କ୍ରିକେଟରୁ ସନ୍ନ୍ୟାସ ନେଲେ ଗମ୍ଭୀର

0

ନୂଆଦିଲ୍ଲୀ : ବାମହାତୀ ଓପନିଂ ବ୍ୟାଟସମ୍ୟାନ ଗୌତମ ଗମ୍ଭୀର ମଙ୍ଗଳବାର କ୍ରିକେଟ୍‍ର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏହା ତାଙ୍କ କ୍ରିକେଟ କ୍ୟାରିୟରର ସବୁଠାରୁ ଦୁଃଖଦାୟକ ନିଷ୍ପତ୍ତି ହୋଇଥିଲେ ସୁଦ୍ଧା ସାଂପ୍ରତିକ ସ୍ଥିତିରେ ଏହାର ବିକଳ୍ପ ନାହିଁ ବୋଲି ଗମ୍ଭୀର ନିଜର ଟ୍ୱିଟର ଓ ଫେସବୁକ୍‍ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।
୩୭ ବର୍ଷ ବୟସ୍କ ଗମ୍ଭୀର ୨୦୦୩ ଏପ୍ରିଲରେ ବାଂଲାଦେଶ ବିପକ୍ଷରେ ଦିନିକିଆ ମ୍ୟାଚ ଖେଳି ନିଜର ଆନ୍ତର୍ଜାତିକ କ୍ୟାରିୟର ଆରମ୍ଭ କରିଥିଲେ। ବିଗତ ୧୫ ବର୍ଷ ମଧ୍ୟରେ ସେ ୫୮ଟି ଟେଷ୍ଟ ଖେଳି ୯ଟି ଶତକ ସହ ୪୧୫୪ ରନ ସ୍କୋର କରିଥିବାବେଳେ ୧୪୭ଟି ଦିନିକିଆରୁ ୩୯.୬୮ ହାରରେ ୫୨୩୮ ରନ ସ୍କୋର କରିଛନ୍ତି। ଏଥିମଧ୍ୟରେ ୧୧ଟି ଶତକ ଓ ୩୪ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ଏହାବ୍ୟତୀତ ୩୭ଟି ଟ୍ୱେଣ୍ଟି୨୦ରୁ ଗମ୍ଭୀର ୨୭.୪୧ ହାରରେ ୯୩୨ ରନ କରିଛନ୍ତି। ଆଇପିଏଲର ପ୍ରଥମ ତିନିଟି ସିଜିନ ସେ ଦିଲ୍ଲୀ ଡେୟାରଡେଭିଲ୍‍ସକୁ ପ୍ରତିନିଧିତ୍ୱ କରିଥିବାବେଳେ ୨୦୧୧ରେ କଲକାତା ନାଇଟ ରାଇଡର୍ସ ୨.୪ ନିୟୁତ ଡଲାର (ପ୍ରାୟ ୧୪ କୋଟି ଟଙ୍କା)ରେ ତାଙ୍କୁ କିଣିଥିଲା। ଗମ୍ଭୀର କଲକାତା ନାଇଟ୍‍ ରାଇଡର୍ସର ନେତୃତ୍ୱ ନେଇ ୨୦୧୨ ଓ ୨୦୧୪ରେ ଦଳକୁ ଆଇପିଏଲ ଚମ୍ପିଆନ କରାଇଥିଲେ। ଚଳିତବର୍ଷ ସେ ପୁଣି ଦିଲ୍ଲୀ ଡେୟାରଡେଭିଲ୍‍ସକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ତେବେ ଖରାପ ପ୍ରଦର୍ଶନ ଯୋଗୁଁ ଟୁର୍ଣ୍ଣାମେଣ୍ଟ ଅଧାରୁ ସେ ଅଧିନାୟକ ପଦରୁ ଓହରିଯାଇଥିଲେ। ୨୦୦୮ରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିବାବେଳେ ୨୦୦୯ରେ ତାଙ୍କୁ ଆଇସିସିର ଶ୍ରେଷ୍ଠ ଟେଷ୍ଟ ଖେଳାଳି ସମ୍ମାନ ମିଳିଥିଲା।

Leave A Reply