ଲକ୍ଡ଼ାଉନ ମେ ୩ରେ ସରିବା ପରେ ସ୍ନାନଯାତ୍ରା ଓ ରଥଯାତ୍ରା ନିଷ୍ପତ୍ତି

ଭୁବନେଶ୍ବର (ବ୍ୟୁରୋ): କରୋନା ଯୋଗୁଁ ପ୍ରଭାବିତ ହୋଇଛି ବିଭିନ୍ନ ମନ୍ଦିରର ପୂଜାର୍ଚନା, ନୀତିକାନ୍ତି । ଭୁବନେଶ୍ବର ଏକାମ୍ରକ୍ଷେତ୍ରଠାରୁ ଆରମ୍ଭ ହୋଇ ପୁରୀରେ ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚନା ଓ ନୀତିକାନ୍ତି ପ୍ରଭାବିତ ହୋଇଛି । ଏହି ସ୍ଥିତିରେ ଆଗାମୀ ସ୍ନାନଯାତ୍ରା ଓ ରଥଯାତ୍ରାକୁ ନେଇ ସୃଷ୍ଟି ହୋଇଛି ଆଶଙ୍କା । ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ ତାହା ଉପରେ ବାଦ ବିବାଦ ଚାଲିଛି । ଶୁକ୍ରବାର ସକାଳେ ରଥଯାତ୍ରା ସଂକ୍ରାନ୍ତରେ ସୃଷ୍ଟି ହୋଇଥିବା ଆଶଙ୍କା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବଗତ କରିଛନ୍ତି । ଅନ୍ୟପକ୍ଷରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ବୈଠକ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଆସନ୍ତା ମେ ୩ରେ ଲକ୍ଡ଼ାଉନ ସରିବା ପରେ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସ୍ନାନଯାତ୍ରା ଓ ରଥଯାତ୍ରା କାର୍ଯ୍ୟ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଜପତି କହିଛନ୍ତି ଯେ ଏହି ପ୍ରସଙ୍ଗ ନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯିବ । ତେବେ ଏ ସମ୍ପର୍କରେ ଏବେଠାରୁ କିଛି କହିବା ସମ୍ଭବପର ନୁହେଁ । ସମସ୍ତ ଧର୍ମପୀଠକୁ ମୁକ୍ତ କରାଯାଇ ପୂଜାର୍ଚନା ଉପରେ ଏବେ ବି ସରକାରୀ କଟକଣା ରହିଛି ।  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମ ମାନିବା ପାଇଁ ସମସ୍ତେ ବାଧ୍ୟ ଅଟନ୍ତି । ଆସନ୍ତା  ୩ ତାରିଖ ଯାଏଁ ମହାପ୍ରଭୁଙ୍କର କୌଣସି ବାହାର ଯାତ୍ରା ସମ୍ଭବପର ନୁହେଁ । ଏପରିକି ମହପ୍ରଭୁଙ୍କ ସ୍ନାନଯାତ୍ରା ହେବ କି ନାହିଁ ତାହା ଏକ ବଡ଼ ପ୍ରଶ୍ନବାଚୀ ।  ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ପରେ ହିଁ ଯାହା ନିଷ୍ପତ୍ତି ନିଆଯିବ ।  ତଥାପି ଦେବନୀତି ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ସମସ୍ତ ଉଦ୍ୟମ ଜାରି ରହିବ । ସାଧାରଣ ଜନତାଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଗଜପତି ମହାରାଜ କହିଛନ୍ତି ।

Comments are closed.