ଗଲୱାନ ଘାଟି କାହାର, କ’ଣ କହୁଛି ଇତିହାସ ?

ଲେହ: ଗଲୱାନ ଘାଟିକୁ ନେଇ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଚୀନ ଏହି ଘାଟିକୁ ସମ୍ପୂର୍ଣ୍ଣ ତା’ର ବୋଲି ଦାବି କରୁଛି, ଯାହା ଅମୂଳକ। କାରଣ ଗଲୱାନ ଘାଟିର ଇତିହାସ କହୁଛି, ଏହା ଭାରତର। ଗୁଲାମ ରସୁଲ ଗଲୱାନ ନାମକ ଜଣେ ଭାରତୀୟ ଏହାକୁ ଆବିଷ୍କାର କରିଥିଲେ ଏବଂ ଇଂରେଜମାନେ ଏହାକୁ ସେହି ଭାରତୀୟଙ୍କ ନାମରେ ନାମିତ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ଗଲୱାନ ଉପତ୍ୟକା ନାମରେ ପରିଚିତ ହୋଇଥିଲା। ଗତ ୨୦୦ ବର୍ଷ ଧରି ଏହି ଘାଟି ଲଦାଖର ଅଂଶ ହୋଇ ରହିଛି। ଚୀନର ଦାବି ସମ୍ପୂର୍ଣ୍ଣ ମିଥ୍ୟା। ଚୀନ ସେଠାରେ ଦାଦାଗିରି କରୁଛି। ଗଲୱାନରେ ଚୀନର କୌଣସି ଅଧିକାର ନାହିଁ ବୋଲି ଘାଟିକୁ ଆବିଷ୍କାର କରିଥିବା ଗୁଲାମ ରସୁଲ ଗଲୱାନଙ୍କ ନାତି ମହମ୍ମଦ ଅମୀନ ଗଲୱାନ କହିଛନ୍ତି।

Image Courtesy: Amar ujala

ମହମ୍ମଦ ଅମୀନ ଏବେ ବର୍ତ୍ତମାନ ଲେହ ଜିଲାରେ ରହୁଛନ୍ତି। ସେ ଚୀନର ସମସ୍ତ ଦାବିକୁ ଖଣ୍ଡନ କରିଛନ୍ତି। ୧୯୬୨ରେ ବି ଚୀନ ଏହି ଘାଟି ଉପରେ କବ୍‌ଜା କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଭାରତୀୟ ସୈନ୍ୟ ଚୀନ ସୈନ୍ୟଙ୍କୁ ସେଠାରୁ ହଟାଇଥିଲେ। ସେ କହିଛନ୍ତି, ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ। ଆଲୋଚନା ମାଧ୍ୟମରେ ଦୁଇ ଦେଶ ଏହାର ସମାଧାନ କରିବା ଦରକାର। ମହମ୍ମଦ ଅମୀନ କୁହନ୍ତି, ତାଙ୍କ ପୂର୍ବଜ କାଶ୍ମୀରରେ ରହୁଥିଲେ। ଜାମ୍ମୁ-କାଶ୍ମୀରର ମହାରାଜା ତାଙ୍କ ପୂର୍ବଜମାନଙ୍କୁ ବାହାର କରିଦେଇଥିଲେ। ସେମାନେ ବାଲୁଚିସ୍ତାନ ଚାଲିଯାଇଥିଲେ। ପରେ ୧୮୭୮ରେ ତାଙ୍କ ପରିବାର ଲଦାଖ ଚାଲିଆସିଥିଲେ। ତାଙ୍କ ଚାଚା ଗୁଲାମ ରସୁଲ ଗଲୱାନ ୧୨ ବର୍ଷ ବୟସରେ ଇଂରେଜମାନଙ୍କ ଗାଇଡ୍‌ ସାଜି ସେମାନଙ୍କ ସହିତ ଟ୍ରେକିଂରେ ଯାଉଥିଲେ। ୧୮୯୦ ଦଶକରେ ଗୁଲାମ ଇଂରେଜମାନଙ୍କ ସହିତ ଟ୍ରେକିଂରେ ଯାଇଥିଲେ। ପାଗ ଖରାପ ଥିବାରୁ ସେମାନେ ଫଶିଯାଇଥିଲେ। ଗୁଲାମ ଏକ ନୂଆ ରୁଟ୍‌ ଖୋଜିବା ସହିତ ସମସ୍ତଙ୍କୁ ସେଠାରୁ ସୁରକ୍ଷିତ ବାହାର କରିଥିଲେ। ଉକ୍ତ ନୂଆ ରୁଟ୍‌ରେ ନଦୀନୁମା ନାଳର ପତ୍ତା ଲାଗିଥିଲେ, ଯାହାକୁ ଇଂରେଜମାନେ ତାଙ୍କ ଚାଚାଙ୍କ ନାମରେ ନାମିତ କରିଥିଲେ। ପରେ ଉକ୍ତ ନାଳ ଗଲୱାନ ନାଳ ନାମରେ ପରିଚିତ ହେଲା ଏବଂ ସମ୍ପୂର୍ଣ୍ଣ ଘାଟିକୁ ଗଲୱାନ ଘାଟି କୁହାଗଲା।

Image Courtesy: Timesnow News

ଲଦାଖ ସାଂସଦ ଜାମ୍‌ୟାଙ୍ଗ ସେରିଙ୍ଗ ନାମଗ୍ୟାଲ କୁହନ୍ତି, ଏଲଓସି ଅପରପାର୍ଶ୍ଵ ଅଞ୍ଚଳକୁ ଯେପରି ପିଓକେ କୁହାଯାଉଛି, ଠିକ୍‌ ସେହିପରି ଏଲଏସି ଆରପଟ ଅଞ୍ଚଳକୁ ଅକ୍‌ସାଇ ଚୀନ କୁହାଯାଏ। ଅକ୍‌ସାଇ ଚୀନକୁ ଲଦାଖ କୁହାଯିବା ଉଚିତ। ୧୯୬୨ ଯୁଦ୍ଧରେ ଚୀନ ୩୭ ହଜାର ୨୪୪ ବର୍ଗ କିଲୋମିଟର କ୍ଷେତ୍ରଫଳର ଲଦାଖକୁ କବ୍‌ଜା କରିନେଇଥିଲା। ଅକ୍‌ସାଇ ଚୀନ ଅସଲରେ ଚୀନ କବ୍‌ଜାରେ ରହିଥିବା ଲଦାଖ, ଯାହାକୁ ଫେରାଇ ଆଣିବାର ସମୟ ଆସିଛି। ପୁଲୱାମା ଆକ୍ରମଣ ପରେ ଦେଶବ୍ୟାପୀ ଲୋକଙ୍କ ମନରେ ଯେଉଁ ଭାବନା ଥିଲା, ଲଦାଖ ଘାଟିର ଘଟଣା ପରେ ସେମିତି ଭାବନା ରହିଛି। ଏଭଳି ସ୍ଥିତିରେ ଚୀନକୁ କଡ଼ା ଜବାବ ଦେବା ଲାଗି କେନ୍ଦ୍ରର ଉଦ୍ଦେଶ୍ୟ ଉପରେ କୌଣସି ଆଶଙ୍କା ରହିବା ଉଚିତ ନୁହେଁ। ଚୀନ୍ ଦ୍ୱାରା ଅଧିକୃତ ଅଞ୍ଚଳ ବାସ୍ତବରେ ମେଷପାଳକଙ୍କ ଜୀବନ ରେଖା ଅଟେ। ଏଥିରୁ ମୁକ୍ତି ପାଇବା କଷ୍ଟକର, କିନ୍ତୁ ଅସମ୍ଭବ ନୁହେଁ ବୋଲି ସାଂସଦ କହିଛନ୍ତି।

ଦଶନ୍ଧି ଧରି ନୂଆ ଏଲଏସି ତିଆର କରିଚାଲିଛି ଚୀନ

ଲଦାଖବାସୀ କୁହନ୍ତି, ଚୀନ ଦଶନ୍ଧି ଧରି ଭାରତୀୟ ଅଞ୍ଚଳକୁ ହଡ଼ପ କରିଚାଲିଛି। ଭାରତୀୟ କ୍ଷେତ୍ର ଅକ୍ତିଆର କରିବା ପରେ ଚୀନ ନୂଆ ଏଲଏସି ତିଆର କରିସାରିଛି। ଉତ୍ତେଜନା ମଧ୍ୟରେ ଭାରତ ନିଜର ତ୍ରୁଟି ସମୀକ୍ଷା କରି ଚୀନକୁ ପଛକୁ ହଟାଇବ ବୋଲି ଲଦାଖବାସୀ ଆଶା ରଖିଛନ୍ତି। ଲଦାଖ ସ୍ବାୟତ୍ତ ପାହାଡ଼ି ବିକାଶ ପରିଷଦର ପୂର୍ବତନ ଅଧ୍ୟକ୍ଷ ରିଗ୍‌ଜିନ ସ୍ପଲବାରଙ୍କ କହିବା ଅନୁସାରେ, ୧୯୬୨ରୁ ଏଲଏସି ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। ୬୦ ବର୍ଷ ଧରି କେନ୍ଦ୍ରର ନୀତି ଟଳମଳ ହେଉଛି। ଭାରତ ସରକାରଙ୍କ ଦୁର୍ବଳତାର ଫାଇଦା ଉଠାଇ ଚୀନ ପ୍ରତିବର୍ଷ ନୂଆ ଏଲଏସି ନିର୍ମାଣ କରିବାରେ ଲାଗିଛି। ଚଳିତବର୍ଷ ଚୀନ କବ୍‌ଜା କରିଥିବା ଅଞ୍ଚଳରୁ ପଛକୁ ହଟାଇବାର ଅଛି।

Comments are closed.