ଗାନ୍ଧୀ ଜୟନ୍ତୀ: ମହାତ୍ମା ଗାନ୍ଧୀ ଆଶ୍ରମ ସଂଘ ପ୍ରତି ପ୍ରଶାସନର ସୁଦୃଷ୍ଟି ପଡିବ ତ !!! 

ସମ୍ବଲପୁର: ଶୁକ୍ରବାର ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୧ତମ ପୂଣ୍ୟ ଜନ୍ମତିଥି। ମହାତ୍ମାଙ୍କ ଜନ୍ମ ଦିବସ ଅବସରରେ ତାଙ୍କର ଅହିଂସା ନୀତି ଓ ଆଦର୍ଶର ପ୍ରଚାର ପ୍ରସାର ପାଇଁ ଅନେକ କାର୍ୟ୍ୟକ୍ରମ କରାଯାଇଥାଏ। କିନ୍ତୁ ବିଡମ୍ବନାର ବିଷୟ ଯେ ଗାନ୍ଧୀଜୀଙ୍କ ସ୍ମୃତି ସହିତ ଜଡିତ ଥିବା ଅନେକ ଅନୁଷ୍ଠାନ ଅବହେଳାର ଶିକାର ହୋଇ ଜରାଜିର୍ଣ୍ଣ ଅବସ୍ଥାରେ ରହିଥିବାର ଅନେକ ସମୟରେ ପରିଲକ୍ଷିତ ହେଉଛି। ଗାନ୍ଧୀଜୀଙ୍କ ସ୍ମୃତି ସହିତ ଜଡିତ ଏଭଳି ଏକ ଅନୁଷ୍ଠାନ ସମ୍ବଲପୁର ଠାରେ ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାର ଦେଖିବାକୁ ମିଳୁଛି। ସମ୍ବଲପୁରକୁ ଗାନ୍ଧୀଜୀ ସ୍ୱାଧିନତା ଆନ୍ଦୋଳନ ସମୟରେ ଆସିଥିବା ବେଳେ ଏଠାରେ ଅବସ୍ଥାନ ମଧ୍ୟ କରିଛନ୍ତି। ଗାନ୍ଧୀଜୀଙ୍କ ୨ ଥର ସମ୍ବଲପୁର ଆଗମନ ଦ୍ୱାରା ସ୍ୱାଧିନତାର ବର୍ଣ୍ଣି ପଶ୍ଚିମ ଓଡିଶାରେ ଆହୁରୀ ଜଳି ଉଠିଥିଲା। ଗାନ୍ଧୀଜୀଙ୍କ ଆଦର୍ଶ ଓ ନିତିରେ ଅନୁପ୍ରାଣିତ ହୋଇ ସମ୍ବଲପୁର ସହରର ବଡବଜାର ଠାରେ ମହାତ୍ମା ଗାନ୍ଧୀ ଆଶ୍ରମ ସଂଘ ନାମକ ଏକ ଅନୁଷ୍ଠାନ କରାଯାଇଥିଲା। ଏହି ଅନୁଷ୍ଠାନକୁ ଜଣାଶୁଣା ଗାନ୍ଧୀବାଦୀ ବିଚାରକ ସ୍ୱର୍ଗତ ଅର୍ଜୁନ ଦାଶ ନିର୍ମାଣ କରିଥିଲେ। ତେବେ ଲୋକଙ୍କ ମଧ୍ୟରେ ବିଶେଷ କରି ଯୁବ ସମାଜ ମଧ୍ୟରେ ଗାନ୍ଧୀଙ୍କ ବିଚାର ଧାରା ଜାଗ୍ରତ କରିବା ସହିତ ଗାନ୍ଧୀଜୀଙ୍କ ପ୍ରେରଣାରେ ଅନୁପ୍ରାଣିତ କରିବା ପରି ମହତ ଉଦ୍ଦେଶ୍ୟ ନେଇ ଏହା ସ୍ଥାପନ କରାଯାଇଥିଲା। ତେବେ ଏହି ଅନୁଷ୍ଠାନ ସରକାରୀ ଅବହେଳାର ଶିକାର ହୋଇ ଏବେ ଜରାଜୀର୍ଣ୍ଣ ହୋଇ ପଡି ରହିଛି। ଆଶ୍ରମ ସଂଘର କୋଠାର କାନ୍ଥ ରୁ କଂକ୍ରିଟ ଝଡୁ ଥିବା ବେଳେ ଅନବନା ଗଛରେ ଭର୍ତ୍ତି ହୋଇ ରହିଛି। ତେବେ ୧୯୬୦ ମସିହାରେ ଆରମ୍ଭ ହୋଇଥିବା ଏହି ମହାତ୍ମା ଗାନ୍ଧୀ ଆଶ୍ରମ ସଂଘକୁ ନିଜସ୍ୱ ପ୍ରଚେଷ୍ଟାରେ ବଞ୍ଚାଇ ରଖିବାକୁ ସଦସ୍ୟ ମାନେ ଏବେ ବି ସଂଘର୍ଷରତ। ଅନୁଷ୍ଠାନର ସମସ୍ତ ସଦସ୍ୟ ମହାତ୍ମା ଗାନ୍ଧୀଙ୍କ ଆଶ୍ରମ ସଂଘରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଗାନ୍ଧୀ ଙ୍କ ଅହିଂସା ତତ୍ୱକୁ ନେଇ ଆଲୋଚନା କରିବା ସହିତ ଗାନ୍ଧୀଙ୍କ ଆଦର୍ଶ ପ୍ରଚାର ପାଇଁ ଚେଷ୍ଟିତ।

ଏ ସର୍ମ୍ପକରେ ସଦସ୍ୟ ଜୟରାମ ବଣିଆଁ କହିଛନ୍ତି ଆମର ଅନୁଷ୍ଠାନ ୧୯୬୦ ମସିହାରୁ ଆରମ୍ଭ ହୋଇଥିବା ବେଳେ ଏହାକୁ ୧୯୭୦ ମସିହାରୁ ପଞ୍ଜିକୃତ ହୋଇ ରହିଛି। ଏହି ଅନୁଷ୍ଠାନରେ ଅନେକ ଗୁଡିଏ କାର୍ୟ୍ୟକ୍ରମ କରାଯାଇ ଗାନ୍ଧୀଜୀଙ୍କ ନିତି ଓ ଆଦର୍ଶର ପ୍ରଚାର ପ୍ରସାର କରାଯାଇଛି ଏବଂ ତାହା ଏବେ ମଧ୍ୟ ଚାଲିଛି। ତେବେ ସରକାରୀ ପ୍ରୋତ୍ସାହନର ଅଭାବ ଯୋଗୁଁ ଏହି ଅନୁଷ୍ଠାନ ଏବେ ଜରାଜିର୍ଣ୍ଣ ଅବସ୍ଥାରେ ରହିଛି। ଅଞ୍ଚଳବାସୀଙ୍କ ପ୍ରଚେଷ୍ଟାରେ ଅନୁଷ୍ଠାନ ବଞô୍ଚ ରହିଛି। ଶୁକ୍ରବାର ଦିନ କରୋନା କଟକଣା ମାନି ଗାନ୍ଧୀଜୀଙ୍କ ଜନ୍ମ ଜୟନ୍ତୀ ପାଳନ ହେବ।

ସେହିଭଳି ସଚେନତ ନାଗରିକ ଡ. ଶ୍ୟାମ ସୁନ୍ଦର ଧର କହିଛନ୍ତି ଯେ ସମ୍ବଲପୁରରେ ଗାନ୍ଧୀଜୀଙ୍କ ସହିତ ଜଡିତ ଅନେକ ସ୍ମୃତି ରହିଛି। କିନ୍ତୁ ସମସ୍ତ ଅନୁଷ୍ଠାନ ଗୁଡିକ ସରକାରୀ ଅବେହଳା ଶିକାର ହୋଇ ରହିଛି। କିନ୍ତୁ ସ୍ଥାନୀୟ ନାଗରିକଙ୍କ ପ୍ରଚେଷ୍ଟା ଦ୍ୱାରା ସେହି ଅନୁଷ୍ଠାନ ଗୁଡିକ ଏବେ ମଧ୍ୟ ସେମାନଙ୍କର ସତ୍ତା ହରାଇ ନାହାନ୍ତି ଏବଂ ତାହାର ଅନ୍ୟତମ ଉଦହାରଣ ହେଉଛି ମହାତ୍ମା ଗାନ୍ଧୀଜୀ ଆଶ୍ରମ ସଂଘ। ତେବେ ଏହି ଅନୁଷ୍ଠାନ ଯେଉଁ ଲକ୍ଷ୍ୟ ନେଇ ଆରମ୍ଭ କରାଯାଇ ଥିଲା ତାହା ସରକାରୀ ଉଦାସୀନତା ଯୋଗୁଁ ଏବେ ପୂର୍ଣ୍ଣ ଭାବରେ ସଫଳ ହୋଇ ପାରୁନାହିଁ। ସଦସ୍ୟ ମାନେ ଏବେ ପର୍ୟ୍ୟନ୍ତ ଗାନ୍ଧୀଜୀଙ୍କ ଆଦର୍ଶ ଓ ନୀତିକୁ ପ୍ରଚାର ପ୍ରସାର କରିବା ପାଇଁ ଉଦ୍ୟମ ଜାରି ରଖିଥିବା ପ୍ରଶଂସନୀୟ ଅଟେ ବୋଲି ଡ. ଧର କହିଛନ୍ତି।

ସବୁ ବର୍ଷ ଜାତିର ଜନକଙ୍କ ଜୟନ୍ତୀ ଅବସରରେ ଗୋଟିଏ ଦିନ ପାଇଁ ତାଙ୍କର ନିତି ଓ ଆଦର୍ଶ ଉପରେ ଅନେକ କଥା କହି ଭୁଲି ଯାଇଥାନ୍ତି। ତେବେ ଯୁବ ସମାଜ ମଧ୍ୟରେ ଗାନ୍ଧୀଜୀଙ୍କ ମହତ ଚିନ୍ତାର ପ୍ରଚାର ପାଇଁ କାର୍ୟ୍ୟରତ ମହାତ୍ମା ଗାନ୍ଧୀଜୀ ଆଶ୍ରମ ସଂଘର ଉନ୍ନତି କରଣ ପାଇଁ ସରକାରୀ ଓ ପ୍ରଶାସନିକ ସ୍ତରରେ ଉଦ୍ୟମର ଆବଶ୍ୟକତା ରହିଛି। ଏଣୁ ସରକାରଙ୍କ ବିନା ପ୍ରୋତ୍ସାହନରେ ଏହି ମହାନ ଅନୁଷ୍ଠାନକୁ ବଞ୍ଚାଇ ରଖିବା ଦିନକୁ ଦିନ କଷ୍ଟକର ହୋଇ ପଡିଥିବାରୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉ ବୋଲି ସଂଘର ସଦସ୍ୟ ଓ ଅଞ୍ଚଳବାସୀ ଦାବି କରୁଛନ୍ତି।

Comments are closed.