ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା; ପ୍ରତିଶ୍ରୁତି ପରେ ହଟିଲେ

ଗଡ଼ମଧୁପୁର : ଧର୍ମଶାଳା ବ୍ଲକ ପାଖର ପଂଚାୟତରେ ବିଭିନ୍ନ ଦୁର୍ନୀତି ଓ ସରପଞ୍ଚ ସ୍ୱାମୀଙ୍କ ମନୋମୁଖି କାର୍ଯ୍ୟ ବିରୁଦ୍ଧରେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଗଣଧାରଣା ଆଜି ପ୍ରଶାସନର ପ୍ରତିଶ୍ରୁତି ପରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହଛି। ବ୍ଲକ ତରଫରୁ ପଂଚାୟତ ସମ୍ପ୍ରସାରଣ ଅଧିକାରିଣୀ ଦିବ୍ୟକାନ୍ତି ମିଶ୍ର, ନିର୍ବାହୀ ଯନ୍ତ୍ରୀ ଯଚିନ୍ଦ୍ର ମୋହନ ସ୍ୱାଇଁ, ଏପିଓ ଦୁଷ୍ମନ୍ତ ଧଳ ପ୍ରମୁଖ ଧାରଣା ସ୍ଥଳରେ ପହଞ୍ଚି ଧାରଣାକାରୀଙ୍କ ସହିତ ଦୀର୍ଘ ସମୟ ଅଲୋଚନା କରିଥିଲେ। ସେମାନଙ୍କର ଅଭିଯୋଗକୁ ତର୍ଜମାକରି ଉପରିସ୍ଥ ଅଧିକାରୀଙ୍କ ସହିତ ଅଲୋଚନା କରି ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯିବାର ନିଷ୍ପତ୍ତି ନେଇଥିଲେ। ଏକାଧିକ ଅଭିଯୋଗ ନେଇ ଏହି ପଂଚାୟତର ଶତାଧିକ ଲୋକ ଗତ ଶୁକ୍ରବାରଠାରୁ ପାଖର ପଂଚାୟତ କାର୍ଯ୍ୟାଳୟ ପରିଷରରେ ଗଣଧାରଣା ଦେଇଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ଆଜକୁ ତିନି ବର୍ଷ ଧରି ଖୋଲା ଯାଇ ନଥିବାକୁ ବିରୋଧ କରିବା ସହିତ ନିୟମିତ ଭାବରେ ପଂଚାୟତ ଅଫିସ୍ ଖୋଲିବାକୁ ଦାବି ରଖିଥିଲେ। ଏହି ପଂଚାୟତରେ ଏବେ ସୁଧା ଅନେକ ଗ୍ରାମରେ ପାନୀୟ ଜଳର ସମସ୍ୟା ସମଧାନ ହୋଇନଥିବା ହେତୁ ପ୍ରତି ଗ୍ରାମକୁ ପାନୀୟଜଳ ଯୋଗାଣର ବ୍ୟବସ୍ଥା, ପଂଚାୟୟତର ୧୦୦ରୁ ଅଧିକ ପରିବାରକୁ ରାସନକାର୍ଡ, ପଂଚାୟତବାସୀ ହରିଶ୍ଚନ୍ଦ୍ର ଯୋଜନାରୁ ବଞ୍ଚିତ ଥିବା , ମାର୍କେଟ କମ୍ପଲେକ୍ସ ଘରକୁ ସରପଂଚ ତାଙ୍କ ସମ୍ପର୍କୀୟଙ୍କୁ ଯୋଗଇ ଦେଇଥିବାରୁ ତାଙ୍କୁ ସେଠାରୁ ଉଚ୍ଚେଦ କରିବାକୁ ଦାବି କରିଥିଲେ। ଏହି ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଅନେକ ପରିବାର ବଂଚିତ ରହିବାରୁ ସେମାନଙ୍କୁ ତଦନ୍ତ ପୂର୍ବକ ନୂତନ ଗୃହ ଯୋଗାଣ, ପଂଚାୟତରେ ହେବାକୁ ଥିବା କଲ୍ୟାଣ ମଣ୍ଡପ ଘରକୁ ବିନା ପକ୍ଷପାତିତାରେ ନିରପେକ୍ଷ ଯାଗାରେ ହେଡକ୍ୱାଟରଠାରେ ନିର୍ମାଣ ପାଇଁ ଅଧିକାରୀମାନଙ୍କୁ ଅବଗତ କରିଥିଲେ। ସେହିପରି ଭାବରେ ପଂଚାୟତର ରାସନ ସାମଗ୍ରୀକୁ ପଂଚାୟତର ଗୋଦାମ ଗୃହରେ ରଖି ବଣ୍ଟନ ନିମିତ ଦାବି କରିଥିଲେ। ସବୁଠାରୁ ଦୁଃଖ ପରିତାପର ବିଷୟ ଏହି ପଂଚାୟତର ମାଣ୍ଡିଆଠାରେ ତିଆରି ହୋଇଥିବା ଆମ ଗାଁ ଆମ ବିକାଶ ଘରକୁ ସ୍ଥାନୀୟ ସରପଂଚ ଭଡାରେ ଲଗାଇଥିବାର ଅଭିଯୋଗ ଏହି ଗଣଧାରଣାର ଅନ୍ୟ ଏକ ପ୍ରମୁଖ ଦାବି ହୋଇଥିବାରୁ ତାର ତଦନ୍ତ କରିବାକୁ ଘଟଣାସ୍ଥଳରେ ଧାରଣାକାରୀମାନେ ଦାବି ଦୋହରାଇଥିଲେ।

ସେହିପରି ପୂର୍ବରୁ ପାଖର ଗ୍ରାମର ମହିଳାମାନେ ଟୋପାଏ ପାଣି ପାଇଁ ଗରା, ମାଠିଆ ଧରି ଅନେକ ଦୂରକୁ ଯାଉଥିବାରୁ ମେଗା ପାନୀୟ ଜଳ ପ୍ରକଳ୍ପକୁ ପାଖରଠାରେ ଥିବା ପଂଚାୟତର ସବୁଠାରୁ ଉଚ୍ଚ ସ୍ଥାନରେ କରିବାକୁ ଅଡି ବସିଥିଲେ। ନିର୍ବାହୀ ଯନ୍ତ୍ରୀ ଏହା ଉପରେ ନିଶ୍ଚିତ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ସବୁ ଘଟଣା ପଛରେ ଏହି ପଂଚାୟତ ଦାୟିତ୍ୱରେ ଥିବା ପିଇଓ ଧୃବ ଚରଣ ଦାସଙ୍କର ପ୍ରଛନ୍ନ ହାତ ରହିଥିବା ଧାରଣାକାରୀମାନେ ଅଧିକାରୀଙ୍କୁ କହିବା ସହିତ ତାଙ୍କୁ ତୁରନ୍ତ ଏହି ପଂଚାୟତରୁ ଅପସାରଣ କରିବାକୁ ଦାବି କରିଥିଲେ। ଦୀର୍ଘ ଦିନ ଖୋଲାଯାଇନଥିବା ପଂଚାୟତ ଅଫିସ୍ ଗୃହ ଖୋଲିବାକୁ ସେମାନେ ଦାବି କରିଥିଲେ। ଦାବି ମୁତାବକ ପଂଚାୟତ ଅଫିସରେ ପଂଚାୟତର କୌଣସି କାଗଜ ପତ୍ର ନାହିଁ। କମ୍ପ୍ୟୁଟର ନଥିବା ସହିତ ଘର ଭିତରେ ଉଈ ହୁଙ୍କା ହୋଇଥିବା କହିବା ସହିତ ଚାବି ଭାଙ୍ଗି ହେଉ ଅବା ପିଇଓଙ୍କୁ ଡକାଇ ଘର ଖୋଲି ଦେଖାଯାଉ ପଂଚାୟତ ଉପକରଣ କୋଉଠି ରହିଛି? ଏହି ପଂଚାୟତର ଅନେକ ଲୋକ ବିଭିନ୍ନ ସମସ୍ୟା ନେଇ ପଂଚାୟତ କାଯ୍ୟାଳୟକୁ ଆସୁଥିଲେ ମଧ୍ୟ ପିଇଓ ସେମାନଙ୍କଠାରୁ ଅଭିଯୋଗ ଶୁଣିବା ପରିବର୍ତ୍ତେ ସରପଂଚଙ୍କ ହାତରେ କାଠପୁତଳୀ ସାଜିଛନ୍ତି। ପାଣିଟାଙ୍କି ଘର ପଂଚାୟତ କାର୍ଯ୍ୟଳୟରେ ପରିଣତ ହୋଇଥିବା ଅନେକ ଲୋକ ଜିପିଓଙ୍କ ନିକଟରେ ଅଭିଯୋଗ କରିବା ସହିତ ଆପଣ କିପରି ଏ ବିଷୟରେ ଜାଣିପରିଲେ ନାହିଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି। ପଂଚାୟତର ବରିଷ୍ଟ ନାଗରିକ ନକୁଳ ଚନ୍ଦ୍ର ନାୟକ ପଂଚାୟତ ସମ୍ପ୍ରସାରଣ ଅଧିକାରୀଣିଙ୍କୁ ନୈତିକତାର କଥା କହି ପାଖର ପଂଚାୟତ ଉପରେ ଆପଣଙ୍କ ପାଖରେ କଣ ଖବର ଅଛି ବୋଲି କହିଥିଲେ। ଏହି ପଂଚାୟତରେ କୌଣସି ଯୋଜନା କାର୍ଯ୍ୟକାରୀ ହେଉନଥିବାବେଳେ କୌଣସି ଦିନ ପଂଚାୟତ କାର୍ଯ୍ୟାଳୟ ଖୋଲା ଯାଉନଥିବା କହିଥିଲେ ପଂଚାତର ସମିତି ସଭ୍ୟା ବନଜିନି ପରିଡା। ପଂଚାୟତର କାଯ୍ୟକ୍ରମ କେବଳ ଖାତାକଲମରେ ଚାଲିଛି। କୌଣସି ଦିନ ୱାର୍ଡ ସଭ୍ୟଙ୍କ ଉପସ୍ଥିତିରେ କିଛି ଅଲୋଚନା ହୋଇନାହଁ। ଏପରିକି ସରପଞ୍ଚଙ୍କ କ୍ଷମତାକୁ ତାଙ୍କ ସ୍ୱାମୀ ବ୍ୟବହାର କରୁଥିବାବେଳେ ସମସ୍ତଙ୍କୁ ଅନ୍ଧାରରେ ରଖି ପିଇଓ ସରପଞ୍ଚଙ୍କ କଥାରେ ସବୁ କିଛି କରୁଛନ୍ତି ବୋଲି ଶ୍ରୀମତି ପରିଡା କହିଛନ୍ତି। ଧାରଣାର ଚତୁର୍ଥ ଦିନରେ ଏ ସମସ୍ତ ପ୍ରଶ୍ନ ଓ ଦାବିକୁ ଶୁଣିବା ପରେ ପ୍ରଶାସନିକ ଅଧିକାରୀମାନେ ଏହାର ସମାଧାନର ପ୍ରତିଶ୍ରୁତି ଦେଲା ପରେ ଧାରଣାକାରୀମାନେ ଧାରଣାରୁ ଉଠିଥିଲେ। ଏହି ଧାରଣାରେ ପଂଚାୟତର ଅନେକ ୱାର୍ଡସଭ୍ୟ ଉପସ୍ଥିତ ରହିବା ସହିତ ପଂଚାୟତର ସଭାପତି ଅନିଲ ବେହେରା, ବିଜୟ ଦାସ, ହରେଶ ପରିଡା, ଯୁବ ସଭାପତି ସନ୍ଦିପ ବେହେରା, ସଙ୍କର୍ଷଣ ମଳିକ, ପ୍ରଶାନ୍ତ ଦାସ, କୈଳାଶ ପରିଡା, ବନ ବିହାରୀ ଖିଲାର, ରଘୁନାଥ ଖିଲାର, ସ୍ମୃତିରଂଜନ ପରିଡା, ନୃସିହ ଖିଲାର, ବନମାଳି ଖିଲାର, କନ୍ଦ ସାମଲ, ନିତ୍ୟାନନ୍ଦ ସାମଲ, ନନ୍ଦ କିଶୋର ମଳିକ ( ପୁର୍ବତନ ସମିତି ସଭ୍ୟ), କପିଳେଶ୍ୱର ଘଡେଇ ସମେତ ଶତାଧିକ ଲୋକ ଧାରଣାରେ ସାମିଲ ହୋଇଥିଲେ। ସରପଞ୍ଚ ଜଣେ ମହିଳା ହୋଇଥିବାରୁ ଏବଂ ତାଙ୍କ ଫୋନ ନଂ ସଂଗ୍ରହ କରିବା ସମ୍ଭବ ପର ହୋଇନଥିବାବେଳେ ପିଇଓ ବିଡିଓଙ୍କ ନିର୍ଦ୍ଦେଶ ଯାହା ରହିବ ସେହି ଅନୁଯାଇ କାର୍ଯ୍ୟ କରିବେ ବୋଲି କହିଥିଲେ।

Comments are closed.