ସରକାରୀ ଯୋଜନାକୁ ଉପହାସ: ଅବ୍ୟବସ୍ଥା ଘେରରେ ପିଣ୍ଡିକି ସରକାରୀ ପ୍ରାଥମିକ ବିଦ୍ୟାଳୟ

ପ୍ରଧାନ ଶିକ୍ଷକଙ୍କ ଇଚ୍ଛା ହେଲେ ସ୍କୁଲ ଖୋଲା ନହେଲେ ବନ୍ଦ

ମୋହନା : ସରକାର ଶିକ୍ଷା କ୍ଷେତ୍ରର ଉନ୍ନତି ପାଇଁ ମାଳମାଳ ଯୋଜନା କରୁଛନ୍ତି। ମନ୍ତ୍ରୀ ମଧ୍ୟ ତୁହାକୁ ସ୍କୁଲ ମାନଙ୍କୁ ଗସ୍ତ କରି ପରିଚାଳନା ବ୍ୟବସ୍ଥାର ତଦାରଖ କରୁଛନ୍ତି। କିନ୍ତୁ ଅବ୍ୟବସ୍ଥା‌ରେ ସୁଧାର ଆସିପାରିନାହିଁ। ଏପରି ଏକ ଅବ୍ୟବସ୍ଥା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ପିଣ୍ଡିକି ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟଟି ୧୯୯୩ ମସିହାରେ ସ୍ଥାପିତ ହୋଇଥିବା ବେଳେ ୧ମ ରୁ ୫ମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀ ସଂଖ୍ୟା ୩୦ ଥିବା ବେଳେ ୨ ଜଣ ଶିକ୍ଷକ ରହିଛନ୍ତି।

ସେଥିମଧ୍ୟରୁ କନିଷ୍ଠ ଶିକ୍ଷକ ଜୟରାମ ପାରିକା ପ୍ରଧାନ ଶିକ୍ଷକ ରହିଥିବା ବେଳେ ସହକାରି ଶିକ୍ଷକଭାବେ ମନୋଜ କୁମାର ନାୟକ କାର୍ୟ୍ୟରତ ଅଛନ୍ତି। ଏହି ବିଦ୍ୟାଳୟରେ ପାନୀୟ ଜଳର ବ୍ୟବସ୍ଥା ପାଇଁ ଏକ ବୋରୱେଲ ଖୋଳାଯାଇଥିବା ବେଳେ ତାହା ଅଧପନ୍ତରିଆ ଭାବେ ସମାପ୍ତ ନହୋଇ ପଡିରହିଛି। ପିଲାଙ୍କ ସୁବିଧା ପାଇଁ ଶୌଚାଳୟର କୌଣସି ବ୍ୟବସ୍ତା ୬ ମାସ ହେଲା ନହୋଇ ଅଧପନ୍ତରିଆଭାବେ ପଡି ରହିଥିବା ଦେଖିବାକୁ ମିଳିଛି। ରୋଷେଇ ଗୃହର ସୁବିଧା ନଥିବାରୁ ଜଙ୍ଗଲ ମଧ୍ୟରେ ରହିଥିବା ଲଟା ବୁଦା ସ୍ଥାନରେ ରୋଷେଇ ହେଉଛି। କେତେବେଳେ କୌଣସି ଜୀବଜନ୍ତ କିମ୍ବା ଶରୀଶୃପଙ୍କର ଖାଦ୍ୟ ଭିତରେ ପ୍ରବେଶ କଲେ ପିଲା ମାନଙ୍କର ଜୀବନ ପ୍ରତି ବିପଦ ଦେଖାଦେବା ସୁନିଶ୍ଚିତ ବୋଲି ଅଭିଭାବକମାନେ ପ୍ରକାଶ କରିଛନ୍ତି। ବିଦ୍ୟାଳୟ ଚତୁଃପାର୍ଶ୍ବରେ ପାଚେରୀ ନଥିବା ଯୋଗୁଁ ହିଂସ୍ର ଜନ୍ତୁଙ୍କ ଅବାଧ ପ୍ରବେଶ ଲାଗି ରହିବା ଫଳରେ ଛାତ୍ରଛାତ୍ରୀ ମାନଙ୍କ ପ୍ରତିବିପଦ ଦେଖାଦେବା ସହ ସେମାନେ ଖେଳକୁଦ କରିବାକୁ ଭୟଭିତ ହେଉଥିବା ପିଲାମାନେ କହିଛନ୍ତି। ଏହି ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ମଧ୍ୟ ହୋଇନାହିଁ।

ଏ ସମସ୍ତ ଅବ୍ୟବସ୍ଥା ପରେ ଆଉ ଏକ ପ୍ରମୁଖ ସମସ୍ୟା ହୋଇଛି ପ୍ରଧାନ ଶିକ୍ଷକଙ୍କ ମନ ଇଚ୍ଛା କାର୍ୟ୍ୟ। ମନ ହେଲେ ସ୍କୁଲ ଛୁଟି କରିଦେଉଛନ୍ତି ପ୍ରଧାନଶିକ୍ଷକ। ଏଭଳି ପରିସ୍ଥିତିରେ ସର୍ବଶିକ୍ଷା ଅଭିଯାନର ସ୍ଳୋଗାନ‘ ସଭିଏଁ ପଢିବେ ସଭିଏଁ ବଢିବେ’ ଉପହାସ ପରି ମନେହେଉଛି।

Comments are closed.