ପାଣି ଜୟନ୍ତୀରେ ମାହାଙ୍ଗା ସାହିତ୍ୟ ସଂସ୍କୃତି ପରିଷଦର ଆଲୋଚନା ଚକ୍ର

ମାହାଙ୍ଗା: ଗଣକବି ବୈଷ୍ଣବ ପାଣିଙ୍କ ୧୩୭ତମ ଜନ୍ମଜୟନ୍ତୀ ଆଜି ତାଙ୍କ ଜନ୍ମପୀଠ ମାହାଙ୍ଗା କୋଠପଦା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ଏ ନେଇ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମାହାଙ୍ଗା ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ତାଙ୍କ ଜନ୍ମପୀଠ କୋଠପଦା ଗ୍ରାମରେ ଗଣକବି ବୈଷ୍ଣବ ପାଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଡକ୍ଟର ଭୁବନାନନ୍ଦ ସାହୁ, ସମ୍ପାଦକ ନାଟ୍ୟକାର ଭାବଗ୍ରାହୀ ଦାଶ, ସହ-ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ, ହୃଷିକେଶ ଲାଲ ଏବଂ ହୃଷିକେଶ ବେହେରା ପ୍ରମୁଖ ଗଣକବିଙ୍କ ଗ୍ରାମକୁ ଯାଇ ସେଠାରେ ତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରେ ଏକ ଗଣକବିଙ୍କ ଗୀତିନାଟ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା।

ଗଣକବି ବୈଷ୍ଣବ ପାଣି କୁମାରପୂର୍ଣ୍ଣିମା ତିଥିରେ ୧୮୮୨ ମସିହାରେ ଜନ୍ମଗ୍ରହଣ କରିଥିଲେ। ଦାରିଦ୍ର୍ୟକୁ ଭ୍ରୁକ୍ଷେପ ନକରି ଗଣକବି ଶତାଧିକ ଗୀତାଭିନୟ, ଯାତ୍ରା, ଅସଂଖ୍ୟ ଭଜନ ଓ ଜଣାଣ ରଚନା କରିଥିଲେ। ତାଙ୍କ ରଚିତ ଯାତ୍ରାରେ ସାଂପ୍ରତିକ ସମାଜର ପ୍ରତିଫଳନ ସହ ସମାଜ ସଂସ୍କାର ନେଇ ବାର୍ତ୍ତା ରହିଥିଲା। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଗଣକବି ଉତ୍ସବ ପାଳନ କରାଯାଇଥିବା ବେଳେ ନାଟ୍ୟ ନିର୍ଦ୍ଦେଶକ ବାସୁଦେବ ଜେନାଙ୍କୁ ଗଣକବି ସମ୍ମାନ ପ୍ରଦାନ କରାଯାଇଛି।

Comments are closed.