ରାୟୁଡୁଙ୍କୁ ନେଇ ଗମ୍ଭୀର-ପ୍ରସାଦ ମୁହାଁମୁହିଁ

ନୂଆଦିଲ୍ଲୀ: ୨୦୧୯ ବିଶ୍ବକପ ଦଳରୁ ଅମ୍ବାତି ରାୟୁଡୁ ବାଦ୍‌ ପଡ଼ିବା ପ୍ରସଙ୍ଗକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ଓ ପୂର୍ବତନ ମନୋନୟନ କମିଟି ମୁଖ୍ୟ ଏମ.ଏସ୍.କେ ପ୍ରସାଦ ମୁହାଁମୁହିଁ ହୋଇଛନ୍ତି। ଉଭୟ ଏକ କାର୍ୟ୍ୟକ୍ରମରେ ଯୋଗଦେବା ଅବସରରେ ମୁହାଁମୁହିଁ ହୋଇଛନ୍ତି। ପ୍ରସାଦଙ୍କ ନେତୃତ୍ବରେ ମୁଖ୍ୟ ମନୋନୟନ କମିଟି ମଧ୍ୟକ୍ରମରେ ଅମ୍ବାତି ରାୟୁଡୁଙ୍କ ବଦଳରେ ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ମନୋନୟନ କରିଥିଲେ। ଶଙ୍କର ୩-ଡି କ୍ରିକେଟର ହୋଇଥିବାରୁ ତାଙ୍କୁ ବିଶ୍ବକପ ଦଳରେ ସ୍ଥାନ ଦିଆଯାଇଥିଲା ବୋଲି ସେତବେଳେ ପ୍ରସାଦ ମତ ଦେଇଥିଲେ। ଦଳରୁ ଯେତେବେଳେ କୌଣସି ଖେଳାଳି ବାଦ୍‌ ପଡ଼ୁଛନ୍ତି ସେମାନଙ୍କ ସହିତ ଉତ୍ତମ ଭାବେ ଯୋଗାଯୋଗ ରଖାଯାଉନାହିଁ ବୋଲି ଗମ୍ଭୀର ଅଭିଯୋଗ କରିଛନ୍ତି।

ଗମ୍ଭୀର ନିଜ ସହ କରୁଣ ନାୟାର, ଯୁବରାଜ ସିଂହ ଓ ସୁରେଶ ରାଇନାଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି। ୨୦୧୬ ଇଂଲଣ୍ଡ ବିପକ୍ଷ ଟେଷ୍ଟରୁ ମୋତେ ଯେତେବେଳେ ଦଳରୁ ବାଦ୍‌ ଦିଆଗଲା ସେତେବେଳେ ମୋ ସହିତ ଯୋଗାଯୋଗ କରାଯାଇନଥିଲା। କରୁଣ ନାୟାର ମଧ୍ୟ ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା କହିଥିଲେ। ଯୁବରାଜ ସିଂହ ଓ ସୁରେଶ ରାଇନାଙ୍କ କ୍ଷେତ୍ରରେ ସେଭଳି ମଧ୍ୟ ହୋଇଥିଲା ବୋଲି ଗମ୍ଭୀର କହିଛନ୍ତି। ରାୟୁଡୁଙ୍କୁ ବିଶ୍ବକପ ପୂର୍ବରୁ ମଧ୍ୟକ୍ରମରେ ଫିଟ୍‌ କରିବା ନେଇ ୪ ନମ୍ବର ସ୍ଥାନରେ ଖେଳାଗଲା। କିନ୍ତୁ ବିଶ୍ବକପ ବେଳକୁ ମନୋନୟନକର୍ତ୍ତାଙ୍କୁ ୩-ଡି ଖେଳାଳିଙ୍କ ଆବଶ୍ୟକତା ପଡ଼ିଲା।

ମନୋନୟନକର୍ତ୍ତାଙ୍କ ଏଭଳି ଉତ୍ତର ଯଥାର୍ଥ ନୁହେଁ ବୋଲି ଗମ୍ଭୀର କହିଛନ୍ତି। ଟପ୍‌ ଅର୍ଡରରେ ଶିଖର ଧାୱନ, ରୋହିତ ଶର୍ମା, ବିରାଟ କୋହଲି ସମସ୍ତେ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ। ବୋଲିଂ କରିବାର କାହାର ଦକ୍ଷତା ନାହିଁ। ଇଂଲଣ୍ଡ କଣ୍ଡିସନରେ ବ୍ୟାଟିଂ ସହ ବୋଲିଂ କରିବାର ଦକ୍ଷତା ରଖିଥିବାରୁ ବିଜୟ ଶଙ୍କରଙ୍କୁ ମନୋନୟନ କରାଯାଇଥିଲା। ଏହାଛଡ଼ା ଘରୋଇ କ୍ରିକେଟରେ ବିଜୟ ମଧ୍ୟ ଭଲ ପ୍ରଦର୍ଶନ କରିଥିବାରୁ ବିଶ୍ବକପ ଦଳରେ ନିଆଯାଇଥିଲା ବୋଲି ପ୍ରସାଦ କହିଛନ୍ତି।

Comments are closed.