରି ଅହିଂସା ଦ୍ବାରା ହିଂସାର ବିରୋଧ କରାଯାଏ। ‘ସତ୍ୟୋନାସ୍ତି ପରୋ ଧର୍ମଃ।’ ସତ୍ୟଠାରୁ ବଡ଼ ଧର୍ମ ବା କର୍ତ୍ତବ୍ୟ ଆଉ କିଛି ନାହିଁ। ଏହି ଦର୍ଶନକୁ ଗାନ୍ଧୀ ସାମାଜିକ ସମନ୍ବୟ ଓ ସମସ୍ୟା ସମାଧାନ ଦିଗରେ ପ୍ରୟୋଗ କଲେ। ଏହି ଆତ୍ମାଭିମାନ ଭାରତକୁ ନିରସ୍ତ୍ର, ଅହଂିସ ସାଧନାର ତେଜ ଦେଇଥିଲା, ଯାହାଦ୍ବାରା ବ୍ରିଟିଶ ସାମ୍ରାଜ୍ୟ ଭାରତକୁ ସ୍ବାଧୀନତା ଦେବାପାଇଁ ବାଧ୍ୟ ହୋଇଥିଲା।
ସ୍ବାଧୀନ ଭାରତରେ ଯେଉଁ ଆନ୍ଦୋଳନ କରାଯାଏ ତାହା ସତ୍ୟାଗ୍ରହ ବୋଲି କୁହାଯାଇ ପାରିବ କି ନାହିଁ ବିଜ୍ଞ ପାଠକମାନେ ସ୍ଥିର କରିବେ। ଭାରତର ସରକାର ଜନମତର ପ୍ରତିନିଧିତ୍ବ କରେ। ସେଠି ଦାବି ଉପସ୍ଥାପନା କିମ୍ବା ଆପତ୍ତି ଅଭିଯୋଗ ଶତ୍ରୁ ସହିତ ମୁକାବିଲା ନୁହେଁ। ଗଣତନ୍ତ୍ରର ବିତର୍କ ମାଧ୍ୟମରେ ସତ୍ୟ ଉଦ୍‌ଘାଟିତ ହୁଏ ଯାହା ସମାଜ ପାଇଁ ଉପ​‌େ​‌ଯାଗୀ, କିନ୍ତୁ ୨୦୧୯ ଶେଷ ଭାଗରେ ଯାହା ଘଟିଛି, ଆଜି ଯଦି ଗାନ୍ଧୀ ଥାଆନ୍ତେ ହୁଏତ ମୌନବ୍ରତ ଅବଲମ୍ବନ କରି ବସିଥାନ୍ତେ ସାବରମତି ଆଶ୍ରମରେ।

– ପ୍ରଫୁଲ୍ଲ କୁମାର ମହାନ୍ତି

ଚିତ୍ରକାବ୍ୟ ଶିଶୁବିହାର, ଭୁବନେଶ୍ବର

Comments are closed.