ଆଗରେ ଗଜପତି – ମୋବାଇଲ୍ କରୋନା ଭାଇରସ୍ ପରୀକ୍ଷଣ ଭ୍ୟାନ୍ ସଂଗ୍ରହ କରିବ ନମୁନା

ସମାଜ ପୋର୍ଟାଲ ଡେସ୍କ: ଓଡ଼ିଶାରେ କରୋନା ସଂକ୍ରମଣ ଉଦବେଗଜନକ ସ୍ଥିତିରେ ପହଁଚିଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ପ୍ରଥମ ଥର ପାଇଁ ମୋବାଇଲ୍ କରୋନା ଭାଇରସ୍ ପରୀକ୍ଷଣ ଭ୍ୟାନ୍ ବ୍ୟବହାର କରିବାକୁ ଯାଉଛି। ଏହି ଭ୍ୟାନ ସାହାଯ୍ୟରେ ସ୍ୱାସ୍ଥ୍ୟ ଅଧିକାରୀମାନେ ଜିଲ୍ଲାର ଜନବହୁଳ ଅଞ୍ଚଳରେ ସଂଦିଗ୍ଧଙ୍କ ଘର ପାଖରୁ ନମୁନା ସଂଗ୍ରହ କରିବେ ଓ ସେହିଠାରେ ପରୀକ୍ଷା କରିବେ। ଏହି କୋଭିଡ-୧୯ ପରୀକ୍ଷଣ ଭ୍ୟାନରେ ନମୁନା ପରୀକ୍ଷଣ ସୁବିଧା ବ୍ୟତୀତ ସଂକ୍ରମଣ ମୁକ୍ତ କରିବା, ପାନୀୟ ଜଳ ବିଶୋଧନ, କ୍ଲିନିକାଲ୍ ବର୍ଜ୍ୟବସ୍ତୁ ନିଷ୍କାସନ ଏବଂ ସ୍ୱାବ ସୁରକ୍ଷିତ ରଖିବା ବ୍ୟବସ୍ଥା ରହିଛି। ସେହି ମୋବାଇଲ୍ ଭ୍ୟାନରେ ସରକାରୀ ନିର୍ଦ୍ଦେଶାବଳୀ ପାଳନ ପୂର୍ବକ ସାମାଜିକ ଦୂରତା ବଜାୟ ରଖି ଗାଡି ଭିତରେ ତିନି ଜଣ ଲୋକ ରହିବ ବ୍ୟବସ୍ଥା କରାଯାଇଛି।

ଗଜପତିର ସମସ୍ତ ୧୪୯ଟି ଗ୍ରାମ ପଞ୍ଚାୟତରେ ରହୁଥିବା ଲୋକଙ୍କ କୋଭିଡ ପରୀକ୍ଷା ଏହି ମୋବାଇଲ୍ ଭ୍ୟାନ୍ ସାହାଯ୍ୟରେ କରାଯିବ। ଗଜପତି ଜିଲ୍ଲା ମାଜିଷ୍ଟ୍ରେଟ ଅନୁପମ ସାହାଙ୍କ ଉଦ୍ୟମରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ଆଇସିଏମଆର ସହଯୋଗରେ ଏହି ପରୀକ୍ଷଣ ଭ୍ୟାନ ପ୍ରସ୍ତୁତ ହୋଇଛି। ଗଜପତି ଜିଲ୍ଲା ସହ ଆନ୍ଧ୍ରପ୍ରଦେଶ ସୀମାରେ ଅଟକି ରହିଥିବା ବହୁ ସଂଖ୍ୟାରେ ପ୍ରବାସୀଙ୍କ ମଧ୍ୟ ନମୁନା ପରୀକ୍ଷା ମଧ୍ୟ ଏହି ଭ୍ୟାନ ସାହାଯ୍ୟରେ କରାଯିବ।

ସାହା କହିଛନ୍ତି, ଆନ୍ଧ୍ରପ୍ରଦେଶ ସୀମାରେ ଅନେକ ଲୋକ ଫସି ରହିଛନ୍ତି। ସେମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି। କରୋନା ରୋଗୀଙ୍କ ପାଇଁ ସମଗ୍ର ଜିଲ୍ଲାରେ ୧୮୦ଟି ମେଡିକାଲ୍ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ସେହି ଭ୍ୟାନରେ ନମୁନା ପରୀକ୍ଷା ସହ ସଂକ୍ରମଣ ଜନିତ ପରୀକ୍ଷା ମଧ୍ୟ ହୋଇପାରିବ। ଏହି ଭ୍ୟାନ କେଉଁ ସମୟରେ କେଉଁ ଅଂଚଳକୁ ଯିବା ତାହା ଆଗରୁ ଜଣାଇ ଦିଆଯିବ ବୋଲି ସାହା କହିଛନ୍ତି।

Comments are closed.