ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳିତ ; ମହାତ୍ମା ସେତୁକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜ୍ୟବାସୀ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଭିନ୍ନ ରାଜନୈତିକ ଦଳ ସମେତ ସାଧାରଣ ଜନତା ଏବଂ ସଂଗଠନ ପକ୍ଷରୁ ରାଷ୍ଟ୍ରପିତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି। ଏଥି ପାଇଁ ରାଜ୍ୟବ୍ୟାପୀ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଉଛି।

ବିଧାନସଭା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବାଚସ୍ପତି ପ୍ରଦୀପ କୁମାର ଅମାତ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ସମେତ  ବିଭିନ୍ନ ଦଳର ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲିଅନ୍ତାଠାରେ ଥିବା ଗାନ୍ଧୀ ପୀଠରୁ ଗାନ୍ଧୀ ଶାନ୍ତି ସଦଭାବନା ଜ୍ୟୋତି ଯାତ୍ରାର ଶୁଭାରମ୍ଭ କରିଛନ୍ତି । ‘ଗାନ୍ଧିଜୀ ଓ ଓଡ଼ିଶା’ ଶୀର୍ଷକ ଏକ ଫଟୋ ପ୍ରଦର୍ଶନୀକୁ ମଧ୍ୟ ସେ ଉଦଘାଟନ କରିଛନ୍ତି। କୁଶଭଦ୍ରା ନଦୀ ଉପରେ ୨୭ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ମହାତ୍ମା ସେତୁକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି।
ସେହିପରି ଆଜିଠାରୁ ସାରା ରାଜ୍ୟରେ ଓଡ଼ିଶାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଯାଉଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡିଥିବା ହିତାଧିକାରୀଙ୍କୁ ଏହି ଯୋଜନା ଅଧିନରେ ସରକାରଙ୍କ ପକ୍ଷରୁ  ୧ ଟଙ୍କାରେ ଚାଉଳ ଯୋଗାଇ ଦିଆଯିବ।


ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଆଜିଠାରୁ ପର୍ଯ୍ୟଟନସ୍ଥଳୀ ପୁରୀ ସମେତ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ମହାନଗର ନିଗମରେ ପ୍ଲାଷ୍ଟିକ୍‍ ଓ ଜରିକୁ ନିଷେଧ କରାଯାଇଛି। ନିର୍ଦିଷ୍ଟ ମୋଟେଇଠାରୁ କମ୍‍ ମାପର ଜରି ଗ୍ରାହକଙ୍କୁ ଦେବା, ବିକ୍ରି କରିବା କିମ୍ବା ଉତ୍ପାଦନ କରିବା ଉପରେ ସରକାର ନିଷେଧାଦେଶ ଜାରି କରିଛନ୍ତି। ଯଦି ଏହି ନିର୍ଦେଶନାମାକୁ କୌଣସିଠାରେ ଉଲ୍ଲଘଂନ କରାଯାଉଥିବାରୁ ଖବର ମିଳିବ ତେବେ ତତ୍‍କ୍ଷଣାତ୍‍ ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ରାଜ୍ୟ ସରକାରଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ୨ ବର୍ଷ ଧରି ସାରା ରାଜ୍ୟରେ ପାଳନ କରାଯିବାକୁ ସ୍ଥିର କରାଯାଇଛି।

Leave A Reply