ବର୍ଷେ ପରେ ହତ୍ୟାକାରୀ ସ୍ୱାମୀ ଓ ସହଯୋଗୀ ଗିରଫ

ଗତବର୍ଷ ଋଷିକୂଲ୍ୟା ନଦୀ କୂଳରୁ ଯୁବତୀଙ୍କ ମୃତ୍ୟୁଦେହ ଉଦ୍ଧାର ଘଟଣା

ଗଞ୍ଜାମ : ଗଞ୍ଜାମ ସହରର ଗ୍ରାସୀମ କମ୍ପାନୀ ନିକଟ ଋଷିକୂଲ୍ୟା ନଦୀ ନିକଟରୁ ଗତ ବର୍ଷ ଅଗଷ୍ଟ ୨୮ ତାରିଖରେ ଉଦ୍ଧାର ହୋଇ ଥିବା ଜଣେ  ଯୁବତୀଙ୍କ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରିଛି ଗଂଜାମ ଥାନା ପୁଲିସ । ଏହା ଏକ ଯୋଜନାବଦ୍ଧ ହତ୍ୟା ଘଟଣା ବୋଲି ଜଣାପଡିଛି। ଯୁବତୀର ସ୍ବାମୀ ତାଙ୍କୁ ହତ୍ୟା  କରିଥିବା ବେଳେ, ଅନ୍ୟ ଜଣେ ସହଯୋଗୀ ସେଥିରେ ସାମିଲ ଥିବା ନେଇ ପୁଲିସ ସୂଚନା ଦେଇଛି। ଗଞ୍ଜାମ ଥାନାରେ ରବିବାର ସାମ୍ବାଦିକ ସମିଳନୀରେ ଛତ୍ରପୁର ଏସଡିପିଓ ଗୌତମ କିଷାନ, ଗଂଜାମ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ସେକେଣ୍ଡ ଅଫିସର ଅଜିତ କୁମାର ପରିଡା ପ୍ରମୁଖ ଉପସ୍ଥିତ ରହି ହତ୍ୟା କାଣ୍ଡ ସଂପର୍କରେ ସୂଚନା ଦେଇଥିଲେ।

ସୂଚନା ଯୋଗ୍ୟ,ଗଜପତି ଜିଲ୍ଲାର ରାମଗିରି ଥାନାଅଞ୍ଚଳର ମମତା ବେହେରା ବ୍ରହ୍ମପୁରରେ ରହି ଚାକିରୀ କରୁଥିଲେ। ସେହି ସମୟରେ ଗଞ୍ଜାମ ଜିଲ୍ଲାର ସୋରଡା ବାସିନ୍ଦା ଜଣେ ଯୁବକ ଧରଣୀଧର ବେହେରା ବ୍ରହ୍ମପୁରରେ କାମ କରିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ସ୍ଥାପନ ହୋଇଥିଲା। ପରବର୍ତ୍ତୀ ସମୟରେ ଦୁହେଁ ବାହା ହୋଇଥିଲେ। ବିବାହ ପରେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା। କୌଣସି କାରଣରୁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି ସୃଷ୍ଟି ହୋଇଥିଲା। ଯାହା ଅଧିକ ତିକ୍ତତା ଆଡ଼କୁ ଗତି କରିଥିଲା।  ଗତ ବର୍ଷ ଅଗଷ୍ଟ ୨୮ ତାରିଖରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିବା ବେଳେ ସ୍ବାମୀ ଧରଣୀ ଉତ୍ତକ୍ତ ହୋଇ ସ୍ତ୍ରୀକୁ ହତ୍ୟା କରିଥିଲେ। ପରେ ସେ ଏକ କାର ଆଣି ମୃତ ହେବକୁ ବସ୍ତାରେ ନେଇ ପଥର ବାନ୍ଧି ଗଞ୍ଜାମ ସହର ସ୍ଥିତ ଋଷିକୂଲ୍ୟା ନଦୀରେ ପକାଇ ଦେଇଥିଲେ । ଏହି କାର୍ଯ୍ୟରେ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଅଞ୍ଚଳର ପ୍ରଭାତ ପ୍ରଧାନ ତାଙ୍କୁ ସହଯୋଗ କରିଥିବାରୁ ଦୁଇ ଜଣଙ୍କୁ ଗିରିଫ କରି କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ କହିଛନ୍ତି । ଏହି ହତ୍ୟା କାଣ୍ଡ ପାରିବାରିକ କଳହରୁ ହୋଇଛି ବୋଲି ପୁଲିସ ସୂଚନା ଦେଇଥିଲେ। ଝିଅର ପରିବାର ଲୋକେ ବ୍ରହ୍ମପୁର ଥାନାରେ ନିଖୋଜ ନେଇ ଏତଲା ଦେବା ପରେ ପୁଲିସକୁ ତଦନ୍ତରେ ସହଜ ହୋଇଥିଲା।

Comments are closed.