ଗଜପତି ମହାରାଜା ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅନୁରୋଧ ଅନୁସାରେ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର :ସମୀର ମହାନ୍ତି

ଭୁବନେଶ୍ୱର: ରଥଯାତ୍ରା ଓ ଶ୍ରୀମନ୍ଦିର ପରିଚାଳନାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ବିଶେଷ ଭୂମିକା ରହିଛି। ଏ ଦୁଇ ଆସ୍ଥା କେନ୍ଦ୍ର ଯେଉଁ ଅନୁରୋଧ ଓ ଅପେକ୍ଷା ରଖୁଛନ୍ତି ରାଜ୍ୟ ସରକାର ତାହାକୁ ପାଳନ କରନ୍ତୁ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ଗଜପତି ମହାରାଜ ଦିବ୍ୟସିଂହ ଦେବ ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି। ଗଜପତି ମହାରାଜ ରାଜ୍ୟ ସରକାରଙ୍କୁ ଯେଉଁ ଅନୁରୋଧ କରିଛନ୍ତି ଓ ଅପେକ୍ଷା ରଖିଛନ୍ତି ରାଜ୍ୟ ସରକାର ଏହାକୁ ରକ୍ଷା କରନ୍ତୁ ଏବଂ ଏହି ଅନୁରୋଧ ଅନୁସାରେ ପଦକ୍ଷେପ ନିଅନ୍ତୁ। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଗଣମାଧ୍ୟମ ମାଧ୍ୟମରେ ରାଜ୍ୟ ସରକାରଙ୍କ ତରଫରୁ କେହି ତାଙ୍କୁ ସାକ୍ଷାତ୍ କରନ୍ତୁ ବୋଲି ଅପେକ୍ଷାରେ ରହିଛନ୍ତି। ରଥଯାତ୍ରା ଓ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରସଙ୍ଗରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ କ’ଣ କହିବାକୁ ଚାହୁଁଛନ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ରତିନିଧି ତାଙ୍କୁ ତୁରନ୍ତ ସାକ୍ଷାତ୍ କରନ୍ତୁ। ପୁରୀ ରଥଯାତ୍ରା ପ୍ରସଙ୍ଗ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଅନ୍ତୁ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।

Comments are closed.