ରାଷ୍ଟ୍ର ନାୟକଙ୍କୁ ପ୍ରଣାମ

ଜାତିର ପିତା, ମହାମାନବ, କୋଟି ଭାରତୀୟଙ୍କ ପ୍ରିୟ ବାପୁଜୀ ତଥା ମହାତ୍ମା ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କର ଆଜି ୧୫୦ ତମ ଜନ୍ମଦିନ। ଅଂହିସା, ସତ୍ୟାଗ୍ରହ ଓ ନ୍ୟାସୀତତ୍ତ୍ବର ସେ ଆଦ୍ୟ ପ୍ରବର୍ତ୍ତକ। ସମୟାନୁବର୍ତ୍ତିତା, ସ୍ବଚ୍ଛତାର ପକ୍ଷଧର। ଏକ ‘ସମାବେଶୀ ସମାଜ’ ଗଠନର ମନ୍ତ୍ରଦାତା। ଜାତି, ବର୍ଣ୍ଣ, ଧର୍ମ ଓ ଭାଷାକୁ ନେଇ ସୃଷ୍ଟ ଅସହିଷ୍ଣୁତାର କଠୋର ସମାଲୋଚକ। କେବଳ ଭାରତ ନୁହେଁ; ବିଶେଷକରି ସମୁଚ୍ଚୟ ପୃଥିବୀବାସୀଙ୍କର ସିଏ ଆଜି ବି ହୃଦୟ ସମ୍ରାଟ। ମାର୍ଟିନ୍ ଲୁଥର କିଙ୍ଗ, ନେଲ୍‌ସନ୍‌ ମଣ୍ଡେଲାଙ୍କଠାରୁ ବିଖ୍ୟାତ ବୈଜ୍ଞାନିକ ଆଇନ୍‌ଷ୍ଟାଇନ୍‌ଙ୍କ ଦୃଷ୍ଟି​‌େ​‌ର ସେ ଅବିଶ୍ବସନୀୟ ପ୍ରତିଭୂ। ଏକବିଂଶ ଶତାବ୍ଦୀରେ ମଧ୍ୟ ଗାନ୍ଧିବାଦ-ଗାନ୍ଧୀ ଦର୍ଶନ-ଗାନ୍ଧୀ ଚିନ୍ତନକୁ ନେଇ ସର୍ବତ୍ର ଚର୍ଚ୍ଚା, ଆଲୋଚନା ଓ ମାନସ ମନ୍ଥନ। ଆଇନଷ୍ଟାଇନ୍‌ ଏକଦା କହିଥିଲେ- ‘‘ଆଗାମୀ ପିଢି ଗାନ୍ଧୀ ବିଚାର ଶୁଣିବାବେଳେ ବିସ୍ମିତ ହୋଇ ପ୍ରଶ୍ନ କରିବ, ସତରେ କ’ଣ ରକ୍ତ ମାଂସଧାରୀ ଏଭଳି ମଣିଷଟିଏ ପୃଥିବୀରେ ଜନ୍ମ ନେଇଥିଲେ !’
ଗାନ୍ଧୀଙ୍କ ବିଚାର ଥିଲା ଉଚ୍ଚତମ। ଜୀବନ ଥିଲା ଅତ୍ୟନ୍ତ ସରଳ, ନିରାଡ଼ମ୍ବର ଓ ଆତ୍ମଶୁଦ୍ଧ। ଶବ୍ଦ, କର୍ମ ଓ ବିଚାରରେ ଥିଲା ପୂର୍ଣ୍ଣ ସାମଞ୍ଜସ୍ୟ। ‘‘ମଣିଷର ଆବଶ୍ୟକତା ପାଇଁ ପ୍ରକୃତି ସବୁ କିଛି ଦେଇଛି; ମାତ୍ର ତୃଷ୍ଣା ପୂରଣ ପାଇଁ ନୁହେଁ।’’ ପରିବେଶ ଓ ପ୍ରକୃତିର ସୁରକ୍ଷା, ସମ୍ପଦର ମିତବ୍ୟୟତା ଓ ସ୍ବଚ୍ଛତା କ୍ଷେତ୍ରରେ ଗାନ୍ଧିଜୀଙ୍କ ଏହା ଥିଲା ଅଲିଭା ଅଭିଲେଖ। ଆଜି ଦେଢଶହ ବର୍ଷ ଜନ୍ମଜୟନ୍ତୀରେ ‘ସମାଜ’ ପକ୍ଷରୁ ଏଇ ପରମପୂଜ୍ୟ ବାପୁଜୀଙ୍କୁ ଅୟୁତକୋଟି ପ୍ରଣାମ।

ମହାନ୍‌ ଦେଶଭକ୍ତ, ଶାନ୍ତିଦୂତ, ସ୍ବାଧୀନ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ, ଏକ ସମର୍ପିତ ନେତୃତ୍ବ, ନୀତି-ନିଷ୍ଠା-ନୈତିକତାର ଦେଦୀପ୍ୟମାନ ଅଗ୍ନିଶିଖା ଲାଲବାହାଦୁର ଶାସ୍ତ୍ରୀଙ୍କର ଆଜି ୧୧୫ତମ ଜୟନ୍ତୀ। ଗାନ୍ଧିଜୀଙ୍କ ଅଂହିସା ଥିଲା ତାଙ୍କ ପ୍ରେରଣାର ଉତ୍ସ। ସମାଜର ବିଭିନ୍ନ ବର୍ଗକୁ ଏକତା ସୂତ୍ରରେ ବାନ୍ଧି ଅଳ୍ପ ସମୟରେ ମଧ୍ୟ ବିକାଶର ଶିଖର ଛୁଇଁବାରେ ସେ ରଖିଥିଲେ ଆସ୍ପର୍ଦ୍ଧା। ଏହି ମହାନାୟକଙ୍କ ଅର୍ନ୍ତଦୃଷ୍ଟି ଥିଲା ଉତ୍କୃଷ୍ଠ ଜାତୀୟ ଜୀବନ। ‘ଜୟ ଜବାନ ଓ ଜୟ କିଶାନ’ର ଉଦ୍‌ଘୋଷଣା ଓ ଜୟଗାନ ଆଜି ବି କୋଟି ଭାରତୀୟଙ୍କୁ ସ୍ପନ୍ଦିତ କରେ। ଯୋଗାଏ ପ୍ରେରଣାର ସ୍ବତସ୍ବିନୀ। କିଏ କେତେ ଦିନ ବଞ୍ଚିଲା ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ; ବଡ଼ କଥା ହେଉଛି ମୃତ୍ୟୁ ପରେ କେମିତି ବଞ୍ଚିଛି। ଏଇ ମହାନ ରାଷ୍ଟ୍ରଭକ୍ତଙ୍କୁ ଜନ୍ମଦିନରେ ‘ସମାଜ’ର ଶତ ଶତ ପ୍ରଣିପାତ।

Comments are closed.