ଶକ୍ତିଶାଳୀ ୱାଗନ ବ୍ଲାଷ୍ଟିଂ, ପ୍ରଭାବରେ ଭାଙ୍ଗୁଛି କୋଠାବାଡି

ଚେଇଁ ଶୋଇଛି ପ୍ରଶାସନ, ରାଜସ୍ୱ ଆଦାୟ ବାହାନାରେ ପଥର ଚୋରୀକୁ ପ୍ରୋତ୍ସାହନ

ଗଡ଼ମଧୁପୁର: କରୋନା ଲକଡାଉନରେ ଖୁବ କମଦିନ ପାଇଁ ବେଆଇନ ପଥର ଖନନ ଲକ ହୋଇ ଯାଇଥିଲା। ପ୍ରକୃତିକୁ ମିଳିଥିଲା ବିଶ୍ରାମ। ଅଳ୍ପଦିନ ପାଇଁ ପରିବେଶ, ଜଳ, ବାୟୁ, ଶବ୍ଦ ପ୍ରଦୁଷଣରୁ ମୁକ୍ତି ପାଇଥିଲା ପ୍ରକୃତିରାଣୀ। ଏବେ ଆଉ ସେ ସମୟ ନାହିଁ। କରୋନା ଲକଡାଉନର ସାମୟିକ ବିରତି ପରେ କ୍ଷତି ଭରଣା କରିବାକୁ ପୁଣି ଦୋହଲିଛି ଧର୍ମଶାଳା ତହସିଲର ବିଭିନ୍ନ କଳାପଥର ପାହାଡରେ ଥିବା ଖଣି ଖାଦାନ। ଆଉ ପୁନଃର୍ବାର ଅନୁଭୁତ ହେଲାଣି ଘନଘନ ବ୍ଲାଷ୍ଟିଂ ପ୍ରଭାବ। ଖଣିଖାଦାନ ଅଞ୍ଚଳର ନିକଟବର୍ତ୍ତୀ ଗାଁ ଗହଳିରେ ଥିବା କୋଠାବାଡ଼ି ଓ ମଠ ମନ୍ଦିର ଏବେ ନାହିଁ ନଥିବା କ୍ଷତିଗ୍ରସ୍ଥ ହେଉଛି। ମିଳିଥିବା ତଥ୍ୟ ଅନୁଯାଇ ଏହି ତହସିଲ ଅନ୍ତର୍ଗତ ବରଡା, ଡଙ୍କାରୀ, ମାଳଗୋଡ଼ା, ରାହାଡପୁର, ବିଛାଖଣ୍ଡି, ବାଘୁଆ, ଚୁଡା ଭରଣ୍ଡିଆ ପାହାଡରେ ଏବେ ରାତି ଅଧିଆ ବ୍ଲାଷ୍ଟିଂ ସମସ୍ତଙ୍କର ନିଦ ଭାଙ୍ଗି ଦେଇଛି।

 

ଶକ୍ତିଶାଳି ବ୍ଲାଷ୍ଟିଂ କରାଯାଉଥିବାରୁ ନିକଟସ୍ଥ ଗଡ଼ମଧୁପୁର, ମହିଶରା, ସମ୍ପାରୁ ,ଏଣ୍ଡଳବା, ତାଳଜଙ୍ଗ, ଆରୁହା, ପଞ୍ଚାୟତର ସମସ୍ତ ଗାଁରେ ମୃଦୁ ଭୁମିକମ୍ପ ହେବାର ଭ୍ରମ ସୃଷ୍ଟି ହେବା ସହିତ ଭୁତଳ ମାଟି ଆନ୍ଦୋଳିତ ହେବା ଫଳରେ କୋଠାବାଡି ଓ ମନ୍ଦିର କାନ୍ଥରେ ଫାଟ ସୃଷ୍ଟି ହେଉଛି। ଏପରିକି ପୁରୁଣା କାଳିଆ କୋଠାଘର, ପୁରୁଣା କାଳିଆ ମନ୍ଦିର ଓ ସମାଧି ମଣ୍ଡପ, ସରକାରୀ ଆବାସ ଗୃହ ଆଦି ବେଶି ମାତ୍ରାରେ କ୍ଷତିଗ୍ରସ୍ଥ ହେଉଛି। ଅନେକ ଗରିବ ଶ୍ରେଣୀର ଲୋକମାନେ ସରକାରୀ ଆବାସ ଯୋଜନାରେ ଘର ବଖରାଏ କରି ମୁଣ୍ଡ ଗୁଞ୍ଜିଥିବା ବେଳେ ଏହି ବେଆଇନ ୱାଗନ ବ୍ଲାଷ୍ଟି ସେହି ଘରକୁ ସମ୍ପୁର୍ଣ୍ଣ ବିପଦ ସାଜିଛି। ଏହି ଘର ଗୁଡିକର ନିର୍ମାଣ ଶୈଳୀ ଏତେ ମଜଭୁତ ହୋଇନଥିବାରୁ ବ୍ଲାଷ୍ଟିଂ ପ୍ରଭାବରେ ତନ୍ମଧ୍ୟରୁ ଅନେକ ଭାଙ୍ଗି ଯାଇଥିବା ବେଳେ ଅନେକ ଭାଙ୍ଗିଋଜି ଜିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି। ଏଥିରୁ ବାଦ ପଡୁନାହିଁ ସରକାରୀ କୋଠାବାଡ଼ି ବିଦ୍ୟାଳୟ, ମହାବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଗାଁ ଗାଁରେ ଥିବା ମନ୍ଦୀର ଓ ସରକାରୀ, ବେସରକାରୀ ପାଚେରୀ। ଏହାକୁ ନେଇ ଅନେକ ସମୟରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ଗ୍ରାମବାସି ମାନେ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ମାଇନିଙ୍ଗ ପ୍ଲାନର ଖୋଲା ଉଲଙ୍ଘନ କରି ପଥର ଉତ୍ତୋଳନ ଚାଲିଥିଲେ ବି ଏଥିପ୍ରତି କାହାରି ନଜର ନାିହିଁ। ସମସ୍ତଙ୍କର ମୁହଁ ବନ୍ଦ କରିଛି ମାସିକିଆ ହାତ ଗୁଞ୍ଜା।

 

ପ୍ରସାଶନ ରାଜସ୍ୱ ଆଦାୟର ଆଳରେ ରାଜସ୍ୱ କମ ନିଜସ୍ୱ ବେଶି ଆଦାୟ ନିଶାରେ ସାଧାରଣ ଲୋକଙ୍କ ସମସ୍ୟାକୁ ଅଣଦେଖା କରିବା ସହିତ ସମ୍ପୁର୍ଣ୍ଣ ଭାବରେ ଆଖି ବୁଜିଦେଇଛି। ସାଧାରଣ ନାଗରିକଙ୍କର ଘରବାଡି, ପାନୀୟଜଳର ସୁରକ୍ଷା ପ୍ରତି ଧ୍ୟାନ ଦେଉ ନଥିବାରୁ ଏବେ ଲୋକମାନେ କିଂକର୍ତ୍ତବ୍ୟ ବିମୁଢ ହୋଇ ରହିଛନ୍ତି। ଖୁବ ନିକଟରେ ତିଆରି ହୋଇଥିବା ଅନେକ ସରକାରୀ ଘରର କାନ୍ଥରେ ଏବେ ଫାଟ ଦେଖିବାକୁ ମିଳୁଛି। ଚଢେଇଧରା ଛକରେ ଅନେକ ଘର ବ୍ଲାଷ୍ଟିୁଂ ପ୍ରଭାବରେ କ୍ଷତିଗ୍ରସ୍ଥ ହୋଇଥିବା ନେଇ ନିକଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲେ ମଧ୍ୟ କାହାରି ନାକାହାରି ଚାପରେ ତାହା ରଫା ଦଫା ହୋଇଯାଇଥିବା ଜଣାଯାଇଛି। ସମ୍ପାରୁ ପଂଚାୟତର କାଦୁଆମାଗୁରା ଗାଁରେ ଧିରେନ୍ଦ୍ର ନାଥ ଶତପଥିଙ୍କର ଘରର କିଛି ଅଂଶ ଶକ୍ତିଶାଳି ବ୍ଲାଷ୍ଟିଂ ଫଳରେ ଭାଙ୍ଗି ଝଡିପଡ଼ିଥିବା ଅଭିଯୋଗ ହୋଇଛି। ଏସବୁ ଘଟଣାକୁ କିଭଳି ପ୍ରସାଶନ ନିକଟରେ ପହଞ୍ଚି ପାରିବ ନାହିଁ ସେଥିପାଇଁ ପଥର ମାଫିଆ ସ୍ବତନ୍ତ୍ର ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ଅଧିକ ପଥର ଉତ୍ତୋଳନ ଆଶାରେ ଲିଜଧାରି ଓ ବେଗର ଲିଜରେ କାମକରୁଥିବା ଖଣି ମାଲିକ ମାନେ ଯଥେଷ୍ଟ ଅଧିକ ବିସ୍ପୋରକ ବ୍ୟବହାର କରିବା ଓ ଏକକାଳିନ ୩୦୦୦/୪୦୦୦ଫୁଟର ହୋଲ କରିବା ଫଳରେ ଏଭଳି ଭୟଙ୍କର ବ୍ଲାଷ୍ଟିଂ ହେଉଛି। ପ୍ରଭାବରେ ଅନେକ କୋଠାବାଡ଼ି କ୍ଷତିଗ୍ରସ୍ଥ ହେଉଥିବା ଦେଖାଯାଇଛି। ସମ୍ପାରୁ ବିଦ୍ୟାଳୟ କୋଠାର ଅବସ୍ଥା ଦେଖିଲେ ବ୍ଳାଷ୍ଟିର ପ୍ରଭାବ କେତେ ଭୟଙ୍କର ତାହା ସହଜରେ ଅନୁମେୟ। ସେହିପରି ଭାବରେ ରାତିରେ ହେଉଥିବା ବ୍ଲାଷ୍ଟିଂର ପ୍ରଭାବରେ ଝରକା କବାଟ ଯୋରରେ ଶବ୍ଦ କରିବା ସହିତ ମୃଦୁଭୂମିକମ୍ପର ଭ୍ରମ ସୃଷ୍ଟି କରୁଥିବା ସ୍ଥାନୀୟ ଲୋକମାନେ କୁହନ୍ତି। ଏହି ଧାରା ଜାରି ରହିଲେ, ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ସଲାସୁତରେ କାର୍ଯ୍ୟକଲେ ଅନେକ ଲୋକ ବେଘର ହେବେ ଏଥିରେ ସନ୍ଦେହ ନାହିଁ। ତେବେ ପ୍ରଶାସନକୁ ଏଥିରେ କୌଣସି ଫରକ ପଡୁନଥିବା ସାଧାରଣରେ ଆଲୋଚନା ହେଉଛି। ରାଜସ୍ୱ ଆଳରେ ପ୍ରଶାସନ ସରକାରି ଓ ବେସରକାରି କୋଠବାଡ଼ିକୁ ସୁରକ୍ଷା ଦେବା ବଦଳରେ ସବୁକିଛି ଅଖିବୁଜି ଦେଇଛି। ପଥର ମାଫିଆ ଏଭଳି ଭୟଙ୍କର ବ୍ଲାଷ୍ଟି କରି ଏକ କାଳିନ ୨୦୦ଟ୍ରିପ କଳାପଥର ଉତ୍ତୋଳନ କରି ମାଲାମାଲ ହେଉଛନ୍ତି। ଏ ଭଳି ଭୟଙ୍କର ବ୍ଲାଷ୍ଟିଂ ସ୍ଥାନୀୟ ଲୋକମାନଙ୍କର ବ୍ୟାପକ କ୍ଷୟକ୍ଷତି ଘଟାଇ ଥିବା ଜଣାପଡ଼ିଛି।

Comments are closed.