ଚାଲନ୍ତୁ ଗାନ୍ଧୀଙ୍କୁ ଖୋଜିବା

କରୋନା ମହାମାରୀର ଉତ୍ପୀଡନରେ ସାରା ବିଶ୍ୱ ତ୍ରସ୍ତ। ଏ ରୋଗ ସାରା ମାନବ ସମାଜକୁ ଏକ ସମ୍ଭାବ୍ୟ ଅଘଟଣକୁ ନେଇ ଭୟଭୀତ କରି କେବଳ ରଖିନାହିଁ ବରଂ ତା’ର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଭିତ୍ତିଭୂମିକୁ ଦୋହଲାଇ ଦେଇଛି। ଆମ ଦେଶର ଅର୍ଥନୀତି ସହ ଜୀବନ ଜୀବିକା ସନ୍ଧିକ୍ଷଣରେ ପହଞ୍ଚିଥିବାବେଳେ ମଣିଷର ମାନବିକତା କରୋନାରେ ଭୀଷଣଭାବେ ଆକ୍ରାନ୍ତ, ଏହା ଅନସ୍ୱୀକାର୍ଯ୍ୟ। ଏମିତି ପରିସ୍ଥିତିରେ ମନକୁ ସ୍ୱତଃ ଚାଲିଆସନ୍ତି ମୋହନଦାସ କରମଚାନ୍ଦ ଗାନ୍ଧୀ।
ଗାନ୍ଧିଜୀ ଜଣେ କେବଳ ମଣିଷ ନଥିଲେ, ସେ ଥିଲେ ଗୋଟିଏ ସ୍ୱୟଂ ସଂପୂର୍ଣ୍ଣ ଅନୁଷ୍ଠାନ। ବହୁ ଅସାଧାରଣ ଗୁଣ, ଅସାଧାରଣ ଶକ୍ତିରେ ଗୁନ୍ଥା ତାଙ୍କ ବ୍ୟକ୍ତିତ୍ୱ। କ୍ଷୀଣ ଖର୍ବକାୟ ଶରୀର, ଆଣ୍ଠୁ ଲୁଚୁ ନଥିବା ଧୋତି, ପୁଙ୍ଗୁଳା ଦେହ, ହାତରେ ବାଡ଼ିଧରି ଯିଏ ଭାରତ ଭଳି ବିଭିନ୍ନତାର ଦେଶକୁ ଗୋଟିଏ ସୂତାରେ ବାନ୍ଧି ପାରିଥିଲେ, ବେକଳ ସ୍ୱାଧୀନତା ସଂଗ୍ରାମ ପାଇଁ ନୁହେଁ ବରଂ ସାଂସ୍କୃତିକ, ସାମାଜିକ ଉତ୍‌ଥାନ ପାଇଁ ସେ ହିଁ ଗାନ୍ଧିଜୀ। ସେବା, ତ୍ୟାଗ, ପରୋପକାର, ଅହିଂସା, ଏସବୁ ତାଙ୍କ ଜୀବନର ମନ୍ତ୍ର। ସୁତରାଂ, ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ମନକୁ ସ୍ୱତଃ ପ୍ରଶ୍ନ ଆସେ, ତେବେ “ଗାନ୍ଧିଆନ୍‌ ଫିଲୋସୋଫି’ ବା ଗାନ୍ଧୀ ଚିନ୍ତାଧାରା କ’ଣ ଲୁପ୍ତ ପ୍ରାୟ? ଏହା କ’ଣ ତା’ର ଔଲ୍ୟ ହଜାଇ ବସିଛି ଏ ମଧ୍ୟରେ!
ମୋହନଦାସ କରମଚାନ୍ଦ ଗାନ୍ଧୀ ଖ୍ୟାତ ହୋଇନଥିଲେ ମହାତ୍ମା ଗାନ୍ଧୀ ଭାବେ ଯେତେବେଳେ ସାରା ବିଶ୍ୱକୁ କବଳିତ କରିଥିଲା କରୋନା ପରି ଆଉ ଏକ ମହାମାରୀ, ସ୍ପାନିଶ୍‌ ଫ୍ଲୁ। ଗୋଟିଏ ପାର୍ଶ୍ବରେ ପ୍ରଥମ ବିଶ୍ୱଯୁଦ୍ଧ (୧୯୧୪-୧୮)ର ଘନଘଟା, ଅନ୍ୟ ପଟେ ସ୍ପାନିଶ୍‌ ଫ୍ଲୁ ର ତାଣ୍ଡବ। ଭାରତୀୟ ହିନ୍ଦୀ ସାହିତ୍ୟର ଯୁଗସ୍ରଷ୍ଟା କବି ‘ନିରାଲା’ ଏ ମହାମାରୀ ସମୟକୁ ବର୍ଣ୍ଣନା କରିବାକୁ ଯାଇ ଗଙ୍ଗାନଦୀ କୂଳରେ ହୁଏତ ଆଉ ଗଛ ରହିବନି ବୋଲି ତାଙ୍କ କବିତାର ବର୍ଣ୍ଣନା କରିଛନ୍ତି। ତଥ୍ୟ ଅନୁସାରେ ବଙ୍ଗଳା ଦୁର୍ଭିକ୍ଷ (୧୯୪୩)ରେ ପ୍ରାୟ ତିରିଶ ଲକ୍ଷ ଲୋକ ପ୍ରାଣ ହରାଇଥିବାବେଳେ ସ୍ପାନିଶ୍‌ ଫ୍ଲୁ ଦେଢ଼ କୋଟିରୁ ଅଧିକ ଭାରତୀୟଙ୍କ ଜୀବନ ନେଇଥିଲା। ଏପରି ପରିସ୍ଥିତିରେ ବିଦେଶୀ ଫେରନ୍ତା ମୋହନଦାସ ଗାନ୍ଧୀ ଆରମ୍ଭ କରିଥିଲେ। ସମାଜର ସବୁଠାରୁ ନିଷ୍ପେଷିତ ଶ୍ରେଣୀ କୃଷକମାନଙ୍କୁ ନେଇ ଗୁଜୁରାତରେ ….. ଆନ୍ଦୋଳନ। ଏଥିରେ ସେନାପତି କରିଥିଲେ ଯୁବ ନେତୃତ୍ୱ ସର୍ଦାର ବଲ୍ଲଭଭାଇ ପଟେଲଙ୍କୁ। ଗୋଟିଏ ପଟେ ମାଡ଼ି ଚାଲିଥିଲା ରକ୍ତବୀର୍ଯ୍ୟ ଦାନବ ପରି ସ୍ପାନିଶ୍‌ ଫ୍ଲୁ। ଅନ୍ୟପଟେ ଗାନ୍ଧୀଙ୍କର ସାମାଜିକ ଆନ୍ଦୋଳନ, ଏକ ବୃହତ୍‌ ସ୍ୱାଧୀନତା ଆନ୍ଦୋଳନର ଅଂଶଭାବରେ। ୧୯୧୮ ମସିହା ମଧ୍ୟଭାଗରୁ ଯେତେବେଳେ ସ୍ପାନିଶ୍‌ ଫ୍ଲୁରେ ହଜାରହଜାର କୋଡ଼ିଏରୁ ତିରିଶ ବର୍ଷିଆ ଯୁବକଯୁବତୀ ଟଳି ପଡ଼ୁଥିଲେ ନିଜେ ରୋଗାକ୍ରାନ୍ତ ମୋହନ ଦାସ ସ୍ପାନିଶ୍‌ ଫ୍ଲୁ ଆଗରେ ହାର ନମାନି ନିଜ ସାମାଜିକ ଦାୟିତ୍ୱକୁ ସାଧାରଣ ଭାରତୀୟଙ୍କୁ ଚେତେଇ ଦେବାକୁ ଭୁଲି ନଥିଲେ। ଦକ୍ଷିଣ ଆଫ୍ରିକାରେ ୧୯୦୫ ମସିହାରେ ମାରାତ୍ମକ ପ୍ଲେଗ୍‌ ମହାମାରୀ ବ୍ୟାପିଥିବାବେଳେ କଳାଲୋକମାନଙ୍କୁ ନିଜର ଦାୟିତ୍ୱ ବିଷୟରେ ସଚେତନ କରିବା ସହ ଗୋରା ଶାସକଙ୍କ ଭେଦଭାବ ନୀତି ଉପରେ ସ୍ୱର ଉତ୍ତୋଳନ କରିଥିଲେ। ସାଂପ୍ରତିକ ପରିସ୍ଥିତିରେ ଭାରତରେ କରୋନା ହୁହୁ ହୋଇ ମାଡ଼ି ଚାଲିଥିବାବେଳେ ଜଣେ ସାଧାରଣବ୍ୟକ୍ତି ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ହୋଇ ସାଧାରଣ ଲୋକଙ୍କ ସାଥୀରେ ଥିବାର ମନେ ହେଉନାହିଁ। ଏହା ଆମେ ସମସ୍ତେ ଅନୁଭବ କରୁଛନ୍ତି। ଅତଏବ ଏହି ପ୍ରସଙ୍ଗ ଏବେ ଭାରତୀୟ ବୁଦ୍ଧିଜୀବୀ ତଥା ଚିନ୍ତାଶୀଳ ବ୍ୟକ୍ତିଙ୍କୁ ‘ଗାନ୍ଧିଆନ୍‌ ପ୍ରିନିସପିଲ’ ଉପରେ ଭାବିବାକୁ ବାଧ୍ୟ କରିଛି।
ଆମ ଭାରତୀୟ ପରମ୍ପରା, ବୈଦିକ ପରମ୍ପରା ପୃଥିବୀରେ ଅଦ୍ୱିତୀୟ। ଏହା ସ୍ୱଚ୍ଛତା, ସରଳତା, ସ୍ୱଦେଶୀ ଓ ସାର୍ବଜନୀନଭାବ ଉପରେ ପର୍ଯ୍ୟବସିତ ଥିଲା। ଏବେ ତାହା ପାଶ୍ଚାତ୍ୟ ସଂସ୍କୃତିର ଅବହାୱାରେ ପ୍ରଭାବିତ ହୋଇ ପୁଞ୍ଜିବାଦୀ, ସ୍ୱାର୍ଥାନ୍ୱେଷୀ ଆଡ଼କୁ ଢଳି ଯାଇଛି। ଆଧୁନିକତାର ଆଳରେ ଭାରତୀୟମାନେ ଅପସଂସ୍କୃତି ରୋଗରେ ଏତେ ମାତ୍ରାରେ ପୀଡ଼ିତ ଯେ ତାହା କରୋନାକୁ ବଳିଯାଇଛି। ଏହାକୁ ଲକ୍ଷ୍ୟକରି ଗାନ୍ଧିଜୀ ୧୯୪୫ ମସିହା ଅକ୍ଟୋବର ୫ତାରିଖରେ ନେହେରୁଙ୍କୁ ପତ୍ର ଲେଖି ଅବଗତ କରିଥିଲେ, ‘ଆମ ଯୁବ ବର୍ଗ ବର୍ତ୍ତମାନ ଅପସଂସ୍କୃତିର ଚକ୍ରବ୍ୟୂହକୁ ଠେଲି ହୋଇଯାଉଛନ୍ତି।’ଦୀର୍ଘବର୍ଷ ଧରି ଅବାଟିଆ ଚାଲିଲାପରେ ଏବେ ସ୍ୱଚ୍ଛ ଭାରତ, ଆତ୍ମନିର୍ଭର ଭାରତ, ସ୍ୱଦେଶୀ ଭାରତକୁ ଆମ ଯୁବବର୍ଗ କିପରି ଗ୍ରହଣ କରିବେ, ଏହା ଚିନ୍ତାର ବିଷୟ।
ଧୋବ ଫରଫର ଇସ୍ତ୍ରି ଭାଙ୍ଗିନଥିବା, ସାଲୁଆର କମିଜ୍‌, ବାତାନୁକୂଳିତ ଯାନ, ଆମିଷ ଖାଦ୍ୟ ଆଜିର ସମାଜସେବୀଙ୍କର ବୈଶିଷ୍ଟ୍ୟ। ଗାନ୍ଧୀ ଦର୍ଶନରେ ଅନୁପ୍ରାଣିତ ଯୁବକମାନେ ଏଠି କାହାନ୍ତି? ତାଙ୍କର ବୈରାଗ୍ୟ ଚିନ୍ତାଧାରା, ପ୍ରାର୍ଥନା, ଉପବାସ, ଧ୍ୟାନ, ଯୋଗ, ସାତ୍ତ୍ୱିକ ଗୁଣଧାରୀ ସମାଜସେବୀ ଆମ ସମାଜରେ ଏବେ କେତେ ଜଣ?
ବିଭିନ୍ନତାର ଦେଶ ଭାରତବର୍ଷକୁ ଗୋଟିଏ ସୂତ୍ରରେ ନିଜ ସୂତାରେ ବାନ୍ଧି ରଖିଥିବାରୁ ସୁଭାଷ ବୋଷ ତାଙ୍କୁ ଡାକିଥିଲେ ବାପୁଜୀ। ନିଃସ୍ୱାର୍ଥପର ଭାବେ ଦୀନ ଦରିଦ୍ରର ସେବାକୁ ପ୍ରାଧାନ୍ୟ ଦେଇ ଅହିଂସା ଦୀପରେ ସାରା ବିଶ୍ୱକୁ ଆଲୋକିତ କରିଥିବା ଯୁଗପୁରୁଷ ହେଲେ ଗାନ୍ଧିଜୀ। ତାଙ୍କ ଆହ୍ୱାନରେ ଉଦ୍‌ବୁଦ୍ଧ ହୋଇ ତାଙ୍କ ଅନୁଗାମୀ ଭାବେ ଆମ ଓଡ଼ିଶାରେ ତାଙ୍କ ନୀତିନିଷ୍ଠାକୁ ଗ୍ରହଣ କରିଥିଲେ ଉତ୍କଳମଣି ଗୋପବନ୍ଧୁ, ନବକୃଷ୍ଣ ଚୌଧୁରୀ, ପାର୍ବତୀ ଗିରି, ବାବୁଜୀଙ୍କ ପରି ମହାମନୀଷୀ। ଏବେ କାହିଁ ସେହି ନେତୃତ୍ୱ, କୁଆଡ଼େ ଗଲେ ସେପରି ଅନୁଗାମୀ। ସେପରି ନିଃସ୍ୱାର୍ଥପର ସେବକ, ସମାଜ ସୁଧାରକ। ଆମ ସମାଜ ଯେତେବେଳେ କରୋନାକୁ ସମ୍ମୁଖୀନ ହେଉଛି, ଗାନ୍ଧିଜୀଙ୍କ ପରି କରୋନା ଯୋଦ୍ଧାର ଆବଶ୍ୟକତା ରହିଛି ଯିଏ ଦେଶର ହଜାରହଜାର କରୋନା ରୋଗୀଙ୍କ ମନରେ ଆତ୍ମବିଶ୍ୱାସ ଭରିଦେବ। ଯୁଦ୍ଧ କରିବାକୁ ମାନସିକ ଶକ୍ତି ଯୋଗାଇବ। ଭାରତ ଏବେ ଖୋଜୁଛି ଗାନ୍ଧିଜୀଙ୍କୁ ଯିଏ ନିଃସ୍ୱାର୍ଥପର ସମାଜସେବା ତଥା ଭାରତୀୟ ସଂସ୍କୃତିକୁ ପୁଣି ନୂଆ ରାହା ଦେଖାଇବ। ପୁଣି ଏବେ ସାମାଜିକ ବିପ୍ଳବର ମଙ୍ଗ ଧରିବ ଓ ସାରା ମାନବ ସମାଜକୁ ପ୍ରଗତିର ରାସ୍ତା ଦେଖାଇବ।

Comments are closed.