ପାରଳାଖେମୁଣ୍ଡିରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ

ପାରଳାଖେମୁଣ୍ଡି ସ୍ଥିତ କୌଶଳ ବିକାଶ ତାଲିମ କେନ୍ଦ୍ର ଜନଶିକ୍ଷା ସଂସ୍ଥାନ ଏବଂ ମାନସିକ ଅନଗ୍ରସର ବିଦ୍ୟାଳୟ ନିୟତୀ ପକ୍ଷରୁ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ- ୨୦୨୧ ପାଳିତ ହୋଇଯାଇଛି। ସ୍ଥାନୀୟ ନବଜୀବନ ଅନ୍ଧ ଓ ଉପଶମ ଶିଶୁଯତ୍ନ ଅନୁଷ୍ଠାନ ପରିସରରେ ଜନଶିକ୍ଷା ସଂସ୍ଥାନ ପକ୍ଷରୁ ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମର୍ଥର ସମ୍ପାଦକ ସନ୍ତୋଷ କୁମାର ମହାରଣା ସଭାପତିତ୍ୱ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାମୁଖ୍ୟ ଚିକିତ୍ସ୍ୟଧିକାରୀ ଡାଃ ପ୍ରଦୀପ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିବ୍ୟାଙ୍ଗମାନଙ୍କ ପାଇଁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସୁବିଧା ସମ୍ପର୍କରେ କହିଥିଲେ। ଅନ୍ୟପକ୍ଷରେ ଦିବ୍ୟାଙ୍ଗମାନେ ଅକ୍ଷମ ନୁହଁନ୍ତି , ସେମାନେ ସକ୍ଷମ ତେଣୁ ଏହି ମନୋଭାବ ନେଇ ସେମାନଙ୍କୁ ସମାଜରେ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେଲେ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ଆଗକୁ ବଢି ପାରିବେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂସ୍ଥାନର ମୁଖ୍ୟ ଏ ଜଗନ୍ନାଥ ରାଜୁ ଓ ଫିଜିଓଥେରାପିଷ୍ଟ ସରୋଜିନୀ ପ୍ରମୁଖ ଦିବ୍ୟାଙ୍ଗମାନଙ୍କ ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ।

ସେହିଭଳି ସ୍ଥାନୀୟ ଗାନ୍ଧୀ ମେମୋରିଆଲ ସ୍କୁଲ ପରିସର’ରେ ମାନସିକ ଅନଗ୍ରସର ବିଦ୍ୟାଳୟ ନିୟତୀ ପକ୍ଷରୁ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। ନିୟତୀର ପ୍ରତିଷ୍ଠାତା ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ୱରେ ସ୍ମାର୍ଟ ସ୍କୁଲର ପ୍ରତିଷ୍ଠାତା ସ୍ୱାଗତିକା ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗମାନେ ସବୁବେଳେ ସକ୍ଷମ, ସେମାନଙ୍କୁ ଅକ୍ଷମ ନ ଭାବି ସୁଯୋଗ ଓ ସାହାଯ୍ୟର ହାତ ବଢ଼ାଇଲେ ସେମାନଙ୍କ ମଧ୍ୟରେ କିଛି କରିବାର ଆତ୍ମବିଶ୍ବାସ ବଢିବ ଏବଂ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ପାରିବେ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଫିଜିଓଥେରାପି ଡାକ୍ତର ଅରୁଣ ନାୟକ, ସିସିଡି ମୁଖ୍ୟ ଜଗନ୍ନାଥ ରାଜୁ, ବିଦ୍ୟାଳୟର ପ୍ରଧାନଶିକ୍ଷକ ତିରୁପତି ରାଓ, ସନ୍ତୋଷ ମହାରଣା ପ୍ରମୁଖ ମଞ୍ଚଆସିନ ରହି ଦିବ୍ୟାଙ୍ଗମାନଙ୍କ ବିଭିନ୍ନ ଅଧିକାର, ଆଇନ, ସରକାରୀ ସୁବିଧା ଓ ଭୌତିକ ଚିକିତ୍ସା ସମ୍ପର୍କରେ କହିଥିଲେ।

Comments are closed.